ସରିଲା ଯୁକ୍ତ୨ ପରୀକ୍ଷା, ଏପ୍ରିଲ ୪ରୁ ଖାତାଦେଖା ! ଇ-ମୂଲ୍ୟାୟନ ଲାଗି ଉତ୍ତର ଖାତା ସ୍କାନିଂ ଆରମ୍ଭ । କପି କରି ଧରାପଡ଼ିଲେ ୩ ହଜାର ଛାତ୍ରଛାତ୍ରୀ

15

କନକ ବ୍ୟୁରୋ: କାଁ ଭାଁ ତ୍ରୁଟିକୁ ଛାଡ଼ି ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି ଯୁକ୍ତ୨ ପରୀକ୍ଷା । ମାଟ୍ରିକରେ ପ୍ରଶ୍ନପତ୍ର ଭାଇରାଲ୍ ଓ ସିବିଏସଇ ଦ୍ୱାଦଶ ଓ ଦଶମ ଶ୍ରେଣୀ ପ୍ରଶ୍ନପତ୍ର ଲିକକୁ ନେଇ ପରୀକ୍ଷାର୍ଥୀ ଚିନ୍ତାରେ ପଡ଼ିଥିବା ବେଳେ ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ବିଭାଗର ପରୀକ୍ଷା ସରିଛି । ତେବେ ପ୍ରାୟ ୩ ହଜାର ପରୀକ୍ଷାର୍ଥୀ କପି କରି ଧରାପଡ଼ିଛନ୍ତି । କୋଣାର୍କସ୍ଥିତ ଭଗବତୀ କଲେଜର ବାଣିଜ୍ୟ ବିଭାଗର ରେଗୁଲାର ପରୀକ୍ଷାର୍ଥୀଙ୍କୁ ଏକ୍ସ-ରେଗୁଲାର ପ୍ରଶ୍ନପତ୍ର ବଣ୍ଟନ, ଗଞ୍ଜାମ ଜିଲ୍ଲା ଗୋପାଳପୁର ଥାନା ଡୁରା କନିଷ୍ଠ କଲେଜରେ ଦୁଇ ପରୀକ୍ଷାର୍ଥୀଙ୍କ ଖାତା ଚିରା, ନକଲି କଲେଜ ବିବାଦକୁ ଛାଡ଼ି ସବୁ କିଛି ଶାନ୍ତିରେ ସରିଛି । ତଥାପି ଏପର୍ଯ୍ୟନ୍ତ ବିପଦ ଟଳିପାରି ନାହିଁ । ପରୀକ୍ଷା ଶେଷ ହୋଇଥିଲେ ମଧ୍ୟ ଖାତା ମୂଲ୍ୟାୟନ ଚିନ୍ତା ବଢ଼ିବାରେ ଲାଗିଛି ।

ଏପ୍ରିଲ ୪ରୁ ଦୁଇଟି ପର୍ଯ୍ୟାୟରେ ଖାତା ଦେଖା ଆରମ୍ଭ ହେବ। ଏପ୍ରିଲ ୪ରୁ ୧୪ ତାରିଖ ପର୍ଯ୍ୟନ୍ତ ପ୍ରଥମ ଓ ଏପ୍ରିଲ ୧୬ରୁ ୨୬ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମୂଲ୍ୟାୟନ କରାଯିବ। ବିଜ୍ଞାନ ଓ ବାଣିଜ୍ୟ ବିଭାଗର ଖାତାଗୁଡ଼ିକର ଏଥର ବି ଇ-ମୂଲ୍ୟାୟନ କରାଯିବ। ଏଥିପାଇଁ ସ୍କାନିଂ ପ୍ରକ୍ରିୟା ଆରମ୍ଭ ହୋଇଛି। ପରିଷଦର ମୁଖ୍ୟ କାର୍ଯ୍ୟାଳୟରେ ଖାତାଗୁଡ଼ିକୁ ସ୍କାନିଂ କରାଯାଇ ଇ-ମୂଲ୍ୟାୟନ କେନ୍ଦ୍ରକୁ ପଠାଇବା ଦିଗରେ ପଦକ୍ଷେପ ନିଆଯାଇଛି । ଖାତା ମୂଲ୍ୟାୟନ ପାଇଁ ୧୪ରୁ ୧୫ ହଜାର ଅଧ୍ୟାପକଙ୍କ ଆବଶ୍ୟକତା ଥିବା ବେଳେ ବ୍ଲକଗ୍ରାଣ୍ଟ ଅଧ୍ୟାପକଙ୍କ ଆନ୍ଦୋଳନ ସମସ୍ୟା ସୃଷ୍ଟି କରିଛି । ସ୍ୱୟଂଶାସିତ କଲେଜ, ଡିଗ୍ରି କଲେଜ, ମଡେଲ୍ ଡିଗ୍ରି କଲେଜ ଅଧ୍ୟାପକଙ୍କ ଦ୍ୱାରା ଖାତା ଦେଖା ଯୋଜନା କରାଯାଇଛି। ଏନେଇ ଘନ ଘନ ବୈଠକ ବି ବସୁଛି । ତଥାପି ଅଧ୍ୟାପକ ହେଉନାହାନ୍ତି । କଲେଜ ଅଧ୍ୟକ୍ଷମାନଙ୍କୁ ଖାତା ଦେଖିବାକୁ ଥିବା ଅଧ୍ୟାପକଙ୍କ ତାଲିକା ମଗାଯାଇଥିଲା । ଏବେ ସୁଦ୍ଧା ମାତ୍ର ୮,୫୦୦ ଅଧ୍ୟାପକଙ୍କ ତାଲିକା ପହଞ୍ଚିଛି । ଆଉ ଅଧ୍ୟାପକ ହେଉ ନ ଥିବାରୁ ଏବେ ଚିନ୍ତା ବଢ଼ିଛି। ସେଲ୍ଫ ଫାଇନାନ୍ସିଂ କଲେଜ ଅଧ୍ୟାପକଙ୍କୁ ସାମିଲ କରାଯିବ କି ନାହିଁ ସେନେଇ ଏପର୍ଯ୍ୟନ୍ତ ଚୂଡ଼ାନ୍ତ ନିଷ୍ପତ୍ତି ନେଇପାରୁନି ପରିଷଦ। ତଥାପି ନିର୍ଧାରିତ ସମୟରେ ଖାତା ମୂଲ୍ୟାୟନ ଆରମ୍ଭ କରି ଏପ୍ରିଲ ଶେଷ ସୁଦ୍ଧା ସାରିବାକୁ ଲକ୍ଷ୍ୟ ରଖାଯାଇଛି । ପରିଷଦର ଉପ ପରୀକ୍ଷା ନିୟନ୍ତ୍ରକ ପ୍ରବୋଧ କୁମାର ପଣ୍ଡା କହିଛନ୍ତି ଯେ ମୂଲ୍ୟାୟନ ଠିକ୍ ସମୟରେ ହେବ। ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବାକୁ ସ୍ଥିର ହୋଇଛି। ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଅଧ୍ୟାପକମାନେ ଆନ୍ଦୋଳନରୁ ଓହରିବେ ବୋଲି ଆମର ବିଶ୍ୱାସ ରହିଛି । ୫୬ଟି ମାନୁଆଲ ଓ ୨୯ଟି ଇ-ମୂଲ୍ୟାୟନ କେନ୍ଦ୍ର ପ୍ରସ୍ତୁତ ହୋଇସାରିଛି ।

ଅନ୍ୟପକ୍ଷରେ ଏବେ ବି ଜିଦିରେ ଅଡ଼ି ବସିଛନ୍ତି ଅଧ୍ୟାପକ । କୌଣସି ପରିସ୍ଥିତିରେ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି ଗତକାଲି ସ୍ପଷ୍ଟ କରିଛନ୍ତି । ଦୁଇ ଦିନ ତଳେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଅରୁଣ କୁମାର ସାହୁ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ । ଦୁଇ ଦିନ ମଧ୍ୟରେ ଦାବି ପୂରଣ ଦିଗରେ ପଦକ୍ଷେପ ନିଆଯିବ ବୋଲି କହିଥିଲେ । କିନ୍ତୁ ଆଜି ଯାଏ ମନ୍ତ୍ରୀସ୍ତରରେ କୌଣସି ବି ଆଲୋଚନା କରାଯାଇ ନାହିଁ କି ଦାବି ପୂରଣ କରାଯାଇ ନାହିଁ । ତେଣୁ ଏପ୍ରିଲ ୧ ତଥା ଉତ୍କଳ ଦିବସରେ ଅଭିନବ ପ୍ରତିବାଦ ଲାଗି ମିଳିତ ମଞ୍ଚ ସଜବାଜ ହୋଇଛି । ଆଜି ବୈଠକ ବସି ପରବର୍ତୀ ପଦକ୍ଷେପ ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି ମଞ୍ଚର ଆବାହକମଣ୍ଡଳୀ ସଦସ୍ୟ ପ୍ରକାଶ ଚନ୍ଦ୍ର ମହାନ୍ତି କହିଛନ୍ତି।