ରାଗିଂ ନେଇଗଲା ଛାତ୍ରଙ୍କ ଜୀବନ । ସମ୍ବଲପୁରର ଗଡ଼ପୋଷ ସ୍ଥିତ ବାସଭବନରେ ପହଂଚିଲା ଶ୍ରେୟଶଙ୍କ ମୃତଦେହ

26

କନକ ବ୍ୟୁରୋ: ଭାଇଜାଗ ରାଗିଂରେ ପ୍ରାଣ ହରାଇଥିବା ଶ୍ରେୟଶ କେଶରୀୱାନଙ୍କ ମୃତ ଦେହ ଆଜି ସକାଳେ ସମ୍ବଲପୁରର ଗଡ଼ପୋଷ ସ୍ଥିତ ବାସଭବନରେ ପହଂଚିଛି । ମୃତ ଦେହ ପହଂଚିବା ପରେ ଘଟଣା ସ୍ଥଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଗଡ଼ପୋଷରେ ଆଜି ବନ୍ଦ ପାଳନ କରାଯାଉଛି । ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ କ୍ଷତିପୁରଣ ଦାବିରେ ରାସ୍ତାକୁ ଓହ୍ଲାଇଛନ୍ତି ପରିବାର ଏବଂ ସ୍ଥାନୀୟ ଲୋକ ।

ଉଲ୍ଲେଖ ଯୋଗ୍ୟ କି, ଆନ୍ଧ୍ରପ୍ରଦେଶ ଭାଇଜାଗର ଶ୍ରୀଚୈତନ୍ୟ ଇନଷ୍ଟିଚ୍ୟୁଟରେ ଯୁକ୍ତ ଦୁଇରେ ପଢୁଥିଲେ ଓଡିଆ ଛାତ୍ର ଶ୍ରେୟଶ କେଶରୀୱାନ । ରାଗିଂର ଶିକାର ହେବା ପରେ ଗୁରୁତର ଅବସ୍ଥାରେ ଭର୍ତ୍ତି ହୋଇଥିଲେ । ଗତକାଲି ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଆଖି ବୁଜିଥିଲେ । ଅଭିଯୋଗ ଅନୁସାରେ ସମ୍ବଲପୁର ବମରା ଅଂଚଳ ଗୋଡପୋଷ୍ଟର ଶୈଳେସ କେଶରୱାନୀଙ୍କ ପୁଅ ଶ୍ରେୟସଙ୍କୁ ସେ ପଢୁଥିବା କଲେଜର କିଛି ଛାତ୍ର ଗତ ଡିସେମ୍ବର ମାସରେ ରାଗିଂ କରିବା ସହ ପ୍ରବଳ ମାଡ ମାରିଥିଲେ ।

ଏପରିକି ବାହାରେ ପ୍ରକାଶ କଲେ ଅବସ୍ଥା ଖରାପ ହେବ ବୋଲି ଧମକ ଚମକ ଦେଇଥିଲେ । ସେଥିପାଇଁ ବାପାଙ୍କୁ ଫୋନ କରି ବାଥରୁମରେ ଖସିପଡିଥିବା କହିଥିଲେ ଶ୍ରେୟସ । ପୁଅର ଫୋନକଲ ପାଇବା ପରେ ତାକୁ ଆଣି ରାଉରକେଲା ଆଇଜିଏଚରେ ଭର୍ତ୍ତି କରିଥିଲେ । ହେଲେ ଏଠାରେ ପରିବାର ଲୋକଙ୍କୁ ସାଥୀ ଛାତ୍ରମାନେ କିଭଳି ରାଗିଂ କରିବା ସହ ତାଙ୍କୁ ମାଡ ମାରିଥିଲେ ସେନେଇ କହିଛନ୍ତି ଶ୍ରେୟସ । ଯାହାକୁ ମୋବାଇଲ କ୍ୟାମେରାରେ ରେକର୍ଡ କରିଥିଲେ ପରିବାର ଲୋକ । ଏହି ଭିଡିଓ କନକ ନ୍ୟୁଜର ହସ୍ତଗତ ହୋଇଛି ।