ସିବିଏସଇ ପାର୍ଟନରେ କେମିତି ହେବ ଯୁକ୍ତ ଦୁଇ ପରୀକ୍ଷା : ପ୍ରକ୍ରିୟା ନେଇ ପରିଷଦ ପ୍ରସ୍ତୁତ

37

କନକ ବ୍ୟୁରୋ : ଚଳିତ ଶିକ୍ଷାବର୍ଷରେ ସିବିଏସଇ ଢାଂଚାରେ ଯୁକ୍ତ ଦୁଇ ପରୀକ୍ଷା ହେବ କି ନା ତାକୁ ନେଇ ଦ୍ୱନ୍ଦ୍ୱ। ପୂର୍ବ ବର୍ଷଗୁଡିକରେ ଦୁଇବର୍ଷରେ କେବଳ ଗୋଟିଏ ପରୀକ୍ଷା କରାଯାଉଥିବାବେଳେ ଏଥିରେ ପରିବର୍ତନ କରି ପ୍ରଥମ ବର୍ଷରେ ମଧ୍ୟ ପରୀକ୍ଷା କରାଇବାକୁ ନିଷ୍ପତି ହୋଇଥିଲା । ହେଲେ ଏପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଓ ଅଭିଭାବକ ସନ୍ଦିହାନ ଯେ, ପରୀକ୍ଷା ପଦ୍ଧତିରେ ପରିବର୍ତନ ହେବ ନା ନାହିଁ । ନୂଆ ପାଠ୍ୟକ୍ରମ ଓ ପରୀକ୍ଷା ପଦ୍ଧତି ପ୍ରସ୍ତୁତ ହୋଇସାରିଛି । ଏନେଇ ଚାରିମାସ ତଳୁ ଗଣଶିକ୍ଷା ବିଭାଗକୁ ମଧ୍ୟ ଚିଠି କରି ଜଣାଇସାରିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ । ହେଲେ ବିଭାଗୀୟ ସଚିବ କହିଛନ୍ତି ପରୀକ୍ଷା ପଦ୍ଧତିରେ କୌଣସି ପରିବର୍ତନ ହେବନାହିଁ।

ଶିକ୍ଷାର ମାନ ବୃଦ୍ଧି ସହ ଛାତ୍ରଛାତ୍ରୀମାନେ କିପରି ପରୀକ୍ଷାରେ ଭଲ ନମ୍ବର ରଖିପାରିବେ ସେଥିଲାଗି ସିବିଏସଇ ଢାଂଚାରେ ପରୀକ୍ଷା କରିବାକୁ ପୂର୍ବରୁ ନିଷ୍ପତି ନିଆଯାଇଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଏହି ପରୀକ୍ଷା ପରିଚାଳନା କରିବ । ନିଷ୍ପତି ମୁତାବକ ପ୍ରଥମ ବର୍ଷ ଛାତ୍ରଛାତ୍ରୀ ୬ଟି ବିଷୟରେ ମୋଟ ୩୦୦ ମାର୍କର ପରୀକ୍ଷା ଦେବେ । ପ୍ରତି ପେପର ୫୦ ମାର୍କ ଏବଂ ଓଏମଆର ସିଟରେ ଏହି ପରୀକ୍ଷା କରାଯିବ । ସେହିପରି ଦ୍ୱିତୀୟ ବର୍ଷ ମୋଟ ୬୦୦ ମାର୍କର ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ଏ ସଂପର୍କୀତ ଏକ ରିଜୋଲ୍ୟୁସନ ପାସ କରି ଗଣଶିକ୍ଷା ବିଭାଗକୁ ପଠାଇ ଦିଆଯାଇଥିବା କହିଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷ । ଏଥିପାଇଁ ଆବଶ୍ୟକ ଅନୁମତି ପରେ ହିଁ ଚଳିତବର୍ଷ ନୂଆ ଢାଂଚାରେ ପରୀକ୍ଷା ସମ୍ଭବ ହେବ।