ଭୁଲ ପରେ ବି ମୁହଁଟାଣ ! ସିଏଚଏସଇ ଅଧ୍ୟକ୍ଷ କହିଲେ, ମୋ କାମକୁ ଦେଖି ପାରୁନି ଗଣମାଧ୍ୟମ

49

କନକ ବ୍ୟୁରୋ : ଛାତ୍ରଛାତ୍ରୀଙ୍କୁ ଅଡୁଆରେ ପକାଇଦେଲେ ସରକାର । ୩୦ ତାରିଖରେ କେମିଷ୍ଟ୍ରୀ ପରୀକ୍ଷା । ଏହାର ମାତ୍ର ୨ ଦିନ ପରେ ସର୍ବ ଭାରତୀୟ ଜେଇଇ ପରୀକ୍ଷା । ପ୍ରଶ୍ନ ଉଠୁଛି, ଏହି ପରୀକ୍ଷା ପାଇଁ ଛାତ୍ରଛାତ୍ରୀ ମାନେ କିପରି ପ୍ରସ୍ତୁତି କରିବେ ?

ଏଭଳି ଅଭାବନୀୟ ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି ରାଜ୍ୟର ପ୍ରାୟ ଏକ ଲକ୍ଷ ଯୁକ୍ତ ୨ ପରୀକ୍ଷାର୍ଥୀ । ରସାୟନ ବିଜ୍ଞାନ ପରୀକ୍ଷା ଦେବାର ୨ ଦିନ ପରେ ଏହି ଛାତ୍ରଛାତ୍ରୀମାନେ ଜେଇଇ ମେନ୍ ପରି ଏକ ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା ଦେବେ । ପ୍ରକୃତ ପକ୍ଷରେ ସେମାନେ ପ୍ରସ୍ତୁତ ହେବାକୁ ସମୟ ବି ପାଇବେ ନାହିଁ । ଏହାକୁ ନେଇ ଛାତ୍ରଛାତ୍ରୀଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇଛି ।

ଗଣିତ ପରୀକ୍ଷାରେ ଘଟିଥିବା ଏତେ ବଡ ବିଭ୍ରାଟ ପରେ କାଉନସିଲ ଅଧ୍ୟକ୍ଷଙ୍କ ଭୂମିକାକୁ ନେଇ ଉଠିଛି ପ୍ରଶ୍ନ । ସକାଳୁ ଭୁଲ ପ୍ରଶ୍ନପତ୍ର ବାହାରିବା ନେଇ ଖବର ଜଣାପଡିବା ପରେ ବି ଯୁକ୍ତ ୨ କାଉନସିଲ୍ ନିରବ ରହିଥିଲା । ଗଣିତ ବଦଳରେ କେମିଷ୍ଟ୍ରୀ ପ୍ରଶ୍ନପତ୍ର ବାହାରିବା ପରେ ୧୬ ତାରିଖରେ ହେବାକୁ ଥିବା କେମିଷ୍ଟ୍ରୀ ପରୀକ୍ଷା ହେବ ନା ନାହିଁ ତାହାକୁ ନେଇ ଦ୍ୱନ୍ଦ୍ୱରେ ରହିଥିଲେ ଛାତ୍ରଛାତ୍ରୀ ଓ ଅଭିଭାବକ ।

ଶେଷରେ ସଂଧ୍ୟାରେ ମନ୍ତ୍ରୀ ଦେବୀ ମିଶ୍ର ଗଣମାଧ୍ୟମକୁ ୩୦ ତାରିଖରେ କେମିଷ୍ଟ୍ରୀ ପରୀକ୍ଷା ହେବାନେଇ ସୂଚନା ଦେଲେ । କିନ୍ତୁ ପୁରା ଘଟଣା ନେଇ ପରୀକ୍ଷା ନିୟନ୍ତ୍ରକଙ୍କ ମୁଣ୍ଡରେ ଦାୟିତ୍ୱ ଥିବା କହି ଅତି ହାଲୁକା ଭାବେ ପ୍ରତିକ୍ରିୟା ରଖିଛନ୍ତି ଅଧ୍ୟକ୍ଷ ସୁନ୍ଦରଲାଲ ଶିଲ୍ । ସେପଟେ ପରୀକ୍ଷା ତାରିଖ ବଦଳ ନେଇ ଗଣିତ ପରୀକ୍ଷା ସରୁ ସରୁ ଘୋଷଣା ହେବା ଉଚିତ ଥିଲା ବୋଲି ଶିକ୍ଷାବିଦ୍ ମତ ଦେଇଛନ୍ତି ।

ଯୁକ୍ତ ଦୁଇ ପରୀକ୍ଷା ପରିଚଳନାରେ ଦେଖାଦେଉଥିବା ବିଭ୍ରାଟ ପିଲାଙ୍କ ପାଇଁ ଆଶଙ୍କା ଭିତରକୁ ଠେଲି ଦେଉଛି । ସେପଟେ କାଉନସିଲ ଅଧ୍ୟକ୍ଷଙ୍କ କାର୍ଯ୍ୟଧାରା ନେଇ ମଧ୍ୟ ପ୍ରଶ୍ନ ଉଠୁଥିବା ବେଳେ ଲକ୍ଷାଧିକ ପିଲାଙ୍କ ଭବିଷ୍ୟତ ନେଇ ଉତରଦାୟିତ୍ୱ ନେବ କିଏ ?