ଉଚ୍ଚଶିକ୍ଷା ବିଭାଗରେ ଆସିବ ସ˚ସ୍କାର ! ବଦଳିବ ଯୁକ୍ତ ୩ ପାଠ୍ୟକ୍ରମ

255

କନକ ବ୍ୟୁରୋ :  ଉଚ୍ଚଶିକ୍ଷା ବିଭାଗରେ ଆସିବ ସ˚ସ୍କାର । ବିଭାଗ ଅଧୀନରେ ଥିବା ୧୧ ବିଶ୍ବବିଦ୍ୟାଳୟ କୁଳପତିଙ୍କ ସମେତ ବରିଷ୍ଠ ଅଧିକାରୀଙ୍କୁ ନେଇ ଗତକାଲି ଦିନ ତମାମ ଉଚ୍ଚଶିକ୍ଷା ପରିଷଦରେ ବୈଠକ‌ ହୋଇଥିଲା । ଏଥିରେ ମୁଖ୍ୟତଃ ୪ଟି ବିଷୟରେ ଆଲୋଚନା ହୋଇଛି । ୨୦୧୯-୨୦ ଶିକ୍ଷାବର୍ଷରୁ ସାରା ରାଜ୍ୟରେ ଯୁକ୍ତ୩ରେ ଆଦର୍ଶ ପାଠ୍ୟକ୍ରମ ଲାଗୁ ସହ ପିଜି ପାଠ୍ୟକ୍ରମରେ ନାମଲେଖା ପାଇଁ ଏକକ ପ୍ରବେଶିକା ପରୀକ୍ଷା, ପରୀକ୍ଷା ପରିଚାଳନାରେ ସଂସ୍କାର ଓ ଗବେଷଣାର ମାନ ବଢ଼ାଇବାକୁ ନିଷ୍ପତ୍ତି ହୋଇଛି ।

ଉକ୍ତ ବିଷୟଗୁଡ଼ିକୁ ଲାଗୁ କରିବା ପାଇଁ ପୂର୍ବରୁ ଏକାଧିକ ବୈଠକ ହୋଇଥିବା ବେଳେ ଏବେ ତାହାକୁ ଚୂଡ଼ାନ୍ତ ରୂପ ଦେବାକୁ ଉଦ୍ୟମ କରାଯାଇଛି।  ଶିକ୍ଷାକୁ ନିଯୁକ୍ତିଭିତ୍ତିକ କରିବା, ଜାତୀୟସ୍ତରର ପ୍ରତିଯୋଗିତାମୂଳକ ପରୀକ୍ଷାରେ ଓଡ଼ିଶାର ଛାତ୍ରଛାତ୍ରୀ ଯେମିତି ଭଲ କରିବେ, ଉଚ୍ଚତର ଗବେଷଣା ଓ ଉଚ୍ଚଶିକ୍ଷାର ଅନ୍ତର୍ଜାତୀୟକରଣ କରିବାକୁ ସ୍ଥିର ହୋଇଛି । ପ୍ରଥମତଃ ଷ୍ଟେଟ୍‌ ମଡେଲ୍‌ ଅଣ୍ଡର ଗ୍ରାଜୁଏଟ୍‌ ସିଲାବସ୍‌ ପ୍ରସ୍ତୁତ ଉପରେ ପ୍ରାଧ୍ୟାନ୍ୟ ଦିଆଯାଇଛି । ଗତ ୬ ମାସ ହେଲା ସିଲାବସ୍‌ କମିଟି ଗୁଣାତ୍ମକ ପାଠ୍ୟଖସଡ଼ା ପ୍ରସ୍ତୁତ କରିଥିବା ବେଳେ ତାହାକୁ ରିଭ୍ୟୁ ପାଇଁ ବାହାର ବିଶ୍ବବିଦ୍ୟାଳୟ ପ୍ରଫେସରମାନଙ୍କ ନିକଟକୁ ପଠାଯାଇଥିଲା ।

ସେମାନେ ରିପୋର୍ଟ ପ୍ରଦାନ କରିଛନ୍ତି । ଏବେ ତାହା ଉପରେ ଆଉ ଥରେ ବିଚାରବିମର୍ଶ କରାଯିବା ପରେ ଲାଗୁ କରିବାକୁ ସ୍ଥିର ହୋଇଛି । ଯୁକ୍ତ୩ କଲେଜରେ କେତେକ ନୂତନ ପାଠ୍ୟକ୍ରମ ଖୋଲିବ । ଏସବୁ ପାଠ୍ୟକ୍ରମରେ ଅଧ୍ୟାପକ ଓ ଅଧ୍ୟାପିକାଙ୍କୁ ଟ୍ରେନିଂ ଦିଆଯିବ । ଆସନ୍ତା ମାସ ସୁଦ୍ଧା ଯୁକ୍ତ ୩ ପାଠ୍ୟକ୍ରମର ରୂପରେଖ ଚୂଡ଼ାନ୍ତ ହେବ ବୋଲି ବୈଠକରେ ସ୍ଥିର ହୋଇଛି ।

ଦ୍ବିତୀୟତଃ ସମସ୍ତ ବିଶ୍ବବିଦ୍ୟାଳୟର ପିଜି ପାଠ୍ୟକ୍ରମରେ ନାମଲେଖା ପାଇଁ ଏକକ ପ୍ରବେଶିକା ପରୀକ୍ଷା କରିବାକୁ ନିଷ୍ପତ୍ତି ହୋଇଛି । ଏକକ ପ୍ରବେଶିକା ଲାଗି ଯୁକ୍ତ ୩ରେ ଅତି କମ୍‌ରେ ୪୫ପ୍ରତିଶତ ମାର୍କ ରହିଥିବା ନିତାନ୍ତ ଆବଶ୍ୟକ । ପିଜିର ଏକକ ନାମଲେଖା ନେଇ ଗୋଟିଏ ମେରିଟ୍‌ ଲିଷ୍ଟ ପ୍ରସ୍ତୁତ ହେବ । ତା’ପରେ ବିଶ୍ବବିଦ୍ୟାଳୟଗୁଡ଼ିକ ନିଜ ନିୟମ ଅନୁଯାୟୀ ଛାତ୍ରଛାତ୍ରୀଙ୍କ ନାମଲେଖା କରାଇବେ । ଉତ୍କଳ ବିଶ୍ବବିଦ୍ୟାଳୟ କଳା ବିଭାଗର ପ୍ରବେଶିକା ପରୀକ୍ଷା ପରିଚାଳନା କରିବାକୁ ଥିବା ବେଳେ ସମ୍ବଲପୁର ବିଶ୍ବବିଦ୍ୟାଳୟ ବିଜ୍ଞାନ ବିଭାଗ ଓ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ବାଣିଜ୍ୟ ବିଭାଗର ପ୍ରବେଶିକା ପରୀକ୍ଷା ପରିଚାଳନା କରିବେ ।

ତୃତୀୟରେ ପରୀକ୍ଷା ପରିଚାଳନାରେ ସଂସ୍କାର ଆଣିବାକୁ ସ୍ଥିର ହୋଇଛି । ସମସ୍ତ ବିଶ୍ବବିଦ୍ୟାଳୟ ନିର୍ଦ୍ଧାରିତ ସମୟରେ ଫର୍ମ ପୂରଣ, ପରୀକ୍ଷା କରିବା, ଫଳ ପ୍ରକାଶ ଦିଗରେ ପଦକ୍ଷେପ ନିଆଯିବ। ଏବେ ଠିକ୍‌ ସମୟରେ ଫଳ ବାହାରୁ ନଥିବାରୁ ଛାତ୍ରଛାତ୍ରୀଙ୍କୁ ହଇରାଣ ହେବାକୁ ପଡ଼ୁଛି। ତାହାକୁ ଦୃଷ୍ଟିରେ ରଖି ସଂସ୍କାର ଆଣିବାକୁ ସ୍ଥିର ହୋଇଛି । ଚତୁର୍ଥ‌‌ରେ ଗବେଷଣାର ମାନ ବଢ଼ାଇବାକୁ ନିଷ୍ପତ୍ତି ହୋଇଛି । ଛାତ୍ରଛାତ୍ରୀ ଯେପରି କ୍ୟାମ୍ପସରେ ଗବେଷଣା କରିବାର ସୁଯୋଗ ପାଇବେ, ସେଥିପ୍ରତି ମଧ୍ୟ ଧ୍ୟାନ ଦିଆଯିବ ।

ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ଉପାଧ୍ୟକ୍ଷ ପ୍ରଫେସର ଅଶୋକ କୁମାର ଦାସ କହିଛନ୍ତି ଯେ ଉଚ୍ଚଶିକ୍ଷା ବିଭାଗରେ ସଂସ୍କାର ପାଇଁ ଗତ ଏକ ବର୍ଷ ‌ହେଲା ପ୍ରକ୍ରିୟା ଚାଲିଛି । ୨୦୧୯-୨୦ ଶିକ୍ଷାବର୍ଷରୁ ତାହାକୁ ଲାଗୁ କରିବା ଲକ୍ଷ୍ୟ ରଖାଯାଇଛି । ଏହାଦ୍ବାରା ଓଡ଼ିଶାର ଛାତ୍ରଛାତ୍ରୀ ଜାତୀୟସ୍ତରୀୟ ପ୍ରବେଶିକା ପରୀକ୍ଷାରେ ଉନ୍ନତ ପ୍ରଦର୍ଶନ କରିପାରିବେ ।