ଚଳିତ ସପ୍ତାହରେ ପ୍ରକାଶ ପାଇବ ଯୁକ୍ତ୨ ବିଜ୍ଞାନ ଫଳ : ଜୁନ୍ ଦ୍ୱିତୀୟ ସପ୍ତାହରେ କଳା ଓ ବାଣିଜ୍ୟ ପରୀକ୍ଷା ଫଳ

231

କନକ ବ୍ୟୁରୋ : ସାଧାରଣ ନିର୍ବାଚନ ପରିଚାଳନା ସହ ଅଧ୍ୟାପକମାନଙ୍କ ଅସହଯୋଗ ମଧ୍ୟରେ ଯୁକ୍ତ୨ ବିଜ୍ଞାନ ବିଭାଗ ଖାତାଦେଖା ଶେଷ ହୋଇଛି। ରାଜ୍ୟର ୩୬ଟି ଇ-ମୂଲ୍ୟାୟନ କେନ୍ଦ୍ରରେ ବିଜ୍ଞାନ ଓ ବାଣିଜ୍ୟ ବିଭାଗର ପ୍ରାୟ ସାଢ଼େ ୭ ଲକ୍ଷ ଉତ୍ତର ଖାତା ଦେଖା ଚାଲିଥିଲା। ସେଥିମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ଆଜି ବିଜ୍ଞାନ ବିଭାଗର ପ୍ରାୟ ସାଢ଼େ ୫ ଲକ୍ଷ ଉତ୍ତର ଖାତା ଦେଖା ସରିଛି। ତେଣୁ ଆସନ୍ତା ୩ରୁ ୪ ଦିନ ମଧ୍ୟରେ ପରୀକ୍ଷାଫଳ ପ୍ରକାଶ ପାଇବ। ଯେକୌଣସି ପ୍ରକାରେ ଚଳିତ ସପ୍ତାହରେ ପରୀକ୍ଷାଫଳ ପ୍ରକାଶ କରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି।

ତେବେ ବାଣିଜ୍ୟ, କଳା ଓ ଧନ୍ଦାମୂଳକ ଶିକ୍ଷା ବିଭାଗର ଉତ୍ତର ଖାତାଗୁଡ଼ିକ ଏପର୍ଯ୍ୟନ୍ତ ଶେଷ ହୋଇ ନାହିଁ। ତେଣୁ ଉକ୍ତ ବିଭାଗଗୁଡ଼ିକର ପରୀକ୍ଷା ଫଳ ପ୍ରକାଶ ପାଇବାରେ ବିଳମ୍ବ ହେବ। ୫୮ଟି ମାନୁଆଲ ମୂଲ୍ୟାୟନ କେନ୍ଦ୍ରରେ ଏବେ ବି ଖାତାଦେଖା ଚାଲିଛି। ଆହୁରି ୪ରୁ ୫ ପ୍ରତିଶତ ଖାତାଦେଖା ଶେଷ ହୋଇ ନାହିଁ। ଏଥିପାଇଁ ୬ରୁ ୭ ଦିନ ଲାଗିବ। ତେଣୁ ଜୁନ୍ ଦ୍ବିତୀୟ ସପ୍ତାହରେ ଫଳ ପ୍ରକାଶ ପାଇବାର ସମ୍ଭାବନା ଅଧିକ ରହିଛି। ଗତବର୍ଷ ମଧ୍ୟ ଜୁନ୍ ଦ୍ବିତୀୟ ସପ୍ତାହରେ ଫଳ ପ୍ରକାଶ ପାଇଥିଲା।

ପରିଷଦର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ପରୀକ୍ଷା ଖାତା ମୂଲ୍ୟାୟନ ସମୟରେ ନିର୍ବାଚନ ହେବାରୁ ଖାତା ଦେଖା ବାଧାପ୍ରାପ୍ତ ହୋଇଥିଲା। ଯେଉଁଠାରେ ଖାତା ମୂଲ୍ୟାୟନ ହେବାର ଥିଲା ସେଠାରେ ଇଭିଏମ୍ ରଖାଯାଇଥିଲା। ଭୋଟିଂ ଲାଗି ପ୍ରସ୍ତୁତି ଚାଲିଥିଲା। ଯେଉଁ ଅଞ୍ଚଳରେ ନିର୍ବାଚନ ଥିଲା ସେଠାରେ ୪ ଦିନ ଲେଖାଏଁ ଖାତାଦେଖା ବନ୍ଦ କରିବାକୁ ପଡ଼ିଥିଲା। ଏହାରି ଭିତରେ ଅଧ୍ୟାପକମାନେ ମଧ୍ୟ ଅସହଯୋଗ କରିଥିଲେ। ଖାତା ଦେଖିବାକୁ ଆସି ନଥିଲେ। ମେ’ ପ୍ରଥମ ସପ୍ତାହରେ ସ୍ୱାଭାବିକ ସ୍ଥିତି ଫେରିଲା ବେଳକୁ ବାତ୍ୟା ‘ଫନି’ ଯୋଗୁଁ ବହୁ ଜିଲ୍ଲାରେ ଖାତାଦେଖା ପ୍ରଭାବିତ ହେଲା। ଖୋର୍ଦ୍ଧା, ପୁରୀ, କଟକ ଜିଲ୍ଲାରେ ୧୦ରୁ ୧୨ ଦିନ ପର୍ଯ୍ୟନ୍ତ ଇ-ମୂଲ୍ୟାୟନ ବନ୍ଦ ରହିଥିଲା। ବିଦ୍ୟୁତ୍ ସଂଯୋଗ ହୋଇପାରିଲା ନାହିଁ। ତେଣୁ ଏଥର ରେଜଲ୍ଟ ପ୍ରକାଶ ପାଇବାରେ ବିଳମ୍ବ ହୋଇଛି। ଗତବର୍ଷ ମେ’ ୧୯ରେ ବିଜ୍ଞାନ ବିଭାଗର ପରୀକ୍ଷା ଫଳ ପ୍ରକାଶ ପାଇଥିଲା। ଏଥର ମେ’ ଶେଷ ସୁଦ୍ଧା ଫଳ ପ୍ରକାଶ କରିବାକୁ ଲକ୍ଷ୍ୟ ରଖାଯାଇଛି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ବିଜ୍ଞାନ ବିଭାଗର ଇ-ମୂଲ୍ୟାୟନ ଆଜି ଶେଷ ହୋଇଛି। ମାର୍କ ପ୍ରୋସେସିଂ ଲାଗି ଆଉ ୨ରୁ ୩ ଦିନ ସମୟ ଲାଗିବ। ରେଜଲ୍ଟ ପ୍ରସ୍ତୁତ ଲାଗି ବୁଧବାର ପରିଷଦର ବରିଷ୍ଠ ଅଧିକାରୀ ହାଇଦ୍ରାବାଦସ୍ଥିତ ଫାର୍ମକୁ ଯିବେ। ସେଠାରେ ଦୁଇ ଦିନ ସମୟ ଲାଗିବ। ଗୁରୁବାର ରାତି ସୁଦ୍ଧା ଯଦି ସବୁ କାର୍ଯ୍ୟ ଠିକ୍ ଭାବେ ହୁଏ ତେବେ ୩୧ ତାରିଖରେ ଫଳ ପ୍ରକାଶ କରାଯିବ। ନହେଲେ ଜୁନ୍ ୧ କିମ୍ବା ୨ ତାରିଖରେ ଫଳ ପ୍ରକାଶ କରିବାକୁ ଯୋଜନା ହୋଇଛି। ତେବେ ଶୀଘ୍ର ରେଜଲ୍ଟ ପ୍ରକାଶ କରିବାକୁ ଯାଇ ଯେମିତି ଭୁଲ୍ ରେଜଲ୍ଟ ନ ହୁଏ ସେଥିପ୍ରତି ପରିଷଦ ଅଧିକ ଗୁରୁତ୍ବ ଦେଉଛି।