ଘୁଞ୍ଚିଲା ଯୁକ୍ତ୨ ପ୍ରାକ୍ଟିକାଲ ପରୀକ୍ଷା ! ପରୀକ୍ଷା ଜାନୁଆରି ୨୯ରୁ ଫେବ୍ରୁଆରି ୮ ପର୍ଯ୍ୟନ୍ତ ଚାଲିବ

26

କନକ ବ୍ୟୁରୋ : ଜାନୁଆରି ୨୫ ତଥା ଆଜିଠାରୁ ଆରମ୍ଭ ହେବାକୁ ଥିବା ଯୁକ୍ତ୨ ପ୍ରାକ୍ଟିକାଲ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି । ଏହି ପରୀକ୍ଷା ଜାନୁଆରି ୨୯ରୁ ଆରମ୍ଭ ହୋଇ ଫେବ୍ରୁଆରି ୮ ପର୍ଯ୍ୟନ୍ତ ଚାଲିବ । ଏହି ସମୟସୀମା ମଧ୍ୟରେ ଯୁକ୍ତ୨ କଲେଜଗୁଡ଼ିକ ସେମାନଙ୍କ ଛାତ୍ରଛାତ୍ରୀଙ୍କ ପ୍ରାକ୍ଟିକାଲ ପରୀକ୍ଷା କରାଇବେ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଉପ ପରୀକ୍ଷା ନିୟନ୍ତ୍ରକ ପ୍ରବୋଧ କୁମାର ପଣ୍ଡା କହିଛନ୍ତି ।

ପରିଷଦର ସୂଚନା ଅନୁଯାୟୀ ଗୁରୁବାରଠାରୁ ପ୍ରାକ୍ଟିକାଲ ପରୀକ୍ଷା ହେବାକୁ ପୂର୍ବରୁ ନିଷ୍ପତ୍ତି ହୋଇଥିଲା । ୨୨ ତାରିଖରୁ ପରୀକ୍ଷା କେନ୍ଦ୍ରଗୁଡ଼ିକୁ ପ୍ରଶ୍ନପତ୍ର ଓ ଉତ୍ତର ଖାତା ପଠାଯିବା କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ପହଞ୍ଚି ନାହିଁ । କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟା ପ୍ରତିବାଦରେ ଆଜି ଓଡ଼ିଶା ବନ୍ଦ ଥିବାରୁ ଅଧିକାଂଶ କେନ୍ଦ୍ରରେ ପ୍ରଶ୍ନପତ୍ର ଓ ଉତ୍ତର ଖାତା ପହଞ୍ଚିପାରି ନାହିଁ । କଲେଜଗୁଡ଼ିକ ବନ୍ଦ ଥିବାରୁ କର୍ତୃପକ୍ଷଙ୍କ ନିକଟରେ ଏକ୍ସଟରନାଲଙ୍କ ତାଲିକା ବି ପହଞ୍ଚି ନ ଥିବା ଜଣାପଡ଼ିଛି । ଏଭଳି ସମସ୍ୟାକୁ ଦୃଷ୍ଟିରେ ରଖି ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି । ଗୋଟିଏ ଦିନ ପରେ ଜାନୁଆରି ୨୬ ପଡ଼ୁଥିବାରୁ କଲେଜଗୁଡ଼ିକରେ ପରୀକ୍ଷା ହୋଇପାରିବ ନାହିଁ । ଏହାର ଗୋଟିଏ ଦିନ ପରେ ଅର୍ଥାତ୍‌ ଜାନୁଆରି ୨୮ ରବିବାର ପଡ଼ୁଥିବାରୁ ଛୁଟି ରହିବ । ତାହାକୁ ବିଚାରକୁ ନିଆଯାଇ ପ୍ରାକ୍ଟିକାଲ ପରୀକ୍ଷାକୁ ୨୯ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି ।

ଚଳିତ ବର୍ଷ କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ୨ ଲକ୍ଷ ୬୯ ହଜାର ଛାତ୍ରଛାତ୍ରୀ ପ୍ରାକ୍ଟିକାଲ ପରୀକ୍ଷା ଦେବେ । କଳା ବିଭାଗରେ ସର୍ବାଧିକ ଏକ ଲକ୍ଷ ୪୬ ହଜାର ୭୨୭ ପିଲା ରହିଛନ୍ତି । ବିଜ୍ଞାନରେ ୯୬ ହଜାର ୪୭ ଜଣ ଏବଂ ବାଣିଜ୍ୟରେ ପ୍ରାୟ ୨୬ ହଜାର ଛାତ୍ରଛାତ୍ରୀ ପ୍ରାକ୍ଟିକାଲ ପରୀକ୍ଷା ଦେବେ । ଏଥର ମୋଟ ୩ ଲକ୍ଷ ୬୫ ହଜାର ଛାତ୍ରଛାତ୍ରୀ ଯୁକ୍ତ୨ ପରୀକ୍ଷା ଦେଉଛନ୍ତି । ତାରିଖ ଘୁଞ୍ଚିଥିଲେ ମଧ୍ୟ ପରୀକ୍ଷାର ସୁପରିଚାଳନା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି। ପ୍ରାକ୍ଟିକାଲ ପରୀକ୍ଷା ସରିବାର ୭ ଦିନ ମଧ୍ୟରେ କଲେଜଗୁଡ଼ିକ ମାର୍କ ଫଏଲ୍‌ଗୁଡ଼ିକୁ ପରିଷଦ ନିକଟରେ ଦାଖଲ କରିବେ । ସେଗୁଡ଼ିକୁ ଯାଞ୍ଚ କରିବା ଲାଗି ସ୍ୱତନ୍ତ୍ର ମୂଲ୍ୟାୟନକାରୀ ନିୟୋଜିତ ହେବେ । ମାର୍ଚ୍ଚ ୬ରୁ ଥିଓରି ପରୀକ୍ଷା ଆରମ୍ଭ ହେବାକୁ ଥିବାରୁ ଏହାପୂର୍ବରୁ ପ୍ରାକ୍ଟିକାଲ ପରୀକ୍ଷାର ସମସ୍ତ ପ୍ରକ୍ରିୟା ଶେଷ କରିବାକୁ ଯୋଜନା ହୋଇଥିବା ଉପ ନିୟନ୍ତ୍ରକ ଶ୍ରୀ ପଣ୍ଡା କହିଛନ୍ତି ।