+୨ କଲେଜ ନାମଲେଖା ଅବଧି ବୃଦ୍ଧି ! ରଜ ଏବଂ ଇଦ ଛୁଟିକୁ ଦୃଷ୍ଟିରେ ରଖି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ବିଜ୍ଞପ୍ତି ଜାରି ।

90

ବଢ଼ିଲା +୨ ନାମଲେଖା ଅବଧିସୀମା । ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ସୁଚନା ମୁତାବକ ଆସନ୍ତା ଜୁନ ୨୨ ତାରିଖ ପର୍ଯ୍ୟନ୍ତ ଯୁକ୍ତ ଦୁଇ ପ୍ରଥମବର୍ଷ ପାଠ୍ୟକ୍ରମ ପାଇଁ ଆବେଦନ କରିପାରିବେ ଛାତ୍ରଛାତ୍ରୀ । ଗତ ଚାରିଦିନ ଧରି ରଜ ଏବଂ ଇଦ ଉତ୍ସବ ଯୋଗୁଁ ଛୁଟିଥିବାରୁ ଏଭଳି ନିଷ୍ପତ୍ତିି ନେଇଛନ୍ତି ରାଜ୍ୟ ସରକାର । ତେବେ +୨ ପ୍ରଥମ ବର୍ଷ ପାଠ୍ୟକ୍ରମରେ ନାମଲେଖା ପାଇଁ www.samsodisha.gov.in  ୱେବସାଇଟ୍ ମାଧ୍ୟମରେ ଆବେଦନ କରିପାରିବାର ସମୟ ଅବଧିକୁ ଜୁନ ୨୨ ତାରିଖ ଯାଏଁ ଘୁଞ୍ଚାଇ ଦିଆଯାଇଥିବା ବିଜ୍ଞପ୍ତି ଜରିଆରେ ପ୍ରକାଶ କରାଯାଇଛି ।

+୨ ପ୍ରଥମ ବର୍ଷ ପାଇଁ ଆବେଦନ କରିବାକୁ ବାକି ରହିଥିବା ଛାତ୍ରଛାତ୍ରୀ ମାନେ ୨୨ ତାରିଖ ପର୍ଯ୍ୟନ୍ତ ପରିବର୍ତ୍ତନ କରାଯାଇଥିବା କାର୍ଯ୍ୟସୂଚୀ ବିଷୟରେ www.samsodisha.gov.in  ୱେବସାଇଟରୁ ପାଇପାରିବେ ବୋଲି ସୁଚନା ଦିଆଯାଇଛି । ତେବେ ଗତକାଲି ରାତି ସୁଦ୍ଧା ମୋଟ ୪ଲକ୍ଷରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀ ଅନଲାଇନରେ ଆବେଦନ କରିଥିବା ବେଳେ ୪ଲକ୍ଷ ୩୨ ହଜାର ୪୩ ଜଣ ନାମ ପଞ୍ଜୀକରଣ କରିଥିବା ସୁଚନା ମିଳିଛି । ଛାତ୍ରଛାତ୍ରୀଙ୍କ ଭବିଷ୍ୟକୁ ଦୃଷ୍ଟିରେ ରଖି ଆବେଦନ ସମୟସୀମାକୁ ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।

ଏହାସହ ଜୁନ ୨୩ରେ ପ୍ରକାଶ ପାଇବାକୁ ଥିବା ପ୍ରଥମ ପର୍ଯ୍ୟାୟ କଟ-ଅଫ ମାର୍କ ତାଲିକା ଜୁନ ୨୯ରେ ପ୍ରକାଶ ପାଇବ । ସେହିପରି ଯୋଗ୍ୟ ଛାତ୍ରଛାତ୍ରୀ ଜୁଲାଇ ୨ରୁ ୫ ତାରିଖ ମଧ୍ୟରେ ସିଲେକ୍ସନ କଲେଜରେ ନାମ ଲେଖିପାରିବେ । ଅନ୍ୟପଟେ ଜୁଲାଇ ୧୦ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ କଟ୍-ଅଫ ମାର୍କ ପ୍ରକାଶ ପାଇବାକୁ ଥିବାବେଳେ ଜୁଲାଇ ୧୧ ଓ ୧୨ ତରିଖରେ ନାମଲେଖା ଆରମ୍ଭ ହେବ । ସେହିଭଳି ବଳକା ସିଟ ପାଇଁ ଜୁଲାଇ ୧୬ ତାରିଖ ରେ ସମ୍ପୂର୍ଣ୍ଣ ତଥ୍ୟ ପ୍ରକାଶ କରାଯିବ । ବଳକା ସିଟ୍ ପାଇଁ ଛାତ୍ରଛାତ୍ରୀମାନେ ଜୁଲାଇ ୧୯ରୁ ୨୧ ତାରିଖ ମଧ୍ୟରେ ନାମ ଲେଖାଇ ପାରିବେ । ଜୁଲାଇ ୨୪ ତାରିଖରୁ +୨ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ ହେବ ବୋଲି ନିର୍ଦ୍ଦେଶାଳୟ ପକ୍ଷରୁ ପୂର୍ବ ନିର୍ଦ୍ଧାରିତ କରାଯାଇଛି ।