ଟିମ୍ ଇଣ୍ଡିଆକୁ ଅଡୁଆ ରିସଭ ପନ୍ତ ! ଚିନ୍ତା ବଢାଉଛି ଖରାପ ପ୍ରଦର୍ଶନ, ସେପଟେ ମିଳିଲା କ୍ୟାପଟେନଙ୍କ ସମର୍ଥନ, ରୋହିତ କହିଲେ ପନ୍ତଙ୍କୁ ସ୍ୱାଭାବିକ ଖେଳିବାକୁ ଛାଡି ଦିଆଯାଉ ।

2,873

କନକ ବ୍ୟୁରୋ : ଟିମ୍ ଇଣ୍ଡିଆକୁ ଘାରିଲାଣି ରିଷଭ ପନ୍ତଙ୍କ ଚିନ୍ତା । ଆଗକୁ କଣ ହେବ ତାଙ୍କର ଭାଗ୍ୟ । ବାଂଲାଦେଶ ବିପକ୍ଷ ଟି ୨୦ ସିରିଜରେ ପନ୍ତଙ୍କ ଦୁର୍ବଳ ପ୍ରଦର୍ଶନ କ୍ୟାପଟେନଙ୍କ ଚିନ୍ତା ବଢାଇ ଦେଇଛି । ଏପରି ସ୍ଥିତିରେ ଆଗକୁ ପନ୍ତ ଟିମରେ ରହିବେ ନା ନାହିଁ ତାକୁ ନେଇ ଜୋର ଧରିଲାଣି ଚର୍ଚ୍ଚା । ଏହା ମଧ୍ୟରେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଓ କ୍ୟାପଟେନ୍ ରୋହିତ ଶର୍ମା ଦେଇଛନ୍ତି ପନ୍ତଙ୍କ ସାଥ୍ ।

ଟିମ୍ ଇଣ୍ଡିଆକୁ ଅଡୁଆ ରିଷଭ ପନ୍ତ । ଚିନ୍ତା ବଢାଉଛି ଖରାପ ପ୍ରଦର୍ଶନ । ବାଂଲାଦେଶ ବିପକ୍ଷ ଟି ୨୦ ସିରିଜରେ ଭାରତର ଯୁବ ୱିକେଟ୍ କିପର ରିସଭ ପନ୍ତଙ୍କ ପ୍ରଦର୍ଶନ ଦଳ ପାଇଁ ଚିନ୍ତାର କାରଣ ହେଲାଣି । ପ୍ରଥମ ଟି-୨୦ରେ ଭୁଲ୍ ଡିଆରଏସ ପାଇଁ ଚର୍ଚ୍ଚାକୁ ଆସିଥିଲେ ପନ୍ତ । ଦ୍ୱିତୀୟ ଟି-୨୦ ଭାରତ ଜିତିଥିଲେ ମଧ୍ୟ ପନ୍ତ କରିଛନ୍ତି ଆଉ ଏକ ସାଂଘାତିକ ତ୍ରୁଟି । ଯାହା କି ଅନ୍ତର୍ଜାତୀୟ କ୍ରିକେଟରେ ଦେଖିବାକୁ ମିଳେନାହିଁ । ପନ୍ତଙ୍କ ଏହି ଦୁର୍ବଳ କିପିଂ ପାଇଁ ଭାରତ ଏକ ଷ୍ଟମ୍ପିଂର ସୁଯୋଗ ହାତଛଡା କରିଥିଲା ।

ରାଜକୋଟ୍ ଟି-୨୦ରେ ଷଷ୍ଠ ଓଭରରେ ଲିଟନ୍ ଦାସ, ଚହଲଙ୍କୁ ବଡ ସର୍ଟସ୍ ମାରିବାକୁ କ୍ରିଜ ବାହାରକୁ ଆସିଯାଇଥିଲେ । ୱିକେଟ୍ ପଛରେ ପନ୍ତଙ୍କ ପାଖରେ ଥିଲା ଷ୍ଟମ୍ପିଂ କରିବାର ବଡ ସୁଯୋଗ । ହେଲେ ପନ୍ତ ବଲ୍ ସଂଗ୍ରହ କରି ଷ୍ଟମ୍ପିଂ କଲା ବେଳକୁ ତାଙ୍କର ଗ୍ଲୋଭସ୍ ଷ୍ଟମ୍ପ ଲାଇନକୁ ପାର୍ କରି ଆସିଥିଲା । ଯେଉଁଥି ପାଇଁ ଭାରତ ହରାଇଥିଲା ଷ୍ଟମ୍ପିଂ ସୁଯୋଗ ।

ପନ୍ତଙ୍କ ଏପରି ଦୁର୍ବଳ ପ୍ରଦର୍ଶନ ଭିତରେ ଚର୍ଚ୍ଚା ହେଉଛି ପନ୍ତଙ୍କୁ ଧୋନୀଙ୍କ ଠାରୁ କୋଚିଂର ଆବଶ୍ୟକତା ରହିଛି । ଧୋନୀ ହିଁ ତାଙ୍କ ସମସ୍ୟାକୁ ସୁଧାରି ପାରିବେ । କାରଣ ପନ୍ତଙ୍କୁ ହିଁ ଧୋନୀଙ୍କ ଉତ୍ତରାଧିକାରୀ ବୋଲି ବିଚାର କରାଯାଉଛି । ହେଲେ ପନ୍ତ ନା ବ୍ୟାଟିଂରେ ନା ୱିକେଟ୍ ରକ୍ଷଣରେ, କୌଣସି ଥିରେ କିନ୍ତୁ ସଫଳ ହେଉନାହାନ୍ତି । କହିବାକୁ ଗଲେ ବାରମ୍ୱାର କରୁଥିବା ଭୁଲରୁ କିଛି ଶିଖୁନାହାନ୍ତି ସେ ।

ଆଉ ଏପରି ସମୟରେ ରିସଭ ପନ୍ତଙ୍କୁ ମିଳିଛି କ୍ୟାପଟେନ୍ ରୋହିତ ଶର୍ମାଙ୍କ ସମର୍ଥନ । ରୋହିତ କହିଛନ୍ତି ପନ୍ତଙ୍କ ବିଷୟରେ ସମସ୍ତେ ସବୁ ଚର୍ଚା ବନ୍ଦ କରନ୍ତୁ । ତାଙ୍କୁ ତାଙ୍କ ସ୍ୱଭାବିକ ଖେଳ ଖେଳିବାକୁ ଛାଡି ଦିଆଯାଉ । ଖୁବଶୀଘ୍ର ପଡିଆରେ ତାଙ୍କର ସ୍ୱଭାବିକ ଖେଳ ସେ ଦେଖାଇ ପାରିବେ ।

ସେପଟେ ରିସଭଙ୍କ ସମର୍ଥନରେ ପ୍ରତିକ୍ରିୟା ରଖିଛନ୍ତି ରୋହିତ । ଏବଂ ଗାଙ୍ଗୁଲି କହିଛନ୍ତି ପନ୍ଥଙ୍କୁ ସମୟ ଦିଆଯାଉ । ଅନ୍ତର୍ଜାତୀୟ ମ୍ୟାଚରେ ବାରମ୍ୱାର ତ୍ରୁଟି କରୁଥିବା ରିସଭ ପନ୍ତଙ୍କ ପାଇଁ ବଡ ସମର୍ଥକ ଭାବେ ଠିଆ ହୋଇ ପନ୍ତଙ୍କ ଉପରେ ବଡ ବିଶ୍ୱାସ ଦେଖାଇଛନ୍ତି କ୍ୟାପଟେନ୍ ରୋହିତ ଶର୍ମା । ସେପଟେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି କହିଛନ୍ତି ପନ୍ତଙ୍କୁ ଅଧିକ ସମୟ ଦିଆଯିବା ଆବଶ୍ୟକ । ଅଧିକ ମ୍ୟାଚ୍ ଖେଳିଲେ ଅଧିକ ପରିପକ୍ୱ ହେବେ ପନ୍ତ ।