ଦୃଢ଼ ମନୋବଳ ଆଗରେ ହାର ମାନିଲା ଅର୍ଥାଭାବ : ବିନା ବକ୍ସିଙ୍ଗ ଗ୍ଲଭସ୍ ରେ ପ୍ରଶିକ୍ଷଣ ନେଇ ଅମିତ ଜିତିଲେ ସ୍ୱର୍ଣ୍ଣ

65

‘ଥ୍ରୋଇଂଗ ଇନ୍ ଦି ଟାୱଲ’ ଏହି ବାକ୍ୟ ସହିତ ପାଖାପାଖି ସମସ୍ତ ବକ୍ସର ବା ମୁଷ୍ଟିଯୋଦ୍ଧା ପରିଚିତ ଥିବେ । ଏହି ବାକ୍ୟର ଅର୍ଥ ପରାଜୟକୁ ସ୍ୱୀକାର କରିନେବା । କିନ୍ତୁ ଅମିତ ପଙ୍ଘଲଙ୍କ ପାଇଁ ଏହି ଶବ୍ଦର କୈାଣସି ଅର୍ଥ ନାହିଁ । ହାର ମାନି ନଥିବା ଅମିତ ଶନିବାର ଦିନ ଏସିଆନ୍ ଗେମ୍ ରେ ସ୍ୱର୍ଣ୍ଣ ଜିତି ଏହା ସାବ୍ୟସ୍ତ କରିଦେଇଛନ୍ତି । ସ୍ୱର୍ଣ୍ଣ ଜିତିବା ପରେ ଅମିତଙ୍କ ଭାଇ ଅଜୟ ପଙ୍ଘଲ ତାଙ୍କ ସଂଘର୍ଷକୁ ମନେପକାଇ କହିଛନ୍ତି କି, ଯେବେ ଏହି ଚାଷୀ ପରିବାରର ଆର୍ଥିକ ଅବସ୍ଥା ଠିକ୍ ନଥିଲା, ସେତେବେଳେ ଅମିତ ବିନା ବକ୍ସିଙ୍ଗ ଗ୍ଲଭସ୍ ରେ ନିଜର ଟ୍ରେନିଙ୍ଗ କରୁଥିଲେ ।

ହରିୟାଣାର ରୋହତକ ଜିଲ୍ଲାର ମୈନା ଗାଁର ନିବାସୀ ଅମିତଙ୍କ ପିତା ବିଜେନ୍ଦର ସିଂହ ଜଣେ ସାଧାରଣ କୃଷକ, ଯିଏ ନିଜର ୧ ଏକର ଜମିରେ ଗହମ ଓ ବାଜରା ଚାଷ କରନ୍ତି । ତାଙ୍କର ଆର୍ଥିକ ପରିସ୍ଥିତି କେବେ ବି ଠିକ୍ ନଥିଲା । ସେଥିପାଇଁ ଅମିତଙ୍କ ବଡ ଭାଇ ଅଜୟ ପିଙ୍ଘଲ ବକ୍ସିଙ୍ଗ ଛାଡିଦେଇଥିଲେ । ତାଙ୍କ ବଡ଼ ଭାଇ ଆଜି ସେନାରେ ଅଛନ୍ତି ।

ବକ୍ସିଙ୍ଗ ପାଇଁ ଅମିତଙ୍କ ଇଚ୍ଛା ଶକ୍ତି ଏତେ ଦୃଢ଼ ଥିଲା ଯେ, ସେ ବିନା ବକ୍ସିଙ୍ଗ ଗ୍ଲଭସ୍ ରେ ୬ ମାସ ପର୍ଯ୍ୟନ୍ତ ଟ୍ରେନିଙ୍ଗ କରିଥିଲେ । ତାଙ୍କର ବକ୍ସିଙ୍ଗ ଗ୍ଳଭସ୍ ଛିଣ୍ଡି ଯାଇଥିଲା ଓ ନୂଆ କିଣିବା ପାଇଁ ତାଙ୍କ ପାଖରେ ଟଙ୍କା ନଥିଲା । ତଥାପି ବି ସେ ହାର ମାନି ନଥିଲେ । ଏହି ସମସ୍ତ ଚ୍ୟାଲେଂଜ ସତ୍ୱେ ଅମିତ କଠିନ ପରିଶ୍ରମ କରି ନିଜ ଦୃଢ଼ ମନୋବଳ ଯୋଗୁଁ ବଡ଼ ବଡ଼ ବକ୍ସରଙ୍କୁ ହରାଇ ସ୍ୱର୍ଣ୍ଣ ହାସଲ କଲେ । ବେଳେବେଳେ ଅମିତ ଖାଲି ପେଟରେ ମଧ୍ୟ ଟ୍ରେନିଙ୍ଗ ନେଇଛନ୍ତି ଓ ବିଜୟ ହାସଲ କରିଛନ୍ତି ।