ରାଜଧାନୀର ଗଳିକନ୍ଦି, ସାହି, ବସ୍ତିରେ ପ୍ଲେ’ ସ୍କୁଲ ! ମନଇଚ୍ଛା ଆଦାୟ ହେଉଛି ମୋଟା ଅଙ୍କର ଫି’

173

କନକ ବ୍ୟୁରୋ : ରାଜଧାନୀରେ ଛତୁ ଫୁଟିଲା ପରି ଖୋଲୁଛି ଘରୋଇ ପ୍ଲେ’ ସ୍କୁଲ । ପିଲାଙ୍କ ନାମଲେଖା ହେଉଛି । ପାଠପଢ଼ା ବି ଚାଲୁଛି । ଖେଳକୁଦ ଶିଖାଯାଉଛି । ହେଲେ ପ୍ଲେ’ ସ୍କୁଲଗୁଡ଼ିକରେ କିଭଳି ଶିକ୍ଷା ଓ ତାଲିମ୍‌ ଦିଆଯାଉଛି, ସେଗୁଡ଼ିକର ତଦାରଖ ହେଉନି କି ଯାଞ୍ଚ କରାଯାଉନାହିଁ । ସବୁ କିଛି କେବଳ କାଗଜକଲମରେ ଅଟକି ରହିଛି । ୨୦୧୭ରୁ କେନ୍ଦ୍ର ସରକାର ପ୍ଲେ’ ସ୍କୁଲ ପରିଚାଳନା ପାଇଁ ଗାଇଡ୍‌ଲାଇନ୍ ଜାରି କରି ସାରିଛନ୍ତି । ସେହି ଆଧାରରେ ରାଜ୍ୟ ସରକାରଙ୍କୁ ଗାଇଡ୍‌ଲାଇନ୍‌ ପ୍ରସ୍ତୁତ କରିବାକୁ କୁହାଯାଇଛି । ହେଲେ ଏଥିପ୍ରତି କାହାର ଧ୍ୟାନ ନାହିଁ । କେନ୍ଦ୍ର ସରକାରଙ୍କ ପକ୍ଷରୁ ବାରମ୍ବାର ତାଗିଦ୍‌ ଓ ଚିଠି ପରେ ବି ପ୍ଲେ’ ସ୍କୁଲ ଉପରେ ଲଗାମ ଲଗା ଯାଇପାରୁନି ।

ମନଇଚ୍ଛା ଖୋଲି ଚାଲିଛି ପ୍ଲେ’ ସ୍କୁଲ । ସହରର ଗଳିକନ୍ଦି, ସାହି, ବସ୍ତିରେ ସରକାରୀ ପ୍ଲେ’ ସ୍କୁଲ(ଅଙ୍ଗନବାଡ଼ି) ଚାଲୁ ରହିଛି । ସେଗୁଡ଼ିକର ଭିତ୍ତିଭୂମି ଭଲ ନଥିବାରୁ ଅଭିଭାବକମାନେ ସେମାନଙ୍କ ପିଲାଙ୍କ ପ୍ରାଥମିକ ଶିକ୍ଷା ପାଇଁ ଘରୋଇ ପ୍ଲେ-ସ୍କୁଲ ଉପରେ ନିର୍ଭର କରୁଛନ୍ତି । ଆଉ ଏହାର ଫାଇଦା ନେଇ ସହରରେ ମାଳମାଳ ଘରୋଇ ପ୍ଲେ’ ସ୍କୁଲ ଖୋଲୁଛି । କେଉଁଠି ଭଡ଼ା ଘରେ ପ୍ଲେ’ ସ୍କୁଲ ଖୋଲାଯାଉଛି ତ ଆଉ କେଉଁଠି ଦୁଇ ମହଲା ଉପରେ ଚାଲୁଛି । କୋଠରିଗୁଡ଼ିକ ଛୋଟ ହେଉ ଅଥବା କୋଠା ଭଲ ନ ଥାଉ, ସେଥିପ୍ରତି ସ୍କୁଲ ପରିଚାଳକ ତଥା ମାଲିକଙ୍କ କିଛି ଯାଏଆସେ ନାହିଁ ।

ଅର୍ଥ ‌ରୋଜଗାର ଲାଳସାରେ ସେମାନେ ପିଲାଙ୍କ ଜୀବନକୁ ବାଜି ଲଗାଉଛନ୍ତି । ପିଲାଙ୍କ ପ୍ରାଥମିକ ଶିକ୍ଷା ପ୍ରତି ସେତେଟା ଗୁରୁତ୍ବ ଦେଉନାହାନ୍ତି । ନାମକରା ପ୍ଲେ’ ସ୍କୁଲରେ ବି ସୁରକ୍ଷା ପ୍ରତି ଧ୍ୟାନ ଦିଆଯାଉ ନଥିବା ବିଭିନ୍ନ ସମୟରେ ଅଭିଭାବକମାନେ ଅଭିଯୋଗ କରୁଛନ୍ତି । ମିଳିଥିବା ତଥ୍ୟ ଅନୁଯାୟୀ, ପ୍ରତିବର୍ଷ ଭୁବନେଶ୍ବରରେ ପ୍ରାୟ ୧୫ ହଜାର ଛାତ୍ରଛାତ୍ରୀ ଘରୋଇ ପ୍ଲେ’ ସ୍କୁଲରେ ନାମ ଲେଖାଉଛନ୍ତି । ‌ନାମଲେଖା ବାବଦରେ ମୋଟା ଅଙ୍କର ଅର୍ଥ ବି ନେଉଛନ୍ତି ଘରୋଇ ସ୍କୁଲ କର୍ତୃପକ୍ଷ । କେଉଁଠି ନାମଲେଖା ଫି’ ବାବଦରେ ୧୦ ହଜାର ନିଆଯାଉଛି ତ ଆଉ କେଉଁଠି ୩୦ ହଜାର ଟପି ଯାଉଛି ।

ମାସକୁ ମାସ ମଧ୍ୟ ଏକ ହଜାରରୁ ଆରମ୍ଭ କରି ୪ ହଜାର ଟଙ୍କା ପର୍ଯ୍ୟନ୍ତ ଫି’ ନିଆଯାଉଛି। ଏ ପର୍ଯ୍ୟନ୍ତ ଫି’ ଷ୍ଟ୍ରକଚର୍‌ କିଛି କରାଯାଇ ନାହିଁ । ଯାହାର ଭରପୂର ଫାଇଦା ନେଉଛନ୍ତି ସ୍କୁଲ ମାଲିକ । ସବୁଠାରୁ ବଡ଼ କଥା ହେଉଛି ଯେ ଭୁବନେଶ୍ବରରେ କେତେ ଘରୋଇ ପ୍ଲେ-ସ୍କୁଲ ରହିଛି ତାହାର ତଥ୍ୟ କାହା ପାଖରେ ନାହିଁ । ଦୁଇ ଦିନ ତଳେ ଆସର୍‌ ପକ୍ଷରୁ ପ୍ରକାଶିତ ତଥ୍ୟରେ ଦେଖିବାକୁ ମିଳିଛି ଯେ ୪ ବର୍ଷ ବୟସର ରାଜ୍ୟର ୫୫.୫ ପ୍ରତିଶତ ପିଲା ଅଙ୍ଗନବାଡ଼ିରେ ପଢ଼ୁଛନ୍ତି ।

ଏହି ବୟସର ୭.୧ ପ୍ରତିଶତ ପିଲା‌ ଘରୋଇ ପ୍ଲେ’ ସ୍କୁଲରେ ପଢ଼ୁଛନ୍ତି । ସେହିପରି ୫ ବର୍ଷ ବୟସର ୭.୮ପ୍ରତିଶତ ପିଲା ଘରୋଇ ପ୍ଲେ’ ସ୍କୁଲ ଯାଉଛନ୍ତି । ଏଲ୍‌କେଜି ଓ ୟୁକେଜି ଶ୍ରେଣୀରେ ନାମ ଲେଖାଉଛନ୍ତି । ଗତ ୫ ବର୍ଷ ତଳେ ଘରୋଇ ପ୍ଲେ’ ସ୍କୁଲ ପ୍ରତି ଯେଉଁଭଳି ଡିମାଣ୍ଡ ରହିଥିଲା, ଏବେ ତାହା ବୃଦ୍ଧି ଘଟିଥିବା ଜଣାପଡ଼ିଛି । ପିଲାମାନଙ୍କ ଭବିଷ୍ୟତ ପାଇଁ ଅଭିଭାବକମାନେ ଘରୋଇ ପ୍ଲେ-ସ୍କୁଲକୁ ପ୍ରଥମ ପସନ୍ଦ ଭାବେ ଗ୍ରହଣ କରୁଛନ୍ତି ।

ଘରୋଇ ପ୍ଲେ-ସ୍କୁଲ ଉପରେ ଲଗାମ ଲଗାଇବା ପାଇଁ ୨୦୧୭-୧୮ ଶିକ୍ଷାବର୍ଷରେ ରାଜ୍ୟ ସରକାର ଅଣ୍ଟା ଭିଡ଼ିଥିଲେ ।  ବିଶେଷଜ୍ଞ କମିଟି କରି ଗାଇଡ୍‌ଲାଇନ୍‌ ପାଇଁ ଡ୍ରାଫ୍ଟ ମଧ୍ୟ ପ୍ରସ୍ତୁତ କରିଥିଲେ । କ’ଣ ହେଲା କେଜାଣି, ଏ ପର୍ଯ୍ୟନ୍ତ ତାହା ଲାଗୁ ହୋଇପାରିଲା ନାହିଁ । ନାଲିଫିତା ତଳେ ରହିଯାଇଛି ଗାଇଡ୍‌ଲାଇନ୍‌ । ଡ୍ରାଫ୍ଟରେ କୁହାଯାଇଛି ଯେ ପ୍ଲେ’ ସ୍କୁଲରେ ୩ ବର୍ଷରୁ କମ୍‌ ବୟସର ପିଲାଙ୍କ ନାମଲେଖା ହୋଇପାରିବ ନାହିଁ । ପ୍ରତି ୨୦ ଜଣ ପିଲାଙ୍କ ପାଇଁ ଜଣେ ଲେଖାଏ ଶିକ୍ଷକ ଓ କେୟାର ଟେକର ରହିବା ନିତାନ୍ତ ଜରୁରୀ ।

ଏଥିସହ ନାମଲେଖା ଶେଷ ହେବାର ଗୋଟିଏ ମାସ ମଧ୍ୟରେ ଅଭିଭାବକ-ଶିକ୍ଷକ କମିଟି ଗଠନ କରାଯିବ । ଏଥିରେ ୭୫ ପ୍ରତିଶତ ଅଭିଭାବକ ଓ ୨୫ ପ୍ରତିଶତ ଶିକ୍ଷକ ରହିବେ। ପ୍ରତି ମାସରେ ଅଭିଭାବକ-ଶିକ୍ଷକଙ୍କ ବୈଠକ ବସିବ । କୌଣସି ପ୍ଲେ’ ସ୍କୁଲ ହଠାତ୍‌ ବନ୍ଦ ହେବ ନାହିଁ। ଉପରିସ୍ଥ ଅଧିକାରୀଙ୍କଠାରୁ ଅନୁମତି ଆଣିବାକୁ ପଡ଼ିବ । ୨୦୧୮ ଜାନୁଆରି ମାସରେ ଏଭଳି ଡ୍ରାଫ୍ଟ ପ୍ରସ୍ତୁତ କରିଥିଲା ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ କଲ୍ୟାଣ ବିଭାଗ । କିନ୍ତୁ ତାହା ଆଜି ପର୍ଯ୍ୟନ୍ତ ଲାଗୁ ହୋଇପାରି ନାହିଁ । ବିଭାଗୀୟ ମନ୍ତ୍ରୀ ଓ ସଚିବ ବାରମ୍ବାର କହୁଛନ୍ତି ଖୁବ୍‌ଶୀଘ୍ର ଗାଇଡ୍‌ଲାଇନ୍‌ ଜାରି ହେବ ।