ମାଲକାନଗିରିରେ ଆଦିବାସୀ ପିଲାଙ୍କ ପାଇଁ ପ୍ଲେ ସ୍କୁଲ୍ ! ନାଚଗୀତ ମାଧ୍ୟମରେ ଚାଲିଛି ଶିକ୍ଷାଦାନ

66

କନକ ବ୍ୟୁରୋ : ଦେଶରେ ପ୍ରାୟ ସମସ୍ତ ବଡ ବଡ ସହରରେ ବଡ ବଡିଆଙ୍କ ପିଲାଙ୍କ ପାଠ ପଢା ଲାଗି ହୋଇଥାଏ ପ୍ଲେ ସ୍କୁଲ । ତେବେ ଏମିତି ଏକ ପ୍ଲେ ସ୍କୁଲ ଅଛି, ଯେଉଁଠି କେବଳ ଆଦିବାସୀଙ୍କ ପିଲା ମାନେ ପାଠ ପଢୁନ୍ତି । ନାଚଗୀତ ମାଧ୍ୟମରେ ପିଲା ମାନେ ପାଠପଢୁ ଥିବା ସହ ସେମାନଙ୍କୁ ରନ୍ଧା ଖାଦ୍ୟ ମଧ୍ୟ ଯୋଗାଇ ଦିଆ ଯାଉଛି । ତେବେ ଏହା କୌଣସି ସହରର କଥା ନୁହେଁ ଏହା ମାଲକାନଗିରି ଜିଲ୍ଲାର ଏକ ଆଙ୍ଗନଓାଡି କେନ୍ଦ୍ର କଥା । ଯେଉଁଠି ଆଧୁନିକ ପ୍ଲେ ସ୍କୁଲ ଢଙ୍ଗରେ ପିଲାଙ୍କୁ ପ୍ରାକ ବିଦ୍ୟାଳୟ ଶିକ୍ଷାଦାନ କରା ଯାଉଛି ।

ଚାଲିଛି କୁନି କୁନି ପିଲାଙ୍କ ପାଠ ପଢା । ନାଚଗୀତ ମାଧ୍ୟମରେ ଚାଲିଛି ଶିକ୍ଷାଦାନ । ଜିଲ୍ଲାର ଦୁର୍ଗମ ବଦିଲି ଆଙ୍ଗନଓାଡି କେନ୍ଦ୍ରରେ ଭିନ୍ନ ଭିନ୍ନ ଗୀତ ମାଧ୍ୟମରେ ପିଲାଙ୍କୁ ପାଠ ପଢାଉଛନ୍ତି ଅଙ୍ଗନୱାଡି ଦିଦି । ପିଲାଙ୍କ ଶାରିରୀକ, ମାନସିକ, ସାମାଜିକ ଓ ଭୌତିକ ବିକାଶ ଲାଗି ନ୍ୟୁ ଅରୋନିମା ଯୋଜନା ପ୍ରଣୟନ କରି ୧୨ ମାସରେ ୧୨ ଟି ଗୀତ ପ୍ରସ୍ତୁତ କରିଛି ରାଜ୍ୟ ମହିଳା ଓ ଶିଶୁ କଲ୍ୟାଣ ବିଭାଗ । କେବେଳ ନାଚଗୀତ ଖେଳକୁଦ ନୁହଁ ବରଂ ପିଲାଙ୍କ ଖାଇବା ପିଇବା, ପରିଷ୍କାର ପରିଚ୍ଛନ୍ନତା ଉପରେ ବେଶ ଗୁରତ୍ୱ ଦେଉଛନ୍ତି ବଦିଲି ଆଙ୍ଗନଓାଡି ଦିଦି ସୁଲେଖା ସରକାର ।

ମାଲାକନଗିରି ଜିଲ୍ଲାରେ ମୋଟ ୧୨୫୦ ଟି ଅଙ୍ଗନୱାଡି କେନ୍ଦ୍ର ରହିଛି । ନ୍ୟୁ ଆରୋନିମା ଯୋଜନାରେ ୩ ରୁ ୬ ବର୍ଷ ଯାଏଁ ସମସ୍ତ ପିଲାଙ୍କୁ ଆଙ୍ଗନଓାଡି କେନ୍ଦ୍ରରେ ଏପରି ଅଡିଓ ଓ ଭିଡିଓ କ୍ଲିପିଙ୍ଗ ମାଧ୍ୟମରେ ଇଂରାଜି ପ୍ଲେ ସ୍କୁଲ ପରି ବହି ବସ୍ତାନି ଜରିଆରେ ପାଠ ପଢାଇବା ଲାଗି ସରକାରୀ ବ୍ୟବସ୍ଥା ରହିଛି । କିନ୍ତୁ କାଁ ଭାଁ କିଛି ଆଙ୍ଗନଓାଡି କେନ୍ଦ୍ରକୁ ବାଦ ଦେଲେ ସବୁଠି ନ୍ୟୁ ଅରୋନିମା ଯୋଜନା ଚାଲିଛି କେବଳ କାଗଜ କାଲମରେ । ଯେଉଁଥି ପାଇଁ ସହରାଂଚଳ ପିଲାଙ୍କ ପରି ଆଦିବାସୀ ଅଂଚଳର ପିଲାଙ୍କ ମାନସିକ ବିକାଶ ହୋଇପାରୁ ନାହିଁ । କେବଳ ମାଲକାନଗିରି ଜିଲ୍ଲା ନୁହଁ ବରଂ ରାଜ୍ୟର ଅଧିକାଂଶ ଆଙ୍ଗନଓାଡି କେନ୍ଦ୍ରରେ ନ୍ୟୁ ଅରୋନିମାର କାର୍ଯ୍ୟକାରିତା ନେଇ ସନ୍ଦେହ ପ୍ରକାଶ ପାଇଥିବା ବେଳେ ଏହି ଯୋଜନା ନେଇ ଅନ୍ଧାରରେ ଅବିଭାଭକ ।