ଗାନ୍ଧୀ ଜୟନ୍ତୀରୁ ପ୍ଲାଷ୍ଟିକକୁ ନା: କାଲିଠାରୁ କଡ଼ା ପ୍ଲାଷ୍ଟିକ୍ କଟକଣା, ପ୍ଲାଷ୍ଟିକ୍ ଫ୍ୟାକ୍ଟ୍ରିରେ ଝୁଲିବ ତାଲା ।

544

କନକ ବ୍ୟୁରୋ: ମୂଳୁ ମାଇଲେ ଯିବ ସରି ଦେବଙ୍କ ସଙ୍ଗେ କିମ୍ପା କଳି ! ଏ ଅର୍ଥର ମୂଲ୍ୟବୋଧ ବୁଝାଇଛନ୍ତି ରାଜ୍ୟ ସରକାର । କାରଣ ଆସନ୍ତାକାଲିଠୁ ସାରା ରାଜ୍ୟକୁ ପ୍ଲାଷ୍ଟିକମୁକ୍ତ କରିବାକୁ କଡ଼ା ଆଇନ୍ ଲାଗୁ ହେବାକୁଥିବାବେଳେ ପ୍ଲାଷ୍ଟିକ୍ ପ୍ରସ୍ତୁତ ହେଉଥିବା କାରଖାନାର କବାଟ ବନ୍ଦ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଆଉ ଏନେଇ ରାଜ୍ୟର ମହାନଗର ଓ ପୌରପାଳିକା ଗୁଡ଼ିକକୁ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଚିଠି ଲେଖାଯାଇଛି ।

ଆସନ୍ତାକାଲି ଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ଅବସରରେ ସାରା ଦେଶରେ ଏହି ନିୟମ କଡ଼ାକଡ଼ି ପାଳନ ହେବାକୁଥିବାବେଳେ ରାଜ୍ୟ ସରକାର ମଧ୍ୟ ଏନେଇ ଗୁରୁତ୍ୱାରୋପ କରିଛନ୍ତି । ତେଣୁ ପଲିଥିନ୍ ବ୍ୟାଗ୍, ପ୍ଲାଷ୍ଟିକ୍ ବୋତଲ ଆଉ ପ୍ଲାଷ୍ଟିକ୍ ବ୍ୟାଗ ଭଳି ୟୁଜ୍ ଆଣ୍ଡ୍ ଥ୍ରୋ ପ୍ଲାଷ୍ଟିକ୍ ସାମଗ୍ରୀ ବ୍ୟବହାର ଉପରେ କଡ଼ା କଟକଣା ଲାଗାଇଛନ୍ତି ରାଜ୍ୟ ସରକାର । ତେବେ ଯଦି ଏନେଇ କୌଣସି ଅଞ୍ଚଳରେ ବେଆଇନ୍ ଭାବେ ପ୍ଲାଷ୍ଟିକ୍ କିମ୍ବା ପଲିଥିନ୍ ବ୍ୟବହାର କରାଯାଏ ତେବେ ଏନେଇ କଡ଼ା କାର୍ଯ୍ୟାନୁଷ୍ଠାନ ସହ ଜରିମାନା ମଧ୍ୟ ଲଗାଯିବ ବୋଲି ଚିଠିରେ ଉଲ୍ଲେଖ ରହିଛି ।

ଅନ୍ୟପଟେ ଏହି ପ୍ଲାଷ୍ଟିକ୍ ମୁକ୍ତ ଅଭିଯାନକୁ କିଭଳି ସଫଳରୂପେ କାର୍ଯ୍ୟକାରୀ କରାଯାଇପାରିବ ସେନେଇ ସମସ୍ତ ଜିଲ୍ଲାପାଳଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ଆଉ ମହାନଗର ଓ ପୌରପାଳିକା ଅଧିନରେ ପ୍ଲାଷ୍ଟିକ୍ ପ୍ରସ୍ତୁତ କରଯାଉଥିବା କାରଖାନାକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆଉ ସେଥିପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ତରଫରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି । ଯାହାର ନିୟମ ଉଲ୍ଲଂଘନ କରୁଥିବା ପ୍ଲାଷ୍ଟିକ୍ କାରଖାନା ଗୁଡ଼ିକରେ ତାଲା ଝୁଲାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର ।