ଆଜିଠାରୁ ରାଜ୍ୟରେ ପ୍ଲାଷ୍ଟିକ ବ୍ୟବହାର କଲେ ଗଣିବେ ଜୋରିମାନା

ରାଜ୍ୟର ୫ଟି ମହାନଗର ନିଗମ ଓ ପୁରୀ ସହରାଞ୍ଚଳରେ ପ୍ଲାଷ୍ଟିକ୍ ବିକ୍ରି

124

କନକ ବ୍ୟୁରୋ : ରାଜ୍ୟର ୫ଟି ମହାନଗର ନିଗମ ଓ ପୁରୀ ସହରାଞ୍ଚଳରେ ପ୍ଲାଷ୍ଟିକ୍ ବିକ୍ରି, ବ୍ୟବହାରକୁ ସରକାର ନିଷେଧ ଘୋଷଣା କରିଛନ୍ତି। ଆଜିଠାରୁ ଏହା କଡ଼ାକଡ଼ି ଭାବେ କାର୍ଯ୍ୟକାରୀ ହେବ। ଏଥିପାଇଁ ସମସ୍ତ ମହାନଗର ଓ ପୁରୀ ସହରାଞ୍ଚଳରେ ସ୍ବତନ୍ତ୍ର ସ୍କ୍ୱାର୍ଡ ଗଠନ କରାଯାଇଛି। ସ୍କ୍ବାଡ୍ ପ୍ଲାଷ୍ଟିକ ବ୍ୟବହାରକାରୀଙ୍କୁ ଧରିବ ଏବଂ ସେମାନଙ୍କଠାରୁ ଧାର୍ଯ୍ୟ ଜରିମାନା ଆଦାୟ କରିବ। ଆବଶ୍ୟକ ସ୍ଥଳେ ଜେଲଦଣ୍ଡ ପାଇଁ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।

 

ଏଥିପାଇଁ ଜଙ୍ଗଲ ଓ ପରିବେଶ ବିଭାଗ ସବୁ ବିଭାଗ ସହିତ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ପୁଲିସ, ୫ଟି ମହାନଗର ନିଗମର କମିସନର ଓ ପୁରୀ ଜିଲ୍ଲାପାଳଙ୍କୁ ଚିଠି ଲେଖି ତାଗିଦ୍ କରିଛି। ଏ ସଂପର୍କରେ ସୂଚନା ଦେଇ ପରିବେଶ ବିଭାଗ ନିର୍ଦେଶକ ଡ. କେ. ମୁରୁଗେସନ୍ କହିଛନ୍ତି ଯେ ସଂପୃକ୍ତ କମିସନର ମାନେ ଓ ପୁରୀ ଜିଲ୍ଲାପାଳ ସ୍ବତନ୍ତ୍ର ସ୍କ୍ବାଡ୍ ଗଠନ କରିସାରିଛନ୍ତି। ଆଜିଠାରୁ ସେମାନେ ତନାଘନା କରିବେ। ପ୍ରାଥମିକ ପର୍ଯ୍ୟାୟରେ ଥରକେ ବ୍ୟବହାର ବା ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ ବ୍ୟବହାରକୁ ସଂପୂର୍ଣ୍ଣ ବନ୍ଦ କରାଯିବ।

 

ଏଥିପାଇଁ ଛୋଟ ବଡ଼ ଦୋକାନ, ଗୋଦାମ, ଶିଳ୍ପାନୁଷ୍ଠାନ ଆଦିଙ୍କୁ ସେମାନଙ୍କ ନିକଟରେ ଗଚ୍ଛିତ ଥିବା ପ୍ଲାଷ୍ଟିକ, ଚା କପ୍, କ୍ୟାରି ବ୍ୟାଗ୍, ପଲିଥିନ୍ ସାରିବାକୁ ମାସେ ସମୟ ଦିଆଯାଇଥିଲା। ଗତକାଲି ସେହି ସମୟ ସରିଛି। ଏଣିକି ଯେ କେହି ବ୍ୟକ୍ତି ଯେ କୌଣସି ପ୍ରକାରେ ପ୍ଲାଷ୍ଟିକ୍ ବ୍ୟବହାର କଲେ, ଘୋଷଣା ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଖିଲାପକାରୀଙ୍କ ବିରୁଦ୍ଧରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଏବଂ ୫ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡର ବ୍ୟବସ୍ଥା ରହିଛି ବୋଲି ପରିବେଶ ନିର୍ଦେଶକ କହିଛନ୍ତି। ପରବର୍ତୀ ଉଲ୍ଲଂଘନ ପାଇଁ ଜରିମାନା ଓ ଜେଲଦଣ୍ଡ ଅବଧି ଅଧିକ ରହିଛି।

 

କଟକ ମହାନଗର ନିଗମ ପ୍ରାୟ ୫୪୦ କିଲୋ ଓଜନର ପ୍ଲାଷ୍ଟିକ୍ ଜବତ୍ କରିଛି। ୫ଟି ମହାନଗର ନିଗମ ଓ ପୁରୀ ପୌରାଞ୍ଚଳ ଭିତରକୁ ଯେପରି ପ୍ଲାଷ୍ଟିକ୍ ପ୍ରବେଶ ନ କରେ ସେଥିପାଇଁ ଟୋଲଗେଟ ଉପରେ ସତର୍କ ଦୃଷ୍ଟି ରଖିବାକୁ ପରିବହନ ଓ ଗୃହ ବିଭାଗକୁ କୁହାଯାଇଛି। ପ୍ରଥମ ପର୍ଯ୍ୟାୟରେ ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ ବ୍ୟବହାର ବନ୍ଦ କରିବାକୁ ସମସ୍ତ ପଦକ୍ଷେପ ନିଆଯାଉଛି। ତେବେ ଏଥିରୁ ପାଣି ବୋତଲ, କ୍ଷୀର ପାଉଚ୍, ଦୋକାନରେ ବିକ୍ରି ହେଉଥିବା ପ୍ଲାଷ୍ଟିକ ପ୍ୟାକ୍ ସାମଗ୍ରୀ ଆଦି ବାଦ୍ ଦିଆଯିବ ବୋଲି ଶ୍ରୀ ମୁରୁଗେସନ୍ କହିଛନ୍ତି।