ପଲିଥିନ୍ ଗଲା ଠୁଙ୍ଗା ଆସିଲା ! କୋଡିଏ ବର୍ଷ ପରେ ଫେରିଲା କାଗଜ ଠୁଙ୍ଗା, ଗଛିତ ପ୍ଲାଷ୍ଟିକ ସାମଗ୍ରୀକୁ କେମିତି କରିବେ ନଷ୍ଟ, ଚିନ୍ତାରେ ବ୍ୟବସାୟୀ ।

55

କନକ ବ୍ୟୁରୋ : କଟକ-ଭୁବନେଶ୍ୱର ସମେତ ରାଜ୍ୟର ୫ଟି ମହାନଗର ନିଗମ ଏବଂ ପୁରୀରେ ଆଜିଠୁ ବିଧିବଦ୍ଧ ଭାବରେ ପ୍ଲାଷ୍ଟିକ୍ ସମାଗ୍ରୀ ଉପରେ କଟକଣା ଲାଗୁ ହୋଇଛି । ଆଉ ଏହି କଟକଣାକୁ ଜନତା ଓ ବ୍ୟବସାୟୀ ଶୃଙ୍ଖଳାର ସହ ପାଳନ କରୁଥିବା ବେଳେ ବିଭିନ୍ନ ସଂଗଠନ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ କରାଯାଇଛି । ହେଲେ ସମସ୍ୟା ସୃଷ୍ଟି କରିଛି, ବ୍ୟବସାୟୀଙ୍କ ନିକଟରେ ଗଛିତ ପ୍ଲାଷ୍ଟିକ ସାମଗ୍ରୀ । ଏପଟେ ବିକଳ୍ପ ବ୍ୟବସ୍ଥା ସୃଷ୍ଟି କରିବା ଏକ ବଡ ଆହ୍ୱାନ ସୃଷ୍ଟି କରିଛି ।

ପଲିଥିନ୍ ଗଲା ଠୁଙ୍ଗା ଆସିଲା । କଟକଣା ଲାଗିଲା, ଚିତ୍ର ବଦଳିଲା । ଦୀର୍ଘ ବର୍ଷର ବ୍ୟବଧାନ ପରେ ବଜାରକୁ ଫେରିଛି କାଗଜ ଠୁଙ୍ଗା । ଅଭ୍ୟାସରେ ପରିବର୍ତନର ପ୍ରୟାସ ବି ଆରମ୍ଭ ହୋଇଛି । ପଲିଥିନ୍ ବଦଳରେ ଏଣିକି ବ୍ୟାଗ୍ ଧରି ଲୋକ ବଜାର କରୁଥିବାରୁ ଚିତ୍ର ସାମ୍ନାକୁ ଆସିଛି । ସଚେତନତା ଜରିଆରେ ଅଭ୍ୟାସରେ ପରିବର୍ତନ ଆଣିବାକୁ ଅଂଟା ଭିଡିଛନ୍ତି ବିଭିନ୍ନ ସମାଜିକ ସଂଗଠନ ।

ରାଜ୍ୟର ୫ ମହାନଗର ନିଗମ ସମେତ ପୁରୀରେ ପ୍ଲାଷ୍ଟିକ୍ ଓ ପଲିଥିନ୍ ଉପରେ କଟକଣା ଲାଗିବା ପରେ ଏହାର ଏକ ସ୍ପଷ୍ଟ ପ୍ରତିଫଳନ ଦେଖିବାକୁ ମିଳିଛି । ଜନତା ଓ ବ୍ୟବସାୟୀ ସମସ୍ତେ ସମାନ ଢ଼ଙ୍ଗରେ ଏହି ନିଶିଦ୍ଧାଦେଶକୁ ପାଳନ କରୁଛନ୍ତି । ଆଉ ଏହି ପ୍ରୟାସକୁ ଆହୁରି ମଜବୁତ କରିଛି ସଚେତନତା କାର୍ଯ୍ୟକ୍ରମ ।

ବ୍ରହ୍ମପୁର ସହରରେ ଧାବିକା ଦୂତି ଚାନ୍ଦ ଏବଂ ଭାରତ୍ତୋଳକ କେ. ରବି କୁମାର ପଲିଥିନ୍ ବ୍ୟବହାର ନ କରିବାକୁ ଲୋକଙ୍କୁ ବୁଝାଉଥିବାର ଦେଖିବାକୁ ମିଳିଛି । ପଲିଥିନ୍ ବଦଳରେ କପଡ଼ା ବ୍ୟାଗ୍ କିମ୍ବା ପାରମ୍ପରିକ ଥଳି ଧରି ସାମଗ୍ରୀ କିଣୁଛନ୍ତି ଲୋକେ । ଆଉ ପଲିଥିନରେ ସାମଗ୍ରୀ ନଦେବାକୁ ମନା କରୁଛନ୍ତି ବ୍ୟବସାୟୀ ।

ଏସବୁ ଭିତରେ ପୁରୀ ଅସ୍ତରଙ୍ଗରୁ ଆସିଥିବା ଚିତ୍ର ସମସ୍ତଙ୍କୁ ଛୁଇଁଛି । ଏଠି କୁନି କୁନି ପିଲାମାନେ କାଗଜ ଠୁଙ୍ଗା ବନାଇ ଲୋକମାନଙ୍କୁ ବାଂଟିଛନ୍ତି । ଆଉ ଲୋକଙ୍କୁ ସଚେତନ କରିବାକୁ ଉଦ୍ୟମ କରିଛନ୍ତି । ପୁରୀ ସହରରେ ବିଭିନ୍ନ ସଂଗଠନ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।

ଏପଟେ କଟକ ଏବଂ ରାଉରକେଲା ମହାନଗର ନିଗମ ଅଂଚଳରେ ବି ପ୍ଲାଷ୍ଟିକ୍ ଓ ପଲିଥିନ୍ ଉପରେ ଲାଗିଥିବା କଟକଣାର ପ୍ରଭାବ ଦେଖିବାକୁ ମିଳିଛି । ରାଉକେଲାରେ ସଚେତନତା ଗାଡ଼ି ବାହାରି ସହର ସାରା ବୁଲି ବୁଲି ଲୋକଙ୍କୁ ସଚେତନ କରିଛି । ଆଉ କଟକରେ ଲୋକେ ଏକାଠି ହୋଇ ପଲିଥିନକୁ ନଷ୍ଟ କରୁଥିବାର ଚିତ୍ର ଦେଖିବାକୁ ମିଳିଛି । ହେଲେ ଗଛିତ ଥିବା ପ୍ଲାଷ୍ଟିକ ସାମଗ୍ରୀକୁ କେମିତି ନଷ୍ଟ କରିବେ ବ୍ୟବସାୟୀ । ତାକୁ ନେଇ ଭୁବନେଶ୍ୱରର ବିଭିନ୍ନ ମାର୍କେଟରେ ବ୍ୟବସାୟୀଙ୍କ ମଧ୍ୟରେ ଭାଳେଣୀ ପଡିଛି । କାରଣ ଥର୍ମୋକୁଲ କପ୍, ଗ୍ଲାସ୍ ଏବଂ ବିବାହ ବ୍ରତରେ ଲାଗୁଥିବା ସାମଗ୍ରୀ ଦୋକାନରେ ମହଜୁତ ରହିଛି ।