ପଲିଥିନ୍ ଗଲା ଠୁଙ୍ଗା ଆସିଲା । ଦୀର୍ଘ ୨୦ ବର୍ଷ ପରେ ଫେରିଲା କାଗଜ ଠୁଙ୍ଗା । ରାଜ୍ୟର ୬ଟି ସହରରେ ପ୍ଲାଷ୍ଟିକ୍ ନିଷିଦ୍ଧ ହେବା ପରେ ଲୋକଙ୍କ ଭରସା କାଗଜ ଠୁଙ୍ଗା

260

କନକ ବ୍ୟୁରୋ: ପଲିଥିନ ବ୍ୟାନ ପରେ ୨୦ ବର୍ଷ ପରେ ଫେରିଲା ଠୁଙ୍ଗା । ରାଜ୍ୟର ୬ଟି ସହରରେ ପିଲିଥିନ ନିଷିଦ୍ଧ ହେବା ପରେ ପୁଣି କାଗଜ ଠୁଙ୍ଗା ଉପରେ ଲୋକଙ୍କ ଭରସା ବଢିଛି । ୯୦ ଦଶକରେ ଲୋକେ ଜିନିଷ ନେବା ଆଣିବା ପାଇଁ ଠୁଙ୍ଗା ଉପରେ ନିର୍ଭର କରୁଥିଲେ । କାଗଜ ଠୁଙ୍ଗା ସମସ୍ତଙ୍କ ପସନ୍ଦ ଥିଲା । ଏପରିକି ଅନେକ ପରିବାରର ରୋଜଗାରର ମାଧ୍ୟମ ଥିଲା ଏହି ଠୁଙ୍ଗା । କିନ୍ତୁ ବଜାରକୁ ପଲିଥିନ ଆସିବା ପରେ ଠୁଙ୍ଗା ବ୍ୟବସାୟ ମାନ୍ଦା ହୋଇଯାଇଥିଲା । କିନ୍ତୁ ଏବେ ୬ଟି ସହରରେ ପଲିଥିନ ବ୍ୟାନ ହେବା ପରେ ପ୍ଲାଷ୍ଟିକର ଜାଗା ନେଇଛି ଠୁଙ୍ଗା ।

ଉଲ୍ଲେଖ ଥାଉ କି, ଆଜିଠୁ ରାଜ୍ୟର ୫ଟି ମହାନଗର ନିଗମ ଓ ପୁରୀରେ ସରକାରଙ୍କ ପ୍ଲାଷ୍ଟିକ ଓ ପଲିଥିନ ନିଷେଧାଦେଶ ଲାଗୁ ହୋଇଛି । ପଲିଥିନ୍ ବ୍ୟବହାର କଲେ ବ୍ୟବହାରକାରୀଙ୍କୁ ଦଣ୍ଡବିଧାନର ମଧ୍ୟ ବ୍ୟବସ୍ଥା ରହିଛି । ତେଣୁ ପଲିଥିନ୍ ବ୍ୟବହାର ନ କରିବା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି । ବ୍ରହ୍ମପୁରରେ ଧାବିକା ଦୂତି ଚାନ୍ଦ୍, ଭାରୋତଳକ କେ. ରବି. କୁମାରୁ ପଲିଥିନ୍ ବ୍ୟବହାର ନକରିବାକୁ ଲୋକଙ୍କୁ ବୁଝାଇଛନ୍ତି । ସେପଟେ ପୁରୀରେ ମଧ୍ୟ ପ୍ରଶାସନ ପକ୍ଷରୁ ପଲିଥିନ୍ ବ୍ୟବହାର ନକରିବାକୁ ସାଧାରଣ ଲୋକ ଓ ବ୍ୟବସାୟୀଙ୍କୁ ସଚେତନ କରାଯାଉଛି ।
ଭୁବନେଶ୍ୱର, କଟକ, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର ଏବଂ ପର୍ଯ୍ୟଟନ କ୍ଷେତ୍ର ପୁରୀରେ ପ୍ଲାଷ୍ଟିକ କଟକଣାକୁ କଡାକଡି ଭାବେ ଲାଗୁ କରାଯାଇଛି ।

ନିର୍ଦ୍ଧିଷ୍ଟ ମୋଟେଇରୁ କମ ଓଜନର ପ୍ଲାଷ୍ଟିକ୍ ବ୍ୟବହାର, ବିକ୍ରି ଓ ଉତ୍ପାଦନ ଓ ଗଛିତ ଉପରେ କଟକଣା ଜାରି କରିଛି ଜଙ୍ଗଲ ପରିବେଶ ମନ୍ତ୍ରାଳୟ । ଆଜିଠାରୁ ପ୍ଲାଷ୍ଟିକ୍, ପଲିଥିନ୍ ବ୍ୟାଗ୍ ଓ ଥର୍ମୋକୁଲ୍ ବ୍ୟବହାର ବନ୍ଦ ହୋଇଛି । ପିଇବା ପାଣି ପାଉଚ୍, ୨୦୦ ମିଲିଲିଟରରୁ କମ୍ ପାଣି ବୋତଲ, ପଲିଥିନ୍ ବ୍ୟାଗ୍, ଡିସ୍ପୋଜେବଲ ପ୍ଲାଷ୍ଟିକ କପ୍, ପ୍ଲେଟ୍, ଗ୍ଲାସ, ବାଉଲ ଓ ଚାମଚ, ଥର୍ମୋକୁଲ କପ୍, ପ୍ଲେଟ୍, ଗ୍ଲାସ ଓ ବାଉଲ , ହୋଟେଲରେ ଖାଦ୍ୟ ପ୍ୟାକିଙ୍ଗ ପାଇଁ ବ୍ୟବହାର ହେଉଥିବା ପ୍ଲାଷ୍ଟିକ ଡିସ୍, ମୃଦୁ ପାନୀୟରେ ବ୍ୟବହାର ହେଉଥିବା ପ୍ଲାଷ୍ଟିକ ଷ୍ଟ୍ର ବ୍ୟାନ ହୋଇଛି । ବିବାହ ,ବ୍ରତ ଘରରେ ଥର୍ମୋକୁଲରେ ସାଜସଜ୍ଜା ମଧ୍ୟ ବନ୍ଦ ହେବ ।

ସର୍ବସାଧାରଣ ସ୍ଥାନକୁ ମଧ୍ୟ ଲୋକେ ପଲିଥିନ ନେଇ ଯାଇପାରିବେନାହିଁ । ନିର୍ଦ୍ଦେଶନାମାକୁ ଧର୍ମୀୟ ଅନୁଷ୍ଠାନ, ହୋଟେଲ, ରେଷ୍ଟୁରାଂଟ୍ର ମାଲିକମାନେ ମଧ୍ୟ ମାନିବେ । ଯଦି କେହି ଏହି ଆଇନର ଉଲଂଘନ କରନ୍ତି ତେବେ ସେମାନଙ୍କ ବିରୋଧରେ ତତ୍କ୍ଷଣାତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ନିୟମକୁ ଉଲ୍ଲଙ୍ଘନ କରେ ସେନେଇ ଦଣ୍ଡବିଧାନର ମଧ୍ୟ ବ୍ୟବସ୍ଥା ରହିଛି । ପରିବେଶ ଉଲ୍ଲଙ୍ଘନ ଆଇନ ୧୯୮୬ ଅନୁସାରେ ଆଇନ ଉଲ୍ଲଙ୍ଘନକାରୀ କମ୍ପାନୀକୁ ୫ବର୍ଷ ଜେଲ କିମ୍ବା ଲକ୍ଷେ ଟଙ୍କା ଜୋରିମାନାର ଦଣ୍ଡବିଧାନ ହେବ । ଏହା ସହ ଦିନକୁ ୫ ହଜାର ଟଙ୍କା ଅତିରିକ୍ତ ଫାଇନ ଆଦାୟ କରାଯିବ ।