ମହାରାଷ୍ଟ୍ରରେ ପ୍ଲାଷ୍ଟିକ ଉପର ଲାଗିଲା ବ୍ୟାନ ! ସରକାରଙ୍କ ନିୟମ ନ ମାନିଲେ ଦେବାକୁ ପଡ଼ିବ ୨୫,୦୦୦ ଟଙ୍କା ଜରିମାନା

32

ମହାରାଷ୍ଟ୍ରରେ ଆଜି ଠାରୁ ପ୍ଲାଷ୍ଟିକ ଉପରେ ବ୍ୟାନ ଲାଗିଛି । ୨୩ ଜୁନ ମଧ୍ୟରାତ୍ରିରୁ ପ୍ଲାଷ୍ଟିକ ଉପରେ ବ୍ୟାନ ଲଗାଇଛନ୍ତି ସରକାର । ପ୍ଲାଷ୍ଟିକ ସାମଗ୍ରୀ ବ୍ୟବହାର କରୁଥିବା ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ୨୫୦ ପୋଲିସ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ଅଥାର୍ତ ୨୩ ତାରିଖରୁ ମୁମ୍ବାଇରେ ପ୍ଲାଷ୍ଟିକ ବ୍ୟବହାରକୁ ସମ୍ପୂର୍ଣ୍ଣ ଭାବେ ନିଷିଦ୍ଧ କରାଯାଇଛି । ଏନେଇ ସରକାର ଏକ ଅଧିସୂଚନା ମଧ୍ୟ ଜାରି କରିଛନ୍ତି । ଏହାପରେ ଯଦି କୌଣସି ବ୍ୟକ୍ତି ପ୍ଲାଷ୍ଟିକ ବ୍ୟବହାର କରୁଥାଆନ୍ତି ତେବେ ତାଙ୍କ ଠାରୁ ଜରିମାନା ଆଦାୟ କରାଯିବ ।

ଏଣିକି କୌଣସି ପ୍ଲାଷ୍ଟିକ ସାମଗ୍ରୀର ବ୍ୟବହାର, ଗଚ୍ଛିତ ରଖିବା କିମ୍ବା ଉତ୍ପାଦନ କରୁଥିଲେ ଜରିମାନା ଆଦାୟ କରିବେ ସରକାର । ପ୍ଲାଷ୍ଟିକ ସାମଗ୍ରୀର ବ୍ୟବହାର ରୋକିବାକୁ ମୁମ୍ବାଇ ପୋଲିସ ପକ୍ଷରୁ ମଝିରେ ମଝିରେ ଚଢ଼ାଉ ମଧ୍ୟ କରାଯିବ ।ତେବେ ପ୍ଲାଷ୍ଟିକର ବିକଳ୍ପ ସାମଗ୍ରୀ ନଥିବାରୁ ପ୍ୟାକେଜିଂ ପାଇଁ କିଛି ଉତ୍ପାଦ ଉପରେ ସାମୟିକ ଆଶ୍ୱସ୍ତି ଦେବାକୁ ବେପାରୀ ମାନେ ଦାବି କରୁଥିଲେ । କିନ୍ତୁ ବମ୍ବେ ହାଇକୋର୍ଟ ପ୍ଲାଷ୍ଟିକ ବନ୍ଦ କରିବାକୁ ରାୟ ଦେଇଥିଲେ । ଏବଂ ଏହି ମାମଲାର ଶୁଣାଣି ଆଗାମୀ ଜୁଲାଇ ୨୦ରେ ହେବ । ଏହାପୂର୍ବରୁ ମହାରାଷ୍ଟ୍ର ସରକାର ୨୩ ମାର୍ଚ୍ଚରେ ଥରେ ମାତ୍ର ବ୍ୟବହାର ହୋଇ ପାରୁଥିବା ପ୍ଲାଷ୍ଟିକ ବ୍ୟାଗ, ଚାମଚ, ପ୍ଲେଟ, ଥର୍ମାକୋଲ ସାମଗ୍ରୀ ସହ ପ୍ଲାଷ୍ଟିକର ଅନ୍ୟ ସମସ୍ତ ସାମଗ୍ରୀ ଉପରେ ରୋକ ଲଗାଇବାକୁ ଅଧିସୂଚନା ଜାରି କରିଥିଲେ । ତେବେ ସରକାରଙ୍କ ଏହି ନିୟମକୁ ଆଇନ ଅନୁଯାୟୀ ଭୁଲ ଓ ଏହା ଜୀବିକାକୁ ପ୍ରଭାବିତ କରୁଥିବା ଦର୍ଶାଇ କୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା ।

କେଉଁ ପ୍ଲାଷ୍ଟିକ ସାମଗ୍ରୀ ଉପରେ ଲାଗିବ ବ୍ୟାନ :
ପ୍ଲାଷ୍ଟିକ ଦ୍ୱାରା ତିଆରି କରାଯାଇଥିବା ବ୍ୟାଗ, ଷ୍ଟ୍ର, ଥରେ ବ୍ୟବହୃତ ହେଉଥିବା ପ୍ଲାଷ୍ଟିକ ଥାଳି, ଗ୍ଲାସ, ଚାମଚ, ବାସନକୁସନ,ଡ଼ବା, ହୋଟେଲରେ ଖାଦ୍ୟ ପାର୍ସଲ ଦିଆଯାଉଥିବା ଖୋଳ, ଚାହା ପାଇଁ ଆବଶ୍ୟକୀୟ ପାଉଚ ବା କପ, ଥର୍ମୋକୋଲ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ଉପରେ ବ୍ୟାନ ଲଗାଇଛନ୍ତି ସରକାର ।

କେଉଁ ପ୍ଲାଷ୍ଟିକ ସାମଗ୍ରୀ ଉପରେ ବ୍ୟାନ ଲାଗିବ ନାହିଁ:
ଡାକ୍ତରଖାନାରେ ବ୍ୟବହାର ହେଉଥିବା ପ୍ଲାଷ୍ଟିକ ଉପକରଣ, ସାଲାଇନ, ବୋତଲ ଓ ଔଷଧ ପ୍ୟାକେଟ ଉପରେ ବ୍ୟାନ ଲଗାଯାଇନାହିଁ । ସେହିଭଳି ପ୍ଲାଷ୍ଟିକ କଲମ, ରେନକୋଟ, ଚାଷ ଜମି ଓ ନର୍ସରୀରେ ବ୍ୟବହାର ହେଉଥିବା ପ୍ଲାଷ୍ଟିକ ସାମଗ୍ରୀ, ଶସ୍ୟ ରଖିବାକୁ ପ୍ଲାଷ୍ଟିକ ଥଳି, ଟିଭି, ଫ୍ରିଜ, କମ୍ପ୍ୟୁଟର ଭଳି ସାମଗ୍ରୀ ପ୍ୟାକ କରିବାକୁ ଆବଶ୍ୟକ ଥିବା ପ୍ଲାଷ୍ଟିକ ସାମଗ୍ରୀର ବ୍ୟବହାର କରାଯାଇପାରିବ । କ୍ଷୀର ପ୍ୟାକେଟ, ଅଧ ଲିଟର ପାଣି ପ୍ୟାକେଟ, ବିସ୍କୁଟ, ଚିପ୍ସକୁ ରଖିବା ପାଇଁ ଆବଶ୍ୟକୀୟ ହେଉଥିବା ପାଉଚ ଖୋଳର ବ୍ୟବହାର ଉପରେ ବ୍ୟାନ ଲଗାଯାଇନାହିଁ । ପ୍ଲାଷ୍ଟିକ ଉପରେ ପ୍ରତିବନ୍ଧକ ଲାଗିବା ପରେ ଯଦି କୌଣସି ବ୍ୟକ୍ତି ବ୍ୟବହାର କରୁଥିବାର ଧରାପଡ଼ନ୍ତି ତେବେ ପ୍ରଥମ ଥର ୫ ହଜାର ଟଙ୍କା, ଦ୍ୱିତୀୟ ଥର ୧୦ ହଜାର ଟଙ୍କା ଓ ତୃତୀୟ ଥର ୨୫ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ । ଏହାଦ୍ୱାରା ପ୍ଲାଷ୍ଟିକ ବ୍ୟବହାରକୁ କିଛି ମାତ୍ରାରେ ରୋକା ଯାଇପାରିବ ।