ଅକ୍ଟୋବର ୨ରୁ ରାଜ୍ୟରେ ବ୍ୟାନ ହେବ ପ୍ଲାଷ୍ଟିକ । ଜାଣନ୍ତୁ କେଉଁ ପ୍ଲାଷ୍ଟିକ ବୋତଲ ଫେରାଇଲେ ମିଳିବ ପଇସା, କେଉଁ ପ୍ଲାଷ୍ଟିକ ଓ ପଲିଥିନ ଉପରେ ଲାଗିବ କଟକଣା

158

କନକ ବ୍ୟୁରୋ : ଗାନ୍ଧୀ ଜୟନ୍ତୀରୁ ଓଡିଶାରେ ପ୍ଲାଷ୍ଟିକ ମୁକ୍ତ ଅଭିଯାନ ଆରମ୍ଭ ହେବ । ତେଣୁ ପୁନଃ ପ୍ରକ୍ରିୟାକୃତ ପ୍ଲାଷ୍ଟିକ ସାମଗ୍ରୀକୁ ବାଦ ଦେଇ ବାକି ସମସ୍ତ ପ୍ଲାଷ୍ଟିକ ଓ ପଲିଥିନ ସାମଗ୍ରୀ ବ୍ୟାନ ହେବାକୁ ଯାଉଛି ।ମିଳିଥିବା ସୂଚନା ଅନୁସାରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏ ସଂକ୍ରାନ୍ତରେ ଏକ ଡ୍ରାଫ୍ଟ ରିପୋର୍ଟ ପ୍ରସ୍ତୁତ କରି ଜଙ୍ଗଲ ଓ ପରିବେଶ ବିଭାଗକୁ ଦେଇସାରିଛି ।

‘ଆମ ମୁଖ୍ୟମନ୍ତ୍ରୀ ଆମ କଥା’ କାର୍ଯ୍ୟକ୍ରମରେ ପ୍ଲାଷ୍ଟିକର ଭୟାବହତା ଉପରେ ସତର୍କ କରାଇ ଆଗାମୀ ୨ ବର୍ଷରେ ଓଡିଶାକୁ ସଂପୂର୍ଣ୍ଣ ଫ୍ଲାଷ୍ଟିକ ମୁକ୍ତ କରିବାକୁ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅକ୍ଟୋବର ୨ ତାରିଖ, ଗାନ୍ଧି ଜୟନ୍ତୀରୁ ଏହି ଅଭିଯାନ ଆରମ୍ଭ ହେବାକୁ ଯାଉଛି । ତେଣୁ ପୁନଃ ପ୍ରକ୍ରିୟାକୃତ ପ୍ଲାଷ୍ଟିକ ସାମଗ୍ରୀକୁ ବାଦ ଦେଇ ବାକି ସମସ୍ତ ପ୍ଲାଷ୍ଟିକ ଓ ପଲିଥିନ ସାମଗ୍ରୀ ବ୍ୟାନ ହେବାକୁ ଯାଉଛି । ୨ ଗ୍ରାମ ଓଜନ ଓ ୫୦ ମାଇକ୍ରୋନରୁ ଅଧିକ ପ୍ଲାଷ୍ଟିକ ସାମଗ୍ରୀକୁ ପୁନଃ ପ୍ରକ୍ରିୟାକରଣ କରାଯାଇ ପାରୁଥିବାରୁ ଏହାକୁ ବାଦ ଦିଆଯିବ । ମିଳିଥିବା ସୂଚନା ଅନୁସାରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏ ସଂକ୍ରାନ୍ତରେ ଏକ ଡ୍ରାଫ୍ଟ ରିପୋର୍ଟ ପ୍ରସ୍ତୁତ କରି ଜଙ୍ଗଲ ଓ ପରିବେଶ ବିଭାଗକୁ ଦେଇସାରିଛି ।

Plastic ban in odishaଶେଷ ରାଜ୍ୟ ଭାବେ ମହାରାଷ୍ଟ୍ରରେ ପ୍ଲାଷ୍ଟିକକୁ ବ୍ୟାନ କରାଯାଇଥିବାରୁ ସେହି ମଡେଲକୁ ଆପଣେଇବାକୁ ଯାଉଛନ୍ତି ଓଡିଶା ସରକାର । ତେବେ ଅବିକଳ ଏହାକୁ ନକଲ ନକରି ଆବଶ୍ୟକ ଅନୁସାରେ କେତେକ ପରିବର୍ତନ ମଧ୍ୟ କରାଯାଇପାରେ ।
ବ୍ୟାନ୍ ହେବ ନାହିଁ
– ୨ ଶହ ମିଲିଲିଟର ଓ ତାଠୁ ଅଧିକ କ୍ଷମତା ବିଶିଷ୍ଟ ପାଣି ବୋତଲ ବ୍ୟାନ ହେବନହିଁ
– ବରଂ ଖାଲି ବୋତଲ ଫେରାଇଲେ ବ୍ୟବହାରକାରୀଙ୍କୁ ସେ ବାବଦରେ ଟଙ୍କା ମିଳିବ
– ଅର୍ଥାତ ବାଏ ବ୍ୟାକ ନୀତି ଲାଗୁ କରିବାକୁ ଯୋଜନା କରୁଛନ୍ତି ରାଜ୍ୟ ସରକାର
– କୌଣସି ଗ୍ରାହକ ପାଣି ପିଇବା ପରେ ଦୋକାନୀଙ୍କୁ ବୋତଲ ଫେରାଇଲେ ମିଳିବ ପଇସା
– ୫୦ ମାଇକ୍ରୋନରୁ ଅଧିକ ଓ ୨୦% ପୁନଃ ବ୍ୟବହାରକ୍ଷମ ପ୍ଲାଷ୍ଟିକ କଟକଣାମୁକ୍ତ
– ଇଲେକଟ୍ରୋନିକ୍ସ ସାମଗ୍ରୀରେ ବ୍ୟବହାର ହେଉଥିବା ଥର୍ମୋକୁଲ ଫେରସ୍ତ ହେବ
– ବାଏ ବ୍ୟାକରେ ସାମିଲ ୨ଗ୍ରାମ ଓଜନ ଓ ୫୦ ମାଇକ୍ରୋନ ମୋଟା ଖାଦ୍ୟ ପ୍ୟାକେଟ
ଏହିସବୁ ପ୍ଲାଷ୍ଟିକ ଓ ପଲିଥିନ ସାମଗ୍ରୀ ପୁନଃ ପ୍ରକ୍ରିୟାକରଣ ପରେ ପୁଣିଥରେ ବ୍ୟବହାର ଉପଯୋଗୀ ହୋଇପାରିବ । ତେଣୁ କେଉଁସବୁ ସାମଗ୍ରୀ ଏହି ତାଲିକାରେ ଆସିବ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସହାୟତାରେ ତାହା ସ୍ଥିର କରାଯିବ । ଏବଂ ଏଗୁଡିକୁ ବାଏ ବ୍ୟାକ ନୀତିରେ ସାମିଲ କରିବାକୁ ଯୋଜନା ରହିଛି ।
ବ୍ୟାନ୍ ହେବ
– ପିଇବା ପାଣି ପାଉଚ୍
– ୨୦୦ ମିଲିମିଟରରୁ କମ୍ ପାଣି ବୋତଲ
– ପଲିଥିନ୍ ବ୍ୟାଗ୍
– ଡିସ୍ପୋଜେବଲ ପ୍ଲାଷ୍ଟିକ କପ୍, ପ୍ଲେଟ୍, ଗ୍ଲାସ, ବାଉଲ ଓ ଚାମଚ
– ଥର୍ମୋକୁଲ କପ୍, ପ୍ଲେଟ୍, ଗ୍ଲାସ ଓ ବାଉଲ
– ହୋଟେଲରେ ଖାଦ୍ୟ ପ୍ୟାକିଙ୍ଗ ପାଇଁ ବ୍ୟବହାର ହେଉଥିବା ପ୍ଲାଷ୍ଟିକ ଡିସ୍
– ମୃଦୁ ପାନୀୟରେ ବ୍ୟବହାର ହେଉଥିବା ପ୍ଲାଷ୍ଟିକ ଷ୍ଟ୍ର

ମହାରାଷ୍ଟ୍ରରେ ବ୍ୟାନ ହୋଇଥିବା ପ୍ଲାଷ୍ଟିକ ସାମଗ୍ରୀ ଆଧାରରେ ଏଭଳି ଏକ ତାଲିକା ପ୍ରସ୍ତୁତ କରୁଛି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ । ତେବେ ଔଷଧ ପ୍ୟାକିଂ ପାଇଁ ବ୍ୟବହାର ହେଉଥିବା ପ୍ଲାଷ୍ଟିକ ଖୋଳକୁ ମହାରାଷ୍ଟ୍ରରେ ବାଦ ଦିଆଯାଇଥିବାବେଳେ ପ୍ଲାଷ୍ଟିକ ସାଲାଇନ ବୋତଲ ଓ ସିରିଞ୍ଜ ଉପରେ କଟକଣା ଲଗାଇଥିବାରୁ ଏହାକୁ କୋହଳ କରିବାକୁ ଚିନ୍ତା କରୁଛନ୍ତି ଓଡିଶା ସରକାର ।