ରାଜ୍ୟରେ ବୃକ୍ଷ ରୋପଣକୁ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର । ଲାଗାଯିବ ୯ କୋଟି ଗଛ, ବନ ବିଭାଗ ପକ୍ଷରୁ ସୂଚନା 

ରାଜ୍ୟରେ ୯ କୋଟି ଗଛ ଲଗାଯିବ

332
କନକ ବ୍ୟୁରୋ: ସାମୁଦ୍ରିକ ଝଡ ଫୋନି ଉଜାଡି ଦେଇଛି ସାରା ରାଜ୍ୟର ସବୁଜିମା । ପରିବେଶ ଉପରେ ପଡିଛି ଫୋନିର ବଡ ପ୍ରଭାବ । ଭାଙ୍ଗିଯାଇଛି ବହୁ ବର୍ଷ ପୁରୁଣା ଲକ୍ଷ ଲକ୍ଷ ଗଛ । ତେଣୁ ବାତ୍ୟା ଫୋନିରେ ହୋଇଥିବା କ୍ଷତିକୁ ପୁରା କରିବା ପାଇଁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର । ରାଜ୍ୟରେ ୯ କୋଟି ଗଛ ଲଗାଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।
ସୂଚନା ଅନୁଯାୟୀ, ବାତ୍ୟା ମୁକାବିଲା ପାଇଁ ବନ ବିଭାଗ ପକ୍ଷରୁ ଅଧିକ ତତ୍ପରତା ଦେଖାଯାଇଛି। ଭୁବନେଶ୍ୱରରେ ୭୦ ହଜାର ବଡ଼ ଗଛ ପ୍ରତିରୋପଣ କରାଯିବ । ରାଜ୍ୟରେ ୯ କୋଟି ଗଛ ଲଗାଯିବ ବୋଲି ବନ ବିଭାଗ ପକ୍ଷରୁ ମଙ୍ଗଳବାର କୁହାଯାଇଛି । ରାଜ୍ୟରେ ସବୁଜିମା ବଢ଼ାଇବା ପାଇଁ ବନ ବିଭାଗ ୫ ବର୍ଷିୟ ଯୋଜନା ପ୍ରସ୍ତୁତ କରିଛନ୍ତି ଏବଂ ଏହି ଆଧାରରେ ପୁରୀ, ଭୁବନେଶ୍ୱର, ଖୋର୍ଦ୍ଧା, କଟକରେ ବୃକ୍ଷରୋପଣ କରାଯିବ। ମୋଟ ୬ ହଜାର ହେକ୍ଟରରେ ଚାରା ରୋପଣ ପାଇଁ ୧୮୭ କୋଟି ଟଙ୍କା ଖର୍ଚ୍ଚ ହେବ ।
ସୂଚନାଯୋଗ୍ୟ, ଗତ ମେ’ ମାସ ୩ରେ ବାତ୍ୟା ଫନି ଯୋଗୁଁ ଓଡ଼ିଶାର ୧୪ଟି ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ବାତ୍ୟା ଉପକୂଳ ଓଡ଼ିଶାର ସବୁଜ ବଳୟକୁ ଅଧିକ କ୍ଷତି କରିଛି । ପୁରୀ, ଭୁବନେଶ୍ୱର ଓ କଟକ ଜିଲ୍ଲାରେ କୋଟି କୋଟି ଗଛ ନଷ୍ଟ ହୋଇଯାଇଛି । ଯାହାଫଳରେ ପରିବେଶକୁ ଏବେ ବିଶୁଦ୍ଧ ଅମ୍ଲଜାନର ଅଭାବ ଦେଖାଯାଉଛି । ଏହି ଅଭାବକୁ ପୂରଣ କରିବା ପାଇଁ ରାଜ୍ୟ ସରକାର ବୃକ୍ଷରୋପଣକୁ ଗୁରୁତ୍ୱ ଦେଉଛନ୍ତି।