ଆଜିଠୁ ଉଡ଼ିବ ଘରୋଇ ବିମାନ: ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱରକୁ ୧୨ ଏବଂ ଝାରସୁଗୁଡାକୁ ଆସିବ ୩ରୁ ୪ ବିମାନ; ଏପଟେ ଓଡ଼ିଶା ଭିତରେ ଟ୍ରେନ୍ ଚଳାଚଳ ପାଇଁ ରାଜ୍ୟ ସରକାର ପ୍ରସ୍ତୁତ

ରେଳ ମନ୍ତ୍ରାଳୟର ଅନୁମତିକୁ ଅପେକ୍ଷା; ତାଲା ବନ୍ଦ ପରେ ଦେଶରେ ସ୍ୱାଭାବିକ ହେବ ଟ୍ରେନ୍ ଚଳାଚଳ

385

କନକ ବ୍ୟୁରୋ: ଆଜିଠୁ ଆରମ୍ଭ ହେବ ଘରୋଇ ବିମାନ ସେବା । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱରକୁ ୧୨ଟି ବିମାନ ଆସିବ । ସେହିପରି ଝାରସୁଗୁଡାକୁ ୩ରୁ ୪ ଟି ବିମାନ ଆସିବ । ଦୁଇ ମାସର ବ୍ୟବଧାନ ପରେ ଆଜିଠୁ ଚଳାଚଳ ଆରମ୍ଭ ହେଉଛି ଘରୋଇ ବିମାନ । କରୋନା ପାଇଁ ମାର୍ଚ୍ଚ ୨୫ରୁ ଦେଶର ସମସ୍ତ ବିମାନବନ୍ଦର ଠପ ହୋଇପଡିଥିବା ରନୱେ ଆଜିଠାରୁ ଚଳଚଂଚଳ ହେବ । ଏଥିପାଇଁ ବିମାନ ବନ୍ଦରରେ ସୁରକ୍ଷା ଓ ସ୍ୱଚ୍ଛତା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି । ବିମାନବନ୍ଦର ଗୁଡିକରେ ସଫେଇ କାର୍ଯ୍ୟ କରାଯିବା ସହ ସ୍ୱୟଂଚାଳିତ ସାନିଟାଇଜ, ଥର୍ମାଲ ସ୍କ୍ରିନିଂ ବ୍ୟବସ୍ଥା କରାଯାଇଛି ।

ଦେଶରେ ୩୮୦ଟି ବିମାନ ଉଡାଣ ଭରିବେ । ଏହାରି ଭିତରେ ୪ଟି ରାଜ୍ୟ ବିମାନ ଚଳାଚଳ ପାଇଁ ଆପତି ପ୍ରକାଶ କରିଛନ୍ତି । ତାମିଲନାଡୁ, ଛତିଶଗଡ, ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗ ବିଭିନ୍ନ କାରଣ ଦେଖାଇ ନିଜ ନିଜ ରାଜ୍ୟରେ ବର୍ତମାନ ବିମାନ ଚଳାଚଳ ନକରିବା ପାଇଁ କେନ୍ଦ୍ର ସରକାରଙ୍କୁ ଅପିଲ କରିଛନ୍ତି । ମହାରାଷ୍ଟ ସରକାର କହିଛନ୍ତି କରୋନା ଯୋଗୁଁ ରାଜ୍ୟର ସ୍ଥିତି ବର୍ତମାନ ଠିକ ନାହିଁ । ତେଣୁ ଅତିକମରେ ଆଗାମୀ ୧୫ଦିନ ପର୍ଯ୍ୟନ୍ତ ଯାତ୍ରୀବାହୀ ବିମାନ ଚଳାଚଳ କରାଯିବନି । ରାଜ୍ୟରେ କେବଳ ସ୍ୱତନ୍ତ୍ର ବିମାନ ଚଳାଚଳ କରାଯିବ । ଅନ୍ୟପଟେ ତାମିଲନାଡୁ ଓ ଛତିଶଗଡ କରୋନା ସଂକ୍ରମଣ ବୃଦ୍ଧିକୁ ଆଖି ଆଗରେ ବିମାନ ଚଳାଚଳ ପାଇଁ ଆପତି ପ୍ରକାଶ କରିଛନ୍ତି । ସେହିପରି ପଶ୍ଚିମବଙ୍ଗ ବାତ୍ୟା ଅମ୍ପାନ କ୍ଷତି ଦର୍ଶାଇ ରାଜ୍ୟରେ ବିମାନ ଚଳାଚଳ ମେ ୩୧ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ଅପିଲ କରିଛି ।

ଏପଟେ ଆଜିଠାରୁ ରାଜ୍ୟ ଭିତରେ ଟ୍ରେନ୍ ଚଳାଚଳ କରିବା ପାଇଁ ପ୍ରସ୍ତୁତ ରହିଛନ୍ତି ଓଡ଼ିଶା ସରକାର । ଯଦି ରେଳମନ୍ତ୍ରାଳୟ ଅନୁମତି ଦିଏ ତେବେ ଓଡ଼ିଶା ଭିତରେ ଟ୍ରେନ୍ ଚଳାଚଳ କରିପାରିବ ବୋଲି ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର । ତେବେ ସାରା ଭାରତରେ ଜୁନ ୧ ତାରିଖକୁ ଗଡ଼ିବ ୨୦୦ଟି ନନ୍ ଏସି ଟ୍ରେନ୍ । ଆଉ ସେଥିପାଇଁ ଟିକେଟ ବୁକିଂ ମଧ୍ୟ ସରିଛି । ମେ’ ୩୧ ଚତୁର୍ଥ ପର୍ଯ୍ୟାୟ ଲକ୍ଡାଉନ୍ ଶେଷ ହେବା ପରେ ଜୁନ ୧ ଚାଲିବ ୨୦୦ ନନ୍ ଏସି ଟ୍ରେନ୍ । କେଉଁ ଟ୍ରେନ୍ କେଉଁ ରୁଟ୍ରେ ଚଳାଚଳ କରିବ, ଏ ନେଇ ସଂପୂର୍ଣ୍ଣ ତାଲିକା ପ୍ରକାଶ କରିଛି ରେଳବାଇ । ସେଥି ମଧ୍ୟରେ ରହିଛି ମୁମ୍ବାଇରୁ ଭୁବନେଶ୍ୱର କୋଣାର୍କ ଏକ୍ସପ୍ରେସ, ପୁରୀ-ନୂଆଦିଲ୍ଲୀ ପୁରୁଷୋତମ ଏକ୍ସପ୍ରେସ, ହାୱଡ଼ା-ଭୁବନେଶ୍ୱର ଜନଶତାବ୍ଦୀ ଏକ୍ସପ୍ରେସ୍, ସିଆଳଦା – ପୁରୀ ଦୂରନ୍ତ ଏକ୍ସପ୍ରେସ । ଏହାଛଡ଼ା ଆଉ କିଛି ଏକ୍ସପ୍ରେସ ଟ୍ରେନ୍ ମଧ୍ୟ ଓଡ଼ିଶା ଦେଇ ଗତି କରିବ ।