ଦିଲ୍ଲୀ ଦରବାରରେ ଓଡ଼ିଆ ଅଫିସରଙ୍କ ଦବଦବା । ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରମୁଖ ସଚିବ ହୋଇପାରନ୍ତି ବରିଷ୍ଠ ଆଇଏଏସ ଅଫିସର ପ୍ରମୋଦ ମିଶ୍ର !

866

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ହୋଇପାରନ୍ତି ଓଡ଼ିଆ ପୁଅ । ବରିଷ୍ଠ ଆଇଏଏସ ଅଫିସର ନିପେନ୍ଦ୍ର ମିଶ୍ର ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପଦ ଛାଡିବା ନେଇ ଆବେଦନ କରିବା ପରେ ଏହି ପଦରେ ଓଡ଼ିଆ ପୁଅ ପ୍ରମୋଦ କୁମାର ମିଶ୍ରଙ୍କୁ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଛି । ୧୯୭୨ ଗୁଜୁରାଟ କ୍ୟାଡରର ଆଇଏଏସ ଅଫିସର ପ୍ରମୋଦଙ୍କୁ ନୂଆ ଦାୟିତ୍ୱ ମିଳିବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି । ଅବସରପ୍ରାପ୍ତ ଓଡ଼ିଆ ଆଇଏଏସ ଅଫିସର ପ୍ରମୋଦ ଏବେ ପିଏମଓର ଅତିରିକ୍ତ ସଚିବ ଭାବେ କାର୍ଯ୍ୟ କରୁଛନ୍ତି ।

ମୋଦିଙ୍କ ସବୁଠୁ ବିଶ୍ୱସ୍ତ ଅଫିସର ଭାବେ ପ୍ରମୋଦ ଜଣାଶୁଣା । ଗୁଜୁରାଟ କ୍ୟାଡରର ଏହି ଆଇଏଏସ ଅଫିସର ମୋଦି ମୁଖ୍ୟମନ୍ତ୍ରୀ ଥିବା ବେଳେ ଗୁଜୁରାଟର ପ୍ରମୁଖ ଶାସନ ସଚିବ ରହିଥିଲେ । ଆଉ ଏହି ସମୟରୁ ହିଁ ମୋଦିଙ୍କ ବିଶ୍ୱସ୍ତ ଅଫିସରଙ୍କ ତାଲିକାରେ ଯୋଡି ହୋଇଥିଲା ପ୍ରମୋଦଙ୍କ ନାଁ । ଯେଉଁଥିପାଇଁ ଅବସର ପରେ ମଧ୍ୟ ପ୍ରମୋଦଙ୍କୁ ପିଏମଓର ଅତିରିକ୍ତ ସଚିବ ଭାବେ ଗୁରୁଦାୟିତ୍ୱ ଦେଇଥିଲେ ପ୍ରଧାନମନ୍ତ୍ରୀ ମୋଦି । ପ୍ରଥମ ପାଳି ଭଳି ଦ୍ୱିତୀୟ ପାଳିରେ ମଧ୍ୟ ପ୍ରମୋଦଙ୍କ ଭରସା କରିଥିଲେ ମୋଦି ।

ଏହାପୂର୍ବରୁ ଦେଶରେ ପ୍ରଭାବଶାଳୀ ପ୍ରଶାସକଙ୍କ ତାଲିକାରେ ମଧ୍ୟ ସବୁଠୁ ଆଗରେ ରହିଥିଲେ ପ୍ରମୋଦ । ବ୍ୟୁରୋକ୍ରେସି ଟୁଡେ ପକ୍ଷରୁ କରାଯାଇଥିବା ସର୍ଭେରେ ଦେଶର ଅନ୍ୟ ପ୍ରଶାସକଙ୍କୁ ପଛରେ ପକାଇ ଶୀର୍ଷରେ ରହିଥିଲେ ଓଡ଼ିଆ ପୁଅ ପ୍ରମୋଦ । ନିଜ କାର୍ଯ୍ୟଦକ୍ଷତା ବଳରେ ମୋଦି ସରକାରଙ୍କ ମନ ଜିଣିଥିବା ପ୍ରମୋଦଙ୍କ ଜନ୍ମ ଓଡ଼ିଶାର ସମ୍ବଲପୁରରେ । ପ୍ରମୋଦ ଜିଏମ କଲେଜରେ ଅର୍ଥଶାସ୍ତ୍ରରେ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଶିକ୍ଷା ଶେଷ କରିଥିଲେ । ଆଉ ଏହାପରେ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେବା ପରେ ଓଡ଼ିଶାରେ ମଧ୍ୟ କିଛି ଦିନ ପାଇଁ କାମ କରିଥିଲେ । ମୋଦି ସରକାରଙ୍କ ଏହି ଟାଣୁଆ ଅଫିସର ବିପର୍ଯ୍ୟୟ ପରିଚାଳନା ପାଇଁ ଏହା ପୂର୍ବରୁ ଜାତିସଂଘ ଦ୍ୱାରା ମଧ୍ୟ ପୁରସ୍କୃତ ହୋଇଛନ୍ତି ।