ନବୀନଙ୍କୁ ଦୋଷ ଦେଲେ କେନ୍ଦ୍ର କୋଇଲା ମନ୍ତ୍ରୀ ! କହିଲେ, କାର୍ଯ୍ୟାନୁଷ୍ଠାନ ନହେବାରୁ କମୁଛି ଉତ୍ପାଦନ
କନକ ବ୍ୟୁରୋ : ଏମସିଏଲରେ କୋଇଲା ଉତ୍ପାଦନ କମିଥିବା ଯୋଗୁଁ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି କେନ୍ଦ୍ର ସରକାର । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାକୟଙ୍କୁ ଚିଠି ଲେଖିଛନ୍ତି କୋଇଲା ମନ୍ତ୍ରୀ ପିୟୂଷ ଗୋଏଲ । ବିରୋଧ କରୁଥିବା ଗୋଷ୍ଠୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବା ଯୋଗୁଁ ରାଜ୍ୟକୁ ୮୯୨କୋଟି ଟଙ୍କାର କ୍ଷତି ହୋଇଛି ବୋଲି ପିୟୂଷ କହିଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ଏହାସହ ରାଜ୍ୟରେ ପୁଂଜିନିବେଶ କମିବ ବୋଲି ରାଜ୍ୟ ସରକାରଙ୍କୁ ସତର୍କ କରାଇ ଦେଇଛନ୍ତି କେନ୍ଦ୍ର କୋଇଲା ମନ୍ତ୍ରୀ ପିୟୂଷ ଗୋଏଲ । ଗତ ଅଢେଇ ବର୍ଷ ମଧ୍ୟରେ ୪୧୮ଥର କାମ ବନ୍ଦ ହୋଇଛି । ଏବଂ ଏଥିପାଇଁ ୪୪.୨୨ ମିଲିୟନ ଟନ କୋଇଲା ଉତ୍ପାଦନର କ୍ଷତି ହୋଇଛି ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି । ଏହାର ବିକ୍ରୀ ମୂଲ୍ୟ ପାଖାପାଖି ୪୪ ଶହ କୋଟି ଟଙ୍କା ହେବ ।
ଗତ ଅଢେଇ ବର୍ଷରେ ରାଜ୍ୟ ୮୯୨ କୋଟି ଟଙ୍କାର ରାଜସ୍ୱରୁ ବଂଚିତ ହୋଇଛନ୍ତି ରାଜ୍ୟ ସରକାର । ଏବଂ ମାମଲା ରୁଜୁ କରିବା ପାଇଁ ପୁଲିସକୁ ୩୨୯ଥର ଏବଂ ସହାୟତା ପାଇଁ ଜିଲ୍ଲା ପ୍ରଶାସନକୁ ୮୯ଟି ପତ୍ର ଲେଖା ଯାଇଥିଲେ ବି କିଛି ଫଳ ମିଳିନାହିଁ । ଦେଶର ଶକ୍ତି ଆବଶ୍ୟକତାକୁ ପୂରଣ କରିବାକୁ ୨୦୨୦ ସୁଦ୍ଧା ୧ ବିଲିୟନ ଟନ କୋଇଲା ଉତ୍ପାଦନର ଲକ୍ଷ୍ୟ ରଖାଯାଇଛି । ଏହି ଲକ୍ଷ୍ୟ ହାସଲ ପାଇଁ କାମ କଲା ବେଳେ ବିରୋଧ ଯୋଗୁଁ ବାରମ୍ବାର ଏମସିଏଲର ମାଇନିଂ କାମ ବନ୍ଦ ହେଉଛି । ଏହି ବାଧା ପାଇଁ ସରକାରୀ ଜମିକୁ ମଧ୍ୟ କୋଇଲା ଖନନ ଓ ଆନୁଷଙ୍ଗିକ କାର୍ଯ୍ୟରେ ବ୍ୟବହାର ପାଇଁ ପ୍ରଦାନରେ ବିଳମ୍ବ ଘଟୁଥିବା ଚିଠିରେ ଉଲ୍ଲେଖ କରିଛନ୍ତି କେନ୍ଦ୍ର କୋଇଲା ମନ୍ତ୍ରୀ ।