ଦିଲ୍ଲୀର ଡାର୍ଲିଂ ନବୀନ : ମୁଖ୍ୟମନ୍ତ୍ରୀଙ୍କୁ ଦିଲ୍ଲୀ ଘରେ ଭେଟି ଓଡିଶାର କାମ କଲେ ମୋଦିଙ୍କ ମନ୍ତ୍ରୀ

32

କନକ ବ୍ୟୁରୋ : ନୂଆଦିଲ୍ଲୀର ୩-ୱୈରଙ୍ଗଜେବ୍ ରୋଡ୍ । ପଟ୍ଟନାୟକ-ମେହେଟା ବାସଭବନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦିଲ୍ଲୀସ୍ଥିତ ଏହି ପୈତୃକ ବାସଭବନରେ ଆସି ପହଂଚିଲେ କେନ୍ଦ୍ର ମନ୍ତ୍ରୀ ପିୟୁଷ ଗୋଏଲ । ପିୟୁଷ ଗୋଏଲ ହେଉଛନ୍ତି ମୋଦିଙ୍କ ଜଣେ ପାଖ ଲୋକ ତଥା କ୍ଷମତାଶାଳୀ ମନ୍ତ୍ରୀ । ଜଣେ ରାଷ୍ଟ୍ରମନ୍ତ୍ରୀ ହେଲେ ମୋଦି ତାଙ୍କୁ ଚାରୋଟି ଗୁରୁତ୍ୱପୂର୍ଣ୍ଣ ବିଭାଗ- ଶକ୍ତି, କୋଇଲା, ଖଣି ଓ ନବୀକରଣ ଉର୍ଜ୍ଜା ବିଭାଗର ସ୍ୱାଧୀନ ଦାୟିତ୍ୱ ଦେଇଛନ୍ତି । ଆଉ ସେହି ମନ୍ତ୍ରୀ ନବୀନଙ୍କ କାମ ପାଇଁ ନବୀନଙ୍କ ଘରକୁ ଆସିଛନ୍ତି ।

ବୈଠକରୁ ବାହାରିବା ପରେ ମନ୍ତ୍ରୀ ପିୟୁଷ ଗୋଏଲ ମଧ୍ୟ କହିଥିଲେ ଶକ୍ତି, କୋଇଲା ନିଲାମି ଓ ଖଣି ସଂପର୍କିତ ଓଡ଼ିଶାର ସମସ୍ୟାକୁ ସମାଧାନ କରିଦିଆଯିବ । ଦିଲ୍ଳୀ ଗସ୍ତ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରରେ କହିଥିଲେ- ତାଙ୍କର ଅନ୍ୟାନ୍ୟ କାର୍ଯ୍ୟକ୍ରମ ସହ ଶକ୍ତି ମନ୍ତ୍ରୀ ପିୟୁଷ ଗୋଏଲଙ୍କ ସହ ସାକ୍ଷାତ କାର୍ଯକ୍ରମ ରହିଛି । କିନ୍ତୁ କେହି ଭାବିନଥିଲେ ମୋଦିଙ୍କ ମନ୍ତ୍ରୀ ଓଡ଼ିଶା ସମସ୍ୟାର ସମାଧାନ ପାଇଁ ନିଜେ ନବୀନଙ୍କ ଘରକୁ ଆସିବେ ।

ବିଗତ କିଛି ଦିନର ଘଟଣାକ୍ରମକୁ ଦେଖିଲେ ଏହି ସମୀକରଣ ସେତେ ସହଜ ଲାଗିବ ନାହିଁ । ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ଯୋଗ ଦେବାକୁ ଆସିଥିବା ବେଳେ ହଠାତ୍ ମଝିରେ ଗାଏବ ହୋଇଗଲେ ଜେଟଲୀ । ପରେ ଜଣାପଡ଼ିଲା ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ସହ ମଧ୍ୟାହ୍ନଭୋଜନ କରୁଥିଲେ ନବୀନ । ଗୋଟିଏ ପଟେ ରାଜ୍ୟ ବିଜେପି ନବୀନ ସରକାରଙ୍କ ବିରୋଧରେ ରଣହୁଙ୍କାର ଦେଇଚାଲିିଥିବା ବେଳେ ଅନ୍ୟ ପଟେ ଦଳର ତୁଙ୍ଗ ନେତାଙ୍କ ନବୀନଙ୍କ ସହ ଘନିଷ୍ଠତା ସେମାନଙ୍କୁ ମଧ୍ୟ ଦ୍ୱନ୍ଦ୍ୱରେ ପକାଇ ଦେଉଛି । କାରଣ ଦିଲ୍ଲୀର ଡାର୍ଲିଂ ପାଲଟିଯାଇଛନ୍ତି ନବୀନ ।