ହୀରାକୁଦ ରିଜର୍ଭରରେ ମାଛ ଚାଷ କରିବେ ମାଛଚାଷୀ : ରାଜ୍ୟ ସରକାରଙ୍କ ସହ ଚୁକ୍ତି କଲେ ସମ୍ବଲପୁର, ଝାରସୁଗୁଡା ଓ ବରଗଡର ୫ ସମବାୟ ସମିତି

ପିପିପି ମୋଡରେ କେଜ୍ ପ୍ରଣାଳୀରେ ହେବ ମତ୍ସ୍ୟ ଉତ୍ପାଦନ

108

କନକ ବ୍ୟୁରୋ : ହୀରାକୁଦ ରିଜଭର ଭିତରେ ଚାଲିଛି ମାଛଚାଷ । କେଜ୍ ପ୍ରଣାଳୀରେ ଚାଲିଛି ମାଛଚାଷ । ଆଗକୁ ମଧ୍ୟ ଏହି ଚାଷ ବୃଦ୍ଧି ପାଇବ । ଏଥିପାଇଁ ରାଜ୍ୟ ସରକାର ଓ ୫ଟି ସମବାୟ ସମିତି ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷର ହୋଇଛି । ଆସନ୍ତା ୨୦ ତାରିଖରେ ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପର ଶୁୁଭ ଉଦଘାଟନ କରିବେ ।

ସାଧାରଣତଃ ମାଛ ଚାଷୀ ହୀରାକୁଦ ରିଜଭର ଉପରେ ନିର୍ଭର କରିଥାନ୍ତି । କିଛି ଯୁବକ ମାଛଚାଷ କରିବାକୁ ଆଗ୍ରହ ରଖିଥିଲେ ସୁଦ୍ଧା ପୋଖରୀର ବ୍ୟବସ୍ଥା ନଥିବାରୁ ଚାଷ କରିପାରନ୍ତି ନାହିଁ । ସେହିଭଳି ଯୁବକମାନଙ୍କ ପାଇଁ ସରକାର ବିଭିନ୍ନ ଯୋଜନା କରିଥିବା ବେଳେ ମତ୍ସ୍ୟ ବିଭାଗ ଏବେ ରୋଜଗାରର ଉପାୟ ବାହାର କରିଛି । ହିରାକୁଦ ରିଜଭର ଭିତରେ କେଜ୍ ପ୍ରଣାଳୀରେ ମାଛ ଚାଷ କରିବେ ଚାଷୀ ।

ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼ର ୫ଟି ସମବାୟ ସମିତି କେଜ୍ ପ୍ରଣାଳୀରେ ମାଛ ଚାଷ କରିବା ପାଇଁ ସରକାରଙ୍କ ସହ ଚୁକ୍ତି କରିଛନ୍ତି । ୫ ମିଟର ଲମ୍ବ, ୫ ମିଟର ଓସାର ସହ ୪ ଫୁଟ୍ ଗଭୀରର ଏହି କେଜରେ ୧୦ଟି ଲେଖାଏଁ ପିଞ୍ଜରା ରହିବ । ଏ ବାବାଦକୁ ୨୫ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ଏଥିରେ ଶୀଘ୍ର ବଡ଼ ହେଉଥିବା ମାଛ ଜାଆଁଳା ଛଡ଼ାଯିବ । ୭ରୁ ୮ ମାସ ଭିତରେ ପ୍ରତି କେଜରୁ ୩୦ କ୍ୱିଂଟାଲ ମାଛ ଉତ୍ପାଦନ ହେବ । ବାର୍ଷିକ ୧୫ ଲକ୍ଷ ଟଙ୍କା ରୋଜଗାର କରିପାରିବେ ସମବାୟ ସମିତି ।

ହୀରାକୁଦ ରିଜଭରରେ ମତ୍ସ୍ୟ ବିଭାଗ ପ୍ରଥମେ ପରୀକ୍ଷା ମୂଳକ ଭାବେ କେଜ୍ ପ୍ରଣାଳୀରେ ମାଛଚାଷ କରି ୧୮ ଲକ୍ଷ ଟଙ୍କାର କାରବାର କରିଥିଲା । ପରେ ଏଠାରେ ମାଛ ଚାଷ କରିବା ପାଇଁ ସମବାୟ ସମିତିଗୁଡିକ ସରକାରଙ୍କ ସହ ୫ ବର୍ଷର ଚୁକ୍ତି କରିଛନ୍ତି । ପିପିପି ମୋଡ଼ରେ ସମବାୟ ସମିତି ଗୁଡିକ ପ୍ରଥମ ବର୍ଷ ୨୫ହଜାର ଓ ପରେ ଅତିରିକ୍ତ ୧୦ ପ୍ରତିଶତ ଅର୍ଥ ସରକାରଙ୍କ ନିକଟରେ ଜମା କରିବାର ନିୟମ କରିଛନ୍ତି ସରକାର ।

ସରକାରଙ୍କ ଏହି ବ୍ୟବସାୟିକ ଯୋଜନା ଦ୍ୱାରା ବେଶ୍ ଲାଭବାନ୍ ହୋଇପାରିବେ ମତ୍ସ୍ୟଚାଷୀ ।