ପିପିଲି ପଲିଟିକ୍ସ ! ପୁଣି ବିଜୟୀ ହେବାର ଦମ୍ଭୋକ୍ତି ବାଢ଼ିଲେ ମହାରଥୀ, ବିଜେପି ଓ କଂଗ୍ରେସର ଆଶାୟୀ ଅନେକ ।

422

କନକ ବ୍ୟୁରୋ: ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଦମ୍ଭୋକ୍ତି ପୁଣି ପିପିଲିରେ ପିନ୍ଧିବେ ବିଜୟ ତିଳକ । ଏପରିକି ମହାରଥୀ କହିଛନ୍ତି ଯେ, ଆଗକୁ ଥିବା ନିର୍ବାଚନରେ ପିପିଲିରେ ତାଙ୍କ ବିପକ୍ଷରେ କେହି ପ୍ରତିନ୍ଦ୍ୱନ୍ଦି ନାହାନ୍ତି । ଏହାସହ ଦଳୀୟ ଟିକେଟ୍ ତାଙ୍କୁ କି ତାଙ୍କ ପରିବାରରେ କାହାକୁ ମିଳିବା ନେଇ ଚାଲୁଥିବା ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି ମହାରଥୀ । କହିଛନ୍ତି, ଗୁଜବକୁ ମୁଁ ବିଶ୍ୱାସ କରେ ନାହିଁ । ପିପିଲିରେ ବିଜେଡିର ବିଜୟ ସୁନିଶ୍ଚିତ ହେବ । ଲୋକମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ଆସ୍ଥା ବଜାୟ ରଖିଛନ୍ତି ।

maharathyସେପଟେ କଂଗ୍ରେସ ପିପିଲରେ କଂଗ୍ରେସ ବିଜେଡିର ପ୍ରମୂଖ ପ୍ରତିଦ୍ୱନ୍ଦୀ ରହିଥଲେ ସୁଦ୍ଧା ଦଳୀୟ ଟିକେଟ୍ କାହାକୁ ମିଳିବ ତାହା ବର୍ତ୍ତମାନ ଦ୍ୱନ୍ଦରେ ରହିଛି । କାରଣ ପିପିଲି କଂଗ୍ରେସ ମଣ୍ଡଳ ସଭାପତି ଅଜିତ ମଙ୍ଗରାଜଙ୍କୁ ଟିକେଟ୍ ମିଳିବ ବୋଲି ବେଶ୍ ଆଶାୟୀ ଅଛନ୍ତି । ଅନ୍ୟପଟେ ପ୍ରଦୀପ ମହାରଥୀଙ୍କୁ କଡ଼ା ଟକ୍କର କେବଳ କଂଗ୍ରେସର ପିପିଲି ନେତା ଯୁଧିଷ୍ଠିର ସାମନ୍ତରାୟ ଦେଇପାରିବେ ବୋଲି ରାଜନୀତି ମହଲରେ ଶୁଣିବାକୁ ମିଳୁଛି । କିନ୍ତୁ ଯୁଧିଷ୍ଠିର ସାମନ୍ତରାୟ ବାରମ୍ବାର ଜେଲ ଯାଇ ଫେରିବା ଘଟଣା ପିପିଲି କଂଗ୍ରେସ ପାଇଁ ପ୍ରଭାବ ପକାଇପାରେ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି ।

ଅନ୍ୟପଟେ ବିଜେଡି ଗଡ଼କୁ ଧସେଇ ପସିବା ପାଇଁ ବିଜେପି କ୍ୟାମ୍ପରେ ରଣନୀତି ପ୍ରସ୍ତୁତ ହୋଇଛି । ପିପିଲି ବିଜେପି ନେତା ଆଶ୍ରିତ ପଟ୍ଟନାୟକ ଓ ବିକାଶ ପଟ୍ଟନାୟକ ଉଭୟ ବିଜେଡି ଓ କଂଗ୍ରେସକୁ କଡ଼ା ଟକ୍କର ଦେବାକୁ ସଜବାଜ ହେଉଛନ୍ତି । ଆଶ୍ରିତ ପଟ୍ଟନାୟକ ୨୦୦୭ରୁ ୨୦୧୨ ପର୍ଯ୍ୟନ୍ତ କଂଗ୍ରେସ ସମର୍ଥିତ ପିପିଲି ଚେୟାମ୍ୟାନ୍ ଥିବା ସହ ୨୦୧୨ରୁ ୨୦୧୭ ପର୍ଯ୍ୟନ୍ତ ପିପିଲି କଂଗ୍ରେସର ଜିଲ୍ଲାପରିଷଦ ପ୍ରାର୍ଥୀ ଥିଲେ ଆଶ୍ରିତ । କିନ୍ତୁ ଗତ ଜିଲ୍ଲାପରିଷଦ ନିର୍ବାଚନରେ ଆଶ୍ରିତଙ୍କୁ ଟିକେଟ୍ ମିଳିଲାନି । ତେଣୁ ସେ ସ୍ୱାଧିନ ପ୍ରାର୍ଥୀ ଭାବେ ଛିଡ଼ା ହୋଇଥିଲେ ଏବଂ କଂଗ୍ରେସ ଦୁଇଫାଳ ହୋଇଥିଲା । ଯାହାଫଳରେ ଯୁଧିଷ୍ଠିର ପରାଜୟ ହୋଇଥିଲେ ।

ଏବେ ଆଶ୍ରିତ ପଟ୍ଟନାୟକ ପିପିଲି ବିଜେପି ମଙ୍ଗ ଧରିଛନ୍ତି । କିନ୍ତୁ ତାଙ୍କ ବାଟଓଗାଳୁଛନ୍ତି ଆଉ ଜଣେ ବିଜେପି ଆଶାୟୀ ପ୍ରାର୍ଥୀ ବିକାଶ ପଟ୍ଟନାୟକ ବୋଲି ଚର୍ଚ୍ଚା ହେଉଛି । ଯାହଙ୍କ ଜେଜେ ବାପା ରାମଚନ୍ଦ୍ର ପଟ୍ଟନାୟକ ଦୁଇ ଦୁଇ ଥର ପିପିଲି ବିଧାୟକ ରହି ଆସିଛନ୍ତି । ତେଣୁ   ଯଦି ରାଜନୀତି ସମୀକ୍ଷକଙ୍କ ଅଙ୍କକୁ ତର୍ଜମା କରାଯାଏ ଏବେ ପିପିଲିରେ ଉଭୟ କଂଗ୍ରେସ ଓ ବିଜେପିର ଦୁଇ ଦୁଇ ଜଣ ଆଶାୟୀ ପ୍ରାର୍ଥୀ ବାହାରିଲେଣି ଯାହା ଶାସକ ବିଜେଡି ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କୁ ଫାଇଦା ଦେଇପାରେ । କିନ୍ତୁ ନିକଟରେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ମହାରଥୀଙ୍କ ବିରୋଧରେ ଉଭୟ ବିରୋଧୀ ପିପିଲି ଗଣଦୁଷ୍କର୍ମ ପ୍ରସଙ୍ଗ ଉଠାଇ ଗର୍ଜିବେ ବୋଲି ଯୋଜନା କରୁଥିବା ଚର୍ଚ୍ଚା ହେଉଛି ।