ସମ୍ପର୍କରେ ଲାଗିଲା ରକ୍ତର ଛିଟା ! ସ୍ୱାମୀଙ୍କ ଅଜାଣତରେ ଶାଶୂଙ୍କୁ ତଣ୍ଟି ଚିପି ମାରିଦେଲେ ଦୁଇ ବୋହୂ, ଦେଢ ମାସ ପରେ ସାମ୍ନାକୁ ଆସିଲା ସତ ।

44

ପୁରୀ ଜିଲ୍ଲା ସତ୍ୟବାଦୀ ପୋଲିସ ଏପରି ଏକ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି, ଯାହାକୁ ଶୁଣିଲେ ଆପଣ ବିଶ୍ୱାସ କରି ପାରିବେନି । ଦୁଇ ବୋହୂ ମିଳିମିଶି ଶାଶୁଙ୍କୁ ମାରି ଦେଇଛନ୍ତି । କେବଳ ସେତିକି ନୁହେଁ ଶାଶୂକୁ ମାରିଦେବା ପରେ ମୃତଦେହକୁ ଗଡ଼ିଆରେ ଫିଙ୍ଗି ଦେଇଥିଲେ ଦୁଇ ଅଭିଯୁକ୍ତ । ଏହାପରେ ଶାଶୂ ନିଖୋଜ ହୋଇ ଯାଇଥିବା ନାଟକ ରଚିଥିଲେ ଦୁଇ ବୋହୂ । ତେବେ ପୋଲିସର ସନ୍ଧାନୀ ଆଖି ଆଗରୁ ଘୋଡ଼ାଇ ପାରିନଥିଲେ ସେମାନଙ୍କ ପାପ ।

ସତ୍ୟବାଦୀର ଏହା ସାଂଘାତିକ କାହାଣୀ, ଯେଉଁଠି ବୋହୂ ମାରିଦେଲେ ଶାଶୂକୁ । ଏ ଏପରି ଏକ କାହାଣୀ, ଯାହାକୁ ହୁଏତ ଆପଣ ପୂର୍ବରୁ ଶୁଣିନଥିବେ । ଶାଶୂର ତଂଟି ଚିପି ମାରିଦେଲେ ଦୁଇ ବୋହୂ । କେବଳ ସେତିକି ନୁହେଁ, ପ୍ରମାଣ ନଷ୍ଟ କରିବା ପାଇଁ ପ୍ରଫେସନାଲ ହତ୍ୟାକାରୀଙ୍କ ଭଳି ରଚିଥିଲେ ସାଂଘାତିକ ଷଡଯନ୍ତ୍ର । ଆଉ ଏହାର ସାମାନ୍ୟ ସୁରାକ ମଧ୍ୟ ପାଇପାରିନଥିଲେ ଅଭିଯୁକ୍ତ ମହିଳାଙ୍କ ସ୍ୱାମୀ । ଦୁଇ ପୁଅ, ମାଆକୁ ଖୋଜୁଥିଲେ, ନିଖୋଜ ନେଇ ରିପୋର୍ଟ ଦେଇଥିଲେ, ହେଲେ ମାଆକୁ ନିଜ ସ୍ତ୍ରୀ ହତ୍ୟା କରିଛନ୍ତି, ଏ ନେଇ ଜାଣି ପାରିନଥିଲେ ।

ଶାଶୂ-ବୋହୂ ମଧ୍ୟରେ ଝଗଡ଼ା ଯେ, ଏଭଳି ସାଂଘାତିକ ହୋଇପାରେ ଏହାର କଳ୍ପନା କରିବା କଷ୍ଟକର । ଘଟଣାର ପୂର୍ବଦିନ ସତ୍ୟବାଦୀ ଥାନାରେ ବୋହୂ ବିରୋଧରେ ନିର୍ଯାତନା ଅଭିଯୋଗ କରିଥିଲେ ଶାଶୂ । ବୋହୂଙ୍କୁ ଥାନାକୁ ଡକାଇ ଥାନାବାବୁ ତାଗିଦ ବି କରିଥିଲେ । ହେଲେ ଥାନାକୁ ଟଣା ହୋଇ ଆସିବା ଘଟଣାକୁ ସହଜରେ ଗ୍ରହଣ କରିପାରିନଥିଲେ ଦୁଇ ମହିଳା । ଶାଶୂକୁ ରାସ୍ତାରୁ ହଟାଇ ଦେବାକୁ କରିଥିଲେ ଯୋଜନା ।

ଜୁନ ୩୦ ତାରିଖ । ସମୟ ଥିଲା ପାଖାପାଖି ଅପରାହ୍ଣ ୩ଟା । ସତ୍ୟବାଦୀର ବସ୍ତପଡ଼ା ଗାଁରେ ଘଟିଥିଲା ଏଭଳି ଏକ ଚାଞ୍ଚଲ୍ୟକର ଘଟଣା । ପୂର୍ବ ପ୍ଲାନ ଅନୁସାରେ ସ୍ୱାମୀ ଘରେ ନଥିବା ବେଳେ ଶାଶୂକୁ ଟାର୍ଗେଟ କରିଥିଲେ ଦୁଇ ବୋହୂ । ବଡ଼ ବୋହୂ ଗୋଡ଼କୁ ଜାବୁଡି ଧରିବା ପରେ ସାନ ବୋହୂ  ତଂଟିଚିପି ହତ୍ୟା କରିଥିଲା । ଏହା ପରେ ତିନି ଘଂଟା କାଳ ଘରେ ରଖିଥିଲେ । ରାତି ହେବା ପରେ ଘର ପାଖ ଦଳ ଗଡ଼ିଆ ଭିତରକୁ ମୃତଦେହକୁ ଫିଙ୍ଗି ଦେଇଥିଲେ । ହତ୍ୟାକୁ ନିଖୋଜର ରୂପ ଦେବା ପାଇଁ ଶାଶୂର ଭ୍ୟାନିଟି ଓ ଚପଲକୁ ଲୁଚାଇ ଦେଇଥିଲେ । ସ୍ୱାମୀ ଆସିବା ପରେ ଶାଶୂ ଘରକୁ ଫେରିନଥିବା କହି ଖୋଜାଖୋଜିରେ ଲାଗିପଡ଼ିଲେ । ନିଖୋଜ ମାମଲା ମଧ୍ୟ ଥାନାରେ ରୁଜୁ ହୋଇଥିଲା ।

ଜୁଲାଇ ୪ ତାରିଖରେ ଗଡ଼ିଆ ଭିତରୁ ମିଳିଥିଲା ମହିଳାଙ୍କ ମୃତଦେହ । ତେବେ ପାରିପାଶ୍ୱିର୍କ ଅବସ୍ଥାରୁ ପ୍ରଥମ ହିଁ ସତ୍ୟବାଦୀ ଥାନା ଅଧିକାରୀ ସଂଦେହ କରିଥିଲେ । ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ତାଙ୍କ ସଂଦେହ ଘନିଭୂତ ହୋଇଥିଲା । ଦୁଇ ବୋହୂକୁ ପଚାରାଉଚରା ଓ ସେମାନଙ୍କ ଠାରୁ ମୃତ ମହିଳାଙ୍କ ଭ୍ୟାନିଟି, ଚପଲ ମିଳିବା ପରେ ସତ ପଦାକୁ ଆସିଥିଲା । ଶାଶୁର ନିର୍ଯାତନାରେ ଅତିଷ୍ଟ ହୋଇ ଏପରି ସଂଗୀନ ଅପରାଧ କରିଥିବା ପୋଲିସ ଆଗରେ ବଖାଣିଛନ୍ତି ଦୁଇ ଅଭିଯୁକ୍ତ । ହତ୍ୟା ଓ ଷଡ଼ଯନ୍ତ୍ରର ଏହି ଭୟଙ୍କର କାହାଣୀ ଯେତିକି ଲୋମସର୍ଷଣକାରୀ ସେତିକି ରହସ୍ୟଜନକ । ମାତ୍ର ଦେଢ଼ମାସ ଭିତରେ ଏହି ରହସ୍ୟମୟ ହତ୍ୟାକାଣ୍ଡର ପର୍ଦାଫାସ କରି ବଡ଼ ଧରଣର ସଫଳତା ପାଇଛି ସତ୍ୟବାଦୀ ପୋଲିସ ।