ପିପିଲିରେ ଫ୍ଲାଇଙ୍ଗ୍ ମାଜିଷ୍ଟ୍ରେଟଙ୍କୁ ଆକ୍ରମଣ ଘଟଣା ! ଗିରଫ ହେଲେ ପିପିଲି ବିଧାୟକ ପ୍ରଦୀପ ମହାରଥୀ ।

4,911

କନକ ବ୍ୟୁରୋ: ଗିରଫ ହେଲେ ପିପିଲି ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥୀ । ଗତକାଲି ପିପିଲିରେ ଫ୍ଲାଇଙ୍ଗ୍ ସ୍କ୍ୱାର୍ଡ ମାଜିଷ୍ଟ୍ରେଟଙ୍କୁ ଆକ୍ରମଣ ଘଟଣାରେ ମହାରଥୀଙ୍କୁ ଗିରଫ କଲା ପିପିଲି ପୋଲସ୍ । ତେବେ ମହାରଥୀଙ୍କ ବିରୋଧରେ, ୩୦୭, ୩୫୩, ୩୪୧, ୩୩୨, ୧୪୭, ୧୪୮, ୧୪୯, ଦଫା ୧୭୧ ବି, ୧୮୬ ଏବଂ ଆଇପିସି ୨୩ ଆଧାରରେ ପିପିଲି ପୋଲସ ମହାରଥୀଙ୍କୁ ଗିରଫ କରିଛି । ସୂଚନା ମୁତାବକ, ଗତକାଲି ପିପିଲିର ଏକ ଫାର୍ମହାଉସକୁ ରାତି ପ୍ରାୟ ସାଢ଼େ ୧୨ଟା ବେଳେ ପିପିଲିରେ ନିର୍ବାଚନ ଫ୍ଲାଇଙ୍ଗ୍ ସ୍କ୍ବାଡ୍, ଷ୍ଟାଟିକ୍ ସର୍ଭେଲାନ୍ସ ଟିମ୍ ଓ ବିଡିଓ ସର୍ଭେଲାନ୍ସ ଟିମ୍ ଚଢ଼ାଉ ପାଇଁ ଯିବାବେଳେ ଆକ୍ରମଣ ହୋଇଥିଲା । ଯାହାଫଳରେ ତିନି ଟିମର ୫ଜଣ ସଦସ୍ୟ ଗୁରୁତର ଆହତ ହୋଇଥିବା ସୂଚନା ମିଳିଥିଲା ।

ଅନ୍ୟପଟେ ଏମାନଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି । ସେହିପରି ଫ୍ଲାଇଙ୍ଗସ୍କ୍ୱାର୍ଡ ଟିମର କ୍ୟାମେରାମ୍ୟାନ ଉପରେ ମଧ୍ୟ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଏହାପରେ ଘଟଣା ସ୍ଥଳରେ ପୁରୀ ଜିଲ୍ଲାପାଳ ଜ୍ୟୋତିପ୍ରକାଶ ମିଶ୍ର ଘଟଣାସ୍ଥଳରେ ପହଁଚି ତଦନ୍ତ ଜାରି ରଖିଛନ୍ତି । ପିପିଲି ଥାନରେ ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥୀଙ୍କୁ ଅଟକ ରଖି ପଚରାଉଚୁରା କରିଥିଲା ପୋଲିସ୍ ଏହାପରେ ମହାରଥୀଙ୍କୁ ଗିରଫ କରିଛି ପିପିଲି ପୋଲିସ ।