ସିଲିଣ୍ଡର ଯୁଗ ଶେଷ ! ଏଣିକି ପାଇପ୍ ଯୋଗେ ଘରେ ପହଂଚିବ ଗ୍ୟାସ୍

45

କନକ ବ୍ୟୁରୋ : ସରିବ ସିଲିଣ୍ଡରର ଯୁଗ । ରୋଷେଇ ଗ୍ୟାସ ପାଇଁ କଷ୍ଟମର କେୟାର ନମ୍ବରରେ ଫୋନ କରି ବୁକ କରିବେ, ତିନି ଚାରି ଦିନର ଅପେକ୍ଷା ପରେ ଘରେ ପହଞ୍ଚିବ ସିଲିଣ୍ଡର । ଏହି ଧାରାରେ ଲାଗିବାକୁ ଯାଉଛି ବ୍ରେକ୍ । କାରଣ ଏବେ ନବ୍ ଖୋଲିଲେ ଆସିବ ଏଲପିଜି ଗ୍ୟାସ । ମାତ୍ର ୨ ଦିନ ପରେ ରାଜଧାନୀର ନାଲକୋ ନଗରରେ ଏହି ଯୋଜନା କାର୍ଯ୍ୟକାରୀ ହେବାକୁ ଯାଉଛି ।

ଡିପୋରୁ ସିଧାସଳଖ ପାଇପ ଯୋଗେ ଗ୍ୟାସ୍ ଆସି ଗ୍ରାହକଙ୍କ ଘରେ ଥିବା ରେଗୁଲେଟରରେ ସଂଯୋଗ, ଏହା ପରେ ରେଗୁଲେଟରରୁ ରୋଷେଇ ଘରକୁ ସଂଯୋଗ । ଘର ଭିତରେ ପାଇପରେ ଲଗାଯାଇଥିବା ମିଟରରୁ ପାଇପ ଯାଇଥାଏ ଗ୍ୟାସ ଷ୍ଟୋଭକୁ । ଏଣିକି ଗ୍ୟାସ ଯୋଗାଣ ବ୍ୟବସ୍ଥା ଏହିପରି ହେବ । ପାଇପ ଲାଇନ ଯୋଗେ ଗ୍ୟାସ ପାଇବାକୁ ଯାଉଛନ୍ତି ରାଜଧାନୀବାସୀ । ଗ୍ରାହକ ଯେତିକି ଗ୍ୟାସ ବ୍ୟବହାର କରିବେ ସେହି ଅନୁଯାୟୀ ବିଲ ପୈଠ କରିବେ । ଗ୍ୟାସ ଟାଙ୍କିଠାରୁ ଏହା ୩୦ରୁ ୪୦ ପ୍ରତିଶତ ଶସ୍ତା ହେବା ବୋଲି କୁହାଯାଉଛି ।

ପ୍ରଥମ ପର୍ଯ୍ୟାୟରେ ନାଲକୋନଗରର ୨୫୫ଟି ଘର ଏହି ସୁବିଧା ପାଉଥିବାବେଳେ ପରବର୍ତୀ ପର୍ଯ୍ୟାୟରେ ଭୁବନେଶ୍ୱର ମୈତ୍ରୀ ବିହାର ଓ କଟକରେ ଏହି ସୁବିଧା ପାଇପାରିବେ ଗ୍ରାହକ । ‘ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା’ ଯୋଜନା ଆଧାରରେ ୭୬୯ କିଲୋମିଟର ଗ୍ୟାସ ପାଇପ ଲାଇନ ରାଜ୍ୟର ୧୩ଟି ଜିଲ୍ଲାରେ ଏହି ଯୋଜନା କାର୍ଯ୍ୟକାରୀ ହେବ ।