ସାହାସ ଅଛି ତ, ବିଧାୟକଙ୍କୁ ଧରି ଦଳ ଛାଡ ! କେନ୍ଦ୍ରାପଡା ସାଂସଦଙ୍କୁ ପୁରୀ ସାଂସଦଙ୍କ ଆହ୍ୱାନ

30

କନକ ବ୍ୟୁରୋ : ଯଦି ସାହାସ ଅଛି ତେବେ ବିଧାୟକଙ୍କୁ ଧରି ଦଳ ଛାଡ । କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଏଭଳି ଆହ୍ୱାନ ଦେଇଛନ୍ତି ପୁରୀ ସାଂସଦ ପିନାକୀ ମିଶ୍ର । ଦଳରେ ଅର୍ନ୍ତଦ୍ୱନ୍ଦ୍ୱ ଓ ମତଭେଦକୁ ନେଇ ବଡ ଧରଣର ଚର୍ଚ୍ଚା ଚାଲିଥିବା ବେଳେ ଜାତୀୟ ଗଣମାଧ୍ୟମ ଦି ୱିକରେ, ବର୍ଖା ଦତ୍ତଙ୍କୁ ପିନାକୀ ଦେଇଥିବା ଏହି ପ୍ରତିକ୍ରିୟା ବିଜେଡି ରାଜନୀତିକୁ ଗରମ କରିଛି ।

ପିନାକୀ କହିଛନ୍ତି, ‘ ବୈଜୟନ୍ତ ପଣ୍ଡା ଏବେ ସଂପୂର୍ଣ୍ଣ ଏକା ଏବଂ ଦଳରେ ଅର୍ନ୍ତଦ୍ୱନ୍ଦ ଥିବା କଥା କହୁଛନ୍ତି । ପ୍ରକୃତରେ କଥା ହେଉଛି ଯଦି ଦଳରେ କିଛି ଅନ୍ତର୍କନ୍ଦଳ ରହିଛି ତାହେଲେ ସେ ତାଙ୍କ ସମର୍ଥକ ବିଧାୟକମାନଙ୍କୁ ଧରି ଦଳ ଛାଡିଦେବା କଥା । କିନ୍ତୁ ତାଙ୍କ ସହ ଜଣେ ହେଲେ ବି ବିଧାୟକ ନାହାନ୍ତି ।’

ପଂଚାୟତ ନିର୍ବାଚନରେ ବିଜେଡିର ପ୍ରଦର୍ଶନକୁ ନେଇ ଦଳ ଭିତରେ ଆତ୍ମସମୀକ୍ଷାର କଥା କହି ବିବାଦୀୟ ହୋଇପଡିଥିଲେ କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା । ଏପରିକି ଅନେକ ପ୍ରସଙ୍ଗରେ କେନ୍ଦ୍ରରେ ମୋଦି ସରକାରଙ୍କ ପ୍ରଶଂସା କରି ଦଳଭିତରେ କୋଣଠେସା ହୋଇପଡିଥିଲେ । ଆଉ ଶେଷରେ ସଂସଦୀୟ ଦଳ ମୁଖପାତ୍ର ପଦରୁ ହଟାଇ ତାଙ୍କ ପକ୍ଷ ଛେଦନ କରିଥିଲେ ପାର୍ଟି ସୁପ୍ରିମୋ ନବୀନ ପଟ୍ଟନାୟକ ।

ତେବେ ଏହାର ପ୍ରତିକ୍ରିୟା ନିଜର ଅତିପ୍ରିୟ ସୋସିଆଲ୍ ମିଡିଆରେ ରଖିଛନ୍ତି ବୈଜୟନ୍ତ ପଣ୍ଡା । ଟ୍ୱିଟ୍ କରି ଲେଖିଛନ୍ତି ଯେ ‘ ମୁଁ କେତେ ଏକୁଟିଆ ତାହା ମୋର ଟ୍ୱିଟର ଓ ଫେସବୁକ ଟାଇମଲାଇନରୁ ଅନୁମାନ କରିହେବ ।’ ଏଭଳି ପ୍ରତିକ୍ରିୟା ରଖି ବୈଜୟନ୍ତ ସ୍ପଷ୍ଟ କରିଦେଇଛନ୍ତି ଯେ, ସେ ଏକୁଟିଆ ନୁହନ୍ତି । ବିଜେଡିରେ ଅଣବୈଜୟନ୍ତ ଗୋଷ୍ଠୀକୁ ଚ୍ୟାଲେଞ୍ଜ୍ କରିଛନ୍ତି, ଠିକ ଯେମିତି ସେ ଅନେକ ପ୍ରସଙ୍ଗରେ ଦଳର ନେତା ଓ ଦଳ ପରିଚାଳନା ଶୈଳୀକୁ ବିରୋଧ କରିଆସିଛନ୍ତି ।

ଦଳ ଭିତରେ ରହି ବାରମ୍ବାର ଦଳ ବିରୋଧୀ ଆଭିମୁଖ୍ୟ ରଖୁଥିବା ବୈଜୟନ୍ତ ଧିରେ ଧିରେ ବିଜେଡିରେ ନିଜର ପତିଆରା ହରାଉଥିବା ଚର୍ଚ୍ଚା ଭିତରେ ଦିଲ୍ଲୀ ବିଜେଡିର ଆଉଜଣେ ହେଭିୱେଟ ନେତା ପିନାକୀ ମିଶ୍ର ତାଙ୍କୁ ଅସହାୟ ବୋଲି ପ୍ରତିକ୍ରିୟା ରଖିବା ଚର୍ଚ୍ଚାର ବିଷୟ ହୋଇଛି ।