ଝାରସୁଗୁଡାରୁ ଉଡି ପାରୁନି ବିମାନ ! ପାଇଲଟଙ୍କ ଦାବି ମୋ ଦରମା ମତେ ଦିଅ ।

45

ଦରମା ନପାଇ ଏୟାର ଓଡିଶା ବିରୋଧରେ ଡିଜିସିଏର ଦ୍ୱାରସ୍ତ ହେଲେ ଭେନେଜୁଏଲା ପାଇଲଟ୍ । ଯେଉଁ ପାଇଲଟ୍ ବିମାନରେ ଯାତ୍ରୀଙ୍କୁ ନେଇ ଉଡାଣ ଭରିବାର ଥିଲା, ସେଇ ପାଇଲଟ୍ ଦରମା ମିଳୁନଥିବା ଅଭିଯୋଗ କରି ଧାରଣା ଦେଉଛନ୍ତି । ଡିଜିସିଏ କାର୍ଯ୍ୟାଳୟରେ ଧାରଣା ଦେଉଥିବା ଏହି ପାଇଲଟ୍ ଜଣକ ହେଉଛନ୍ତି, ଭେନେଜୁଏଲାର ରୁବେନ୍ କଲ୍ । ଯାହାଙ୍କୁ ନିଯୁକ୍ତି ଦେଇଥିଲେ ଏୟାର ଓଡ଼ିଶା । ହେଲେ ୪ ମାସ ହେଲାଣୀ, ଏୟାର ଓଡ଼ିଶା ପାଇଲଟଙ୍କୁ ଦରମା ଦେଉନି । ସ୍ଥିତି ଏମିତି ହୋଇଛି ଯେ, ରୁବେନ୍ ନିଜ ଦେଶ ଭେନେଜୁଏଲା ବି ଫେରି ପାରୁ ନାହାଁନ୍ତି ।

କେବଳ ଏହି ଜଣେ ନୁହଁନ୍ତି ଏମିତି ୪ଜଣ ପାଇଲଟ୍ ସାମନ ପରିସ୍ଥିତିର ସାମ୍ନା କରିଥିବା ଅଭିଯୋଗ ହୋଇଛି । ଯେଉଁଥିପାଇଁ ୩ଜଣ ପାଇଲଟ୍ ଦରମା ନପାଇ ନିଜ ଦେଶକୁ ଫେରି ଯାଇଛନ୍ତି । ଏପଟେ ଏୟାର ଓଡ଼ିଶା କର୍ତୃପକ୍ଷ କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି ।

ସୂଚନା ମୁତାବକ, ଗତ ସପ୍ତାହରେ ବହୁ ଆଡମ୍ବରରେ ଉଦଘାଟିତ ହୋଇଥିଲା ଝାରସୁଗୁଡ଼ା ବିମାନ ବନ୍ଦର । ୱାଟର କେନନ୍ ସେଲୁଟ୍ ଭିତରେ ନୂଆ ଏୟାରପୋର୍ଟରୁ ବିମାନ ବି ଉଡିଲା । ହେଲେ ମାତ୍ର ଗୋଟିଏ ସପ୍ତାହ ଭିତରେ ଏମିତି ଚିତ୍ର ସାମ୍ନାକୁ ଆସିଛି, ଯାହା ଝାରସୁଗୁଡ଼ା ବିମାନବନ୍ଦରକୁ ନେଇ ଦେଖାଯାଉଥିବା ବଡ ବଡ ସ୍ୱପ୍ନ ଧୁଳିସାତ ହେଲା ଭଳି ମନେ ହେଉଛି । ଯେଉଁଥିରେ ଅଧିକ ପ୍ରଭାବିତ ହେଉଛନ୍ତି ଯାତ୍ରୀ ।

ହାବାଇ ଚପଲ୍ ପିନ୍ଧୁଥିବା ଲୋକ ହାବାଇ ଜାହାଜରେ ଉଡିବାର ସ୍ୱପ୍ନ ଦେଖାଇଥିଲେ ପ୍ରଧାନମନ୍ତ୍ରୀ । ହେଲେ ଓଡ଼ିଶାରେ ଏମିତି ଏକ ସଂସ୍ଥାକୁ ଏହି ଦାୟିତ୍ୱ ମିଳିଲା, ଯାହାଙ୍କ ବିରୋଧରେ ଅଭିଯୋଗର ଲମ୍ବା ଫର୍ଦ୍ଦ । ଝାରସୁଗୁଡ଼ା ବିମାନ ବନ୍ଦର ଉଦଘାଟନ ହେବା ଦିନ ଠାରୁ ମାତ୍ର ଗୋଟିଏ ଦିନ ଉଡିଛି ଏୟାର ଓଡ଼ିଶା ବିମାନ । ଆଉ ଆଜି ଯେଉଁ ଫ୍ଲାଇଟ୍ ସକାଳ ୭ଟାରେ ଥିଲା ଅପରାହ୍ନ ପ୍ରାୟ ୪ଟାରେ ଉଡିଛି । କେଉଁ ଦିନ ଯାତ୍ରୀ ଆସୁଛନ୍ତି ବିମାନ ଆସୁନି, ତ ଆଉ କେଉଁ ଦିନ ଟିକେଟ୍ କରିବା ପରେ ବି ବିମାନ ଉଡି ପାରୁନି । ଏଭଳି ଅବସ୍ଥାରେ ଝାରସୁଗୁଡ଼ାକୁ ହେଉଛି ବିମାନ ଉଡାଣ । ଆଉ ପୁରା ଘଟଣା ନେଇ ଯେତେବେଳେ ଏୟାର ଓଡ଼ିଶା କର୍ତୃପକ୍ଷଙ୍କୁ ପ୍ରଶ୍ନ କରାଯାଉଛି, କେହି ଧରାଛୁଆ ଦେଉ ନାହାଁନ୍ତି ।