ରେଳ ଧାରଣାରେ ପାର ହେଉଥିଲା ହାତୀ, ଆଉ ଟ୍ରାକରେ ହାତୀକୁ ଦେଖି ହଠାତ୍ ବ୍ରେକ ମାରି ଟ୍ରେନ୍ ଅଟକାଇ ଦେଇଥିଲେ ଚାଳକ । ଭିଡିଓ ଭାଇରାଲ ପରେ ଚାଳକଙ୍କୁ ନିକଟକୁ ଛୁଟୁଛି ପ୍ରଂଶସାର ସୁଅ ।

393

କିଛି ଦିନ ତଳେ ପଶ୍ଚିମବଙ୍ଗରେ ଏକ ହାତୀ କ୍ଷତାକ୍ତ ଅବସ୍ଥାରେ ରେଳ ଧାରଣାରେ ପଡ଼ିଥିବାର ଦେଖାଯାଇଥିଲା, ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ହାତୀ ଶରୀରରେ ଅନେକ ଆଘାତ ଲାଗିଥିବା ଦେଖାଯାଇଥିଲା । ଆଘାତ ପାଇଁ ହାତୀଟି ଠିକ୍‌ ଭାବରେ ଉଠି ନ ପାରିବା ସହ ଏଭଳି ଅବସ୍ଥା ଦେଖି ଲୋକେ ସୋସିଆଲ ମିଡିଆରେ ବିରୋଧ ପ୍ରଦର୍ଶନ କରିବା ଆରମ୍ଭ କରିଥିଲେ । ଜଙ୍ଗଲ ମଧ୍ୟ ଦେଇ ଯାଇଥିବା ରେଳ ଧାରଣାରେ ଅନେକ ବନ୍ୟଜନ୍ତୁ ଯିବା ଆସିବା କରୁଥିବା ବେଳେ ସେମାନଙ୍କ ସୁରକ୍ଷା ପାଇଁ ଅଧିକାରୀମାନେ ନେଉଥିବା ପଦକ୍ଷପ ଉପରେ ଲୋକେ ପ୍ରଶ୍ନ ଉଠାଇଥିଲେ । ତେବେ ଟ୍ରେନ୍‌ ଧକ୍କାରେ ଅନେକ ହାତୀ ମୃତ୍ୟୁର ଘଟଣା ସାମ୍ନାକୁ ଆସିଥିବା ବେଳେ ଏବେ ଜଣେ ଟ୍ରେନ ଚାଳକ ହାତୀକୁ ବଞ୍ଚାଇବା ପାଇଁ ଟ୍ରେନ ରୋକି ଦେଇଥିବା ଦେଖାଯାଇଛି ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓ ଦେଖି ଲୋକେ ଟ୍ରେନ ଚାଳକଙ୍କୁ ପ୍ରଶଂସା କରିବାରେ ଲାଗିଛନ୍ତି । ଟୁଇଟ୍‌ କରାଯାଇଥିବା ଭିଡିଓର କ୍ୟାପସନରେ ଲେଖାଯାଇଛି କି, ସକାଳ ୮ଟା ୩୦ମିନିଟରେ ରେଳ ଧାରଣାରେ ହାତୀକୁ ଯାଉଥିବାର ଦେଖି ଟ୍ରେନ୍ ପାଇଲଟ୍ ଉତ୍ତମ ବରୁଆ ଓ ଡି.ଡି କୁମାର ଜରୁରୀକାଳିନ ବ୍ରେକ୍‌ ଦବାଇଥିଲେ । ପରେ ହାତୀଟି ଧାରଣା ଉପରୁ ଓହ୍ଲାଇଯିବା ପରେ ଟ୍ରେନଟି ଆଗକୁ ବଢ଼ିଥିଲା । ଭିଡିଓରେ ମଧ୍ୟ ହାତୀଟିକୁ ଧାରଣା ଉପରେ ଚାଲି ଚାଲି ଯାଇ ଓହ୍ଲାଉଥିବାର ଦେଖିବାକୁ ମିଳିଛି । ତେବେ ଚାଳକଙ୍କ ପାଇଁ ହାତୀଟିର ଜୀବନ ବଞ୍ଚି ପାରିଥିବା କୁହାଯାଉଛି । ଏଭଳି ଭିଡିଓ ସାମ୍ନାକୁ ଆସିବା ପରେ ଲୋକେ ଟ୍ରେନ ଚାଳକଙ୍କ କାମକୁ ପ୍ରଶଂସା କରିବାରେ ଲାଗି ପଡ଼ିଛନ୍ତି ।