ମାଲକାନଗିରିରେ ଘୁଷୁରି ମଡକ ! ୩ ଦିନରେ ଶତାଧିକ ଘୁଷୁରିଙ୍କ ମୃତ୍ୟୁ ପରେ ବଡିଗେଟା ଗାଁରେ ଆତଙ୍କ

28

କନକ ବ୍ୟୁରୋ : ଫେରିବ କି ଜାପାନୀ ଜ୍ୱର । ଅଜଣା ରୋଗରେ ଘୁଷୁରି ମଡକ ପରେ ମାଲକାନଗିରିରେ ଲାଗି ରହିଛି ଏଭଳି ଆତଙ୍କ । କାରଣ ଗତ କିଛି ଦିନ ହେବ ଜିଲ୍ଲାରେ ଘୁଷୁରି ମଡକ ଲାଗି ରହିଛି । କାଲିମେଳା ବ୍ଲକ ଅନ୍ତର୍ଗତ ବଡିଗେଟା ଗାଁରେ ଅଜଣା ରୋଗରେ ଶତାଧିକ ଘୁଷୁରିଙ୍କ ମୃତ୍ୟୁ ହୋଇଛି । ଗତ ୩ ସପ୍ତାହ ଧରି ପାଖାପାଖି ୨୦୦ ଘୁଷୁରିଙ୍କ ମୃତ୍ୟୁ ହୋଇଛି ।

ଏବେ ବି ଗାଁରେ ଘୁଷୁରି ମଡକ ଲାଗି ରହିଛି । କେବଳ ଏତିକି ନୁହେଁ ମଲା ଘୁଷୁରି ମାଂସ ଖାଇ କେତେକ କୁକୁରଙ୍କର ମଧ୍ୟ ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ ଜିଲ୍ଲାରେ ଘୁଷୁରି ମଡକ ବ୍ୟାପିବା ପରେ ଆଜି ଭୁବନେଶ୍ୱରରୁ ପ୍ରାଣୀଧନ ବିଭାଗର ଏକ ବିଶେଷଜ୍ଞ ଦଳ ବଡିଗେଡା ଗାଁରେ ପହଂଚି ଘୁଷୁରି ମରିବାର କାରଣ ଖୋଜୁଛି । କିଛି ଘୁଷୁରିଙ୍କ ରକ୍ତ ନମୂନା ସଂଗ୍ରହ କରିବା ସହ ମୃତ ଘୁଷୁରିଙ୍କ ପୋଷ୍ଟମର୍ଟମ କରିଛନ୍ତି ବିଶେଷଜ୍ଞ ଦଳ ।

ଗତବର୍ଷ ଠିକ ଏହି ସମୟରେ ଜାପାନୀ ଏନସେଫାଲାଇଟିସ ଜ୍ୱରରେ ଶତାଧିକ ଶିଶୁଙ୍କ ମୃତ୍ୟୁ ହୋଇଥିଲା । ଘୁଷୁରି ଠାରୁ ହିଁ ଏହି ଭୂତାଣୁ ମଶା ଦ୍ୱାରା ବ୍ୟାପୁଥିବାରୁ ସ୍ଥାନୀୟ ଲୋକେ ଭୟଭୀତ ହୋଇପଡିଛନ୍ତି । ପ୍ରାଣୀଧନ ବିଭାଗ ଗାଁରେ ପହଂଚି ଘୁଷୁରିି ରକ୍ତ ନମୂନା ସଂଗ୍ରହ କରି ପରୀକ୍ଷା ପାଇଁ ଭୁବନେଶ୍ୱର ପଠାଇଛି । ସେପଟେ ଏହି ଘଟଣାର ଅନୁଧ୍ୟାନ ପାଇଁ ଆଜି ଭୁବନେଶ୍ୱରରୁ ଏକ ସାଇଂଟିଫିକ ଟିମ୍ ଯାଇଛି ।