କ୍ୟାପିଟାଲ ହସ୍ପିଟାଲ୍‌ରେ ଖୋଲିଲା ‘ପିକୁ’

40

କନକ ବ୍ୟୁରୋ :  କ୍ୟାପିଟାଲ ହସ୍ପିଟାଲରେ ଦୀର୍ଘଦିନ ଧରି ଯୋଜନାରେ ଥିବା ଛୋଟ ଶିଶୁଙ୍କ ଆଇସିୟୁ ବା ପିକୁ, ଶବ ରଖିବା ପାଇଁ ମର୍ଚୁଆରି ଓ ରୋଗୀଙ୍କୁ ନେବା ପାଇଁ ଇ-ଷ୍ଟ୍ରେଚର ଉଦ୍‌ଘାଟିତ ହୋଇଛି। ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ଓ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଏଥିରେ ସାମିଲ ହୋଇ ଏହାର ଉଦ୍‌ଘାଟନ କରିଛନ୍ତି।

ହସ୍ପିଟାଲର ଶିଶୁ ଓ୍ଵାର୍ଡରେ ଖୋଲିଥିବା ‘ପିକୁ’ରେ ୨ମାସରୁ ୧୪ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କ ଚିକିତ୍ସା କରାଯିବ। ୧ମାସର ଶିଶୁଙ୍କ ପାଇଁ ହସ୍ପିଟାଲରେ ପୂର୍ବରୁ ଏସ୍‌ଏନ୍‌ସିୟୁ ରହିଛି। ଏସ୍‌ସିବି ମେଡିକାଲ ଓ ବୁର୍ଲା ମେଡିକାଲ ପରେ ରାଜ୍ୟର ତୃତୀୟ ହସ୍ପିଟାଲ ଭାବେ କ୍ୟାପିଟାଲ ହସ୍ପିଟାଲରେ ଏହି ବ୍ୟବସ୍ଥା ଉପଲବ୍ଧ ହୋଇଛି। ଏଥିରେ ସମୁଦାୟ ୬ଟି ଶଯ୍ୟା ରହିଛି। ତେବେ ଦୀର୍ଘଦିନ ଧରି ଏଥିପାଇଁ ଯୋଜନା ହୋଇଥିଲେ ହେଁ, ବିଭିନ୍ନ କାରଣରୁ ଏହା ଖୋଲିପାରି ନ ଥିଲା। ଫଳରେ ଗୁରୁତର ଅବସ୍ଥାରେ ହସ୍ପିଟାଲକୁ ଆସିଥିବା ଶିଶୁଙ୍କୁ ଆଉ ଏସ୍‌ସିବି ରେଫର କରିବାକୁ ପଡ଼ିବ ନାହିଁ ବୋଲି କର୍ତୃପକ୍ଷ ଆଶା ପ୍ରକଟ କରିଛନ୍ତି।

ସେହିପରି କ୍ୟାପିଟାଲ ହସ୍ପିଟାଲର କାଜୁଆଲ୍‌ଟିରୁ ବିଭିନ୍ନ ଓ୍ଵାର୍ଡରୁ ଇ-ଷ୍ଟ୍ରେଚର୍‌ ଚଳାଇବା ପାଇଁ ଗତବର୍ଷ ରୋଗୀ କଲ୍ୟାଣ ସମିତି ବୈଠକରେ ନିଷ୍ପତ୍ତି ହୋଇଥିଲା। ତେବେ ଇ-ଷ୍ଟ୍ରେଚର୍‌ର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ପଞ୍ଜୀକରଣ ନେଇ ସମସ୍ୟା ଉପୁଜୁଥିଲା। ଏପରିକି ଟେଣ୍ଡରକୁ ନେଇ ମଧ୍ୟ ସମସ୍ୟା ଦେଖା ଦେଇଥିଲା। ପରବର୍ତୀ ସମୟରେ ହସ୍ପିଟାଲ କର୍ତୃପକ୍ଷ ଏକ ବୈଠକ ଡାକି ଟେଣ୍ଡର ପାଇଁ ଥିବା ସର୍ତରେ ପରିବର୍ତନ କରିଥିଲେ। ଏବେ ହସ୍ପିଟାଲକୁ ୨ଟି ଇ-ଷ୍ଟ୍ରେଚର୍‌ ଅଣାଯାଇଛି। କାଜୁଆଲ୍‌ଟି ନିକଟରେ ଏହି ଦୁଇଟି ଇ-ଷ୍ଟ୍ରେଚର୍‌କୁ ରଖାଯିବ। ଗୋଟିଏ କାଜୁଆଲ୍‌ଟିରୁ ବିଭିନ୍ନ ଇନଡୋର ଓ୍ଵାର୍ଡକୁ ଚାଲିବ ଓ ଅନ୍ୟଟି କାଜୁଆଲ୍‌ଟିରୁ ଏମ୍‌ସିଏଚ୍‌, ଆଇଡିଏଚ୍‌ ଓ ଶିଶୁ ବିଭାଗକୁ ଚାଲିବ। ଏହି ଦୁଇ ଇ-ଷ୍ଟ୍ରେଚର ଦାମ୍‌ ପ୍ରାୟ ୪ଲକ୍ଷ ଟଙ୍କା ରହିଛି।

ଏହାସହ ହସ୍ପିଟାଲରେ ଶବ ରଖିବାକୁ ନେଇ ଦେଖା ଦେଇଥିବା ସମସ୍ୟାର ସମାୟିକ ଲାଘବ ହୋଇଛି। ହସ୍ପିଟାଲରେ ଥିବା ୨ଟି ମର୍ଚୁଆରିରୁ ଗୋଟିଏ ବାରମ୍ବାର ଖରାବ ହେଉଥିବା ବେଳେ ଶବ ରଖିବାକୁ ନେଇ ସମସ୍ୟା ଦେଖା ଦେଉଛି। ଏହାର ସମାଧାନ ଗୋଟିଏ ନୂତନ ମର୍ଚୁଆରିକୁ ଆଜି ଉଦ୍‌ଘାଟିତ ହୋଇଛି। ଏଥିରେ ଦୁଇଟି ମେସିନ୍‌ ରହିଥିବା ବେଳେ ଏଥିରେ ୪ଟି ଶବ ରହିପାରିବ।

ଉଦ୍‌ଘାଟନ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ସଚିବ ଡା.ପ୍ରମୋଦ କୁମାର ମେହେର୍ଦା, କ୍ୟାପିଟାଲ ହସ୍ପିଟାଲର ନିର୍ଦେଶକ ଡା.ସି.ଆର ଦାସ, ଅଧୀକ୍ଷକ ଡା.ଏମ୍‌ଆର ଦାସ, ଉପ-ଅଧୀକ୍ଷକ ଡା.ଧନଞ୍ଜୟ ଦାସ ଓ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ।