ଶୀତର କୋହଲା ପରସ ମନ ଅଥୟ କଲାଣି । ଜଙ୍ଗଲ ବି ହାତ ଠାରି ଡାକିଲାଣି । ଜଞ୍ଜାଳମୟ ସହରୀ ଜୀବନରୁ ଏବେ ଟିକେ ଫୁରସତ ଲୋଡା । କର୍ମରୁ ବିରତି ନେଇ ସାଙ୍ଗମାନଙ୍କ ସାଙ୍ଗେ ବଣଭୋଜି କରିବାକୁ ମନ ବଳିଛି । ପିଲାଠୁ ବୁଢା ସମସ୍ତଙ୍କୁ ଏବେ ବଣଭୋଜିର ମାୟା ଘାରିଛି । ଏହି ଆକାଂକ୍ଷାକୁ ସାକାର କରିବାକୁ ରାଜଧାନୀରେ ବି ରହିଛି ଆକର୍ଷଣୀୟ ଦର୍ଶନୀୟ ସ୍ଥାନ । ସହରର ଚତୁଃପାଶ୍ୱର୍ରେ ଥିବା ବଟାନିକାଲ୍ ଗାର୍ଡେନ, ଜୟଦେବ ବାଟିକା, ଡେରାସ, ଧଉଳି ଓ ଶିଖରଚଣ୍ଡୀ ସ୍ଥଳ ସର୍ବାଗ୍ରେ ପସନ୍ଦ ରହିଛି । ପ୍ରକୃତି କୋଳରେ ସମୟ ବିତାଇବା ସହ ବଣଭୋଜି ପାଇଁ ଏଠାରେ ରହିଛି ବ୍ୟାପକ ବ୍ୟବସ୍ଥା ।

ଜୟଦେବ ବାଟିକା: ଝରଣା ସାଙ୍ଗକୁ କଳା ଗ୍ୟାଲେରି – ଖଣ୍ଡଗିରି ଉଦୟଗିରି ଭଳି ଯମଜ ପାହାଡର କୋଳ ଅତିକ୍ରମ କରି ଅଳ୍ପ କିଛି ବାଟ ବାମ ପଟକୁ ଗଲେ ପଢେ ଜୟଦେବ ବାଟିକା । ୧୨୦ ଏକର ପରିମିତି ଅଞ୍ଚଳରେ ଥିବା ଏହି ବାଟିକାର ମହକ ରହିଛି ଘଞ୍ଚ ଜଙ୍ଗଲ ମଧ୍ୟରେ । ଓଏଫଡିସି (ଓଡିଶା ଜଙ୍ଗଲ ଉନ୍ନୟନ ନିଗମ) ପକ୍ଷରୁ ସୃଷ୍ଟି ହୋଇଛି କୃତ୍ରିମ ଝରଣା । ପୁଣି ଜୟଦେବଙ୍କ ଗୀତ ଗୋବିନ୍ଦର କଥାବସ୍ତକୁ ୧୨ଟି କଳାକୃତିରେ ବର୍ଣ୍ଣନା କରାଯାଇଛି । ଯାହା ଲୋକଙ୍କୁ କ୍ଷଣେ ଅଟକିଯିବାକୁ ବାଧ୍ୟ କରେ । ଦୀର୍ଘ ଲନ ସମେତ ଏଠି ବଣଭୋଜି ପାଇଁ ରହିଛି ୧୨୬ରୁ ଉର୍ଦ୍ଧ୍ୱ ପିଣ୍ଡି । ୨୬ଟି ସ୍ୱତନ୍ତ୍ର ପିଣ୍ଡି ରହିଥିବା ବେଳେ ଏହାର ଦର ରହିଛି ୧୫୦୦ ଟଙ୍କା । ଅନ୍ୟ ୧୦୦ଟି ବୋଣଭୋଜି ସ୍ଥଳର ଦର ରହିଛି ୭୦୦ଟଙ୍କା । ଏଥିସହିତ ଭିତରକୁ ପ୍ରବେଶ ପାଇଁ ମୁଣ୍ଡପିଛା ୨୦ଟଙ୍କା ରଖାଯାଇଛି । ଯଦି କେହି କେବଳ ବୁଲିବାକୁ ଯାଆନ୍ତି ତେବେ ସେମାନଙ୍କ ସୁବିଧା ପାଇଁ ସେଠାରେ ଏକ କାଫେଟେରିଆରେ ଆମିଷ ଓ ନିରାମିଷ ଭୋଜନର ସୁବିଧା ଉପଲବ୍ଧ ଅଛି ।

ଡେରାସ ଡ୍ୟାମ: ଅନୁପମ ପ୍ରକୃତି-ଶାନ୍ତ ସିଗ୍ଧ ଓ ପ୍ରକୃତିର ଅନୁପମ ବାତାବରଣ ଡେରାସ ବଣଭୋଜି ପାଇଁ ଉତ୍ତମ ସ୍ଥଳ । ଚନ୍ଦକା ଜାତୀୟ ଉଦ୍ୟାନ ମଧ୍ୟରେ ଥିବା ଡେରାସ ଡ୍ୟାମରେ ଜଳ ପ୍ରବାହ ସାଙ୍ଗକୁ ପକ୍ଷୀମାନଙ୍କ କଳବର ନିଆରା ଅନୁଭବ ଦିଏ । ଏହି ସ୍ଥାନରେ ଭୋଜି ପାଇଁ ପିଣ୍ଡି ରହିଥିବା ବେଳେ ଜଣଙ୍କ ପିଛା ପ୍ରବେଶ ଶୁଳ୍କ ୨୦ଟଙ୍କା ରଖାଯାଇଛି । ଏଥିସହିତ ବାଉଁଶରେ ନିର୍ମିତ ଘର ମଧ୍ୟ ଏହା ମଧ୍ୟରେ ରହିଥିବା ବେଳେ ଦିନରେ ରହିବା ପାଇଁ ରୁମ ପିଛା ୫୦୦ଟଙ୍କା ଦେବାକୁ ପଡେ ।

ବଟାନିକାଲ୍ ଗାର୍ଡେନ୍: ୨୨ଟି ଉଦ୍ୟାନର ସମ୍ଭାର-ନନ୍ଦନକାନନକୁ ସଂଲଗ୍ନ ଅଛି ବଟାନିକାଲ ଗାର୍ଡେନ । ଏଠି ବଣଭୋଜି କଲେ ଅନେକ ଦୃଷ୍ଟିରୁ ଲାଭ । ପ୍ରଥମତଃ ନନ୍ଦନକାନନ ବୁଲା ହୋଇପାରିବ । ପୁଣି ପ୍ରଜାପତି ଉଦ୍ୟାନ, ଗୋଲାପ ଉଦ୍ୟାନ, ମରୁଭୂମି ଉଦ୍ୟାନ, ମୋଗଲ ଉଦ୍ୟାନ ଓ ଗ୍ଲାସ ହାଉସ୍ ଆଦି ଦେଖିବାକୁ ମିଳିବ । ପ୍ରବେଶ ପାଇଁ ଦେୟ ୨୦ ଟଙ୍କା ରହିଥିବା ବେଳେ ୧୦୦ରୁ ଊଧ୍ୱର୍ ପିଣ୍ଡି ରହିଛି । ବଡ ପିଣ୍ଡି ୫୫୦ଟଙ୍କା, ସାନ ପିଣ୍ଡି ୩୫୦ଟଙ୍କା, ସ୍ୱତନ୍ତ୍ର ପିଣ୍ଡି ୧୬୦୦ ଟଙ୍କା, ବଣଭୋଜି ସେଟ୍ ୧୩୦୦ ଟଙ୍କା ଓ ଆଇବି ପାଇଁ ଦର ରହିଛି ୨୬୦୦ଟଙ୍କା । ଲନର ବ୍ୟାପକ ସୁବିଧା ସହ ପିଣ୍ଡିଗୁଡିକ ପାଖାପାଖି ଲାଗି ରହିଛି ।

ଧଉଳିରେ ପ୍ରଥମଥର ପାଇଁ ହେବ ପିଣ୍ଡି ବ୍ୟବସ୍ଥା- ବଣଭୋଜି ପାଇଁ ଧଉଳିର ସ୍ଥାନ ସ୍ୱତନ୍ତ୍ର । ମାତ୍ର ଏଠି ପିଣ୍ଡି ନଥିବା ବେଳେ ବଣଭୋଜି ପାଇଁ କିଛି ଘରୋଇ ଜାଗାକୁ ଛାଡିଦେଲେ ଅବ୍ୟବସ୍ଥିତ । ମାତ୍ର ଏହି ସମସ୍ୟା ଆଉ ବେଶି ଦିନ ରହିବ ନାହିଁ । ଡିସେମ୍ବର ୧୫ ସୁଦ୍ଧା ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଅଶୋକ ସ୍ତମ୍ଭ ପାଖର ୭ଟି ପିଣ୍ଡିର ନିର୍ମାଣ କରାଯାଉଛି । ସଂପ୍ରତି ୫ଟି ପିଣ୍ଡି ନିର୍ମାଣ ସରିଥିଲା ବେଳେ ଆଉ ଦୁଇଟି ପିଣ୍ଡିର ନିର୍ମାଣ ଚାଲିଛି । ନିକଟରେ ୬ଟି ଶୌଚାଳୟର ବ୍ୟବସ୍ଥା କରାଯାଇଥିଲା ବେଳେ ପାଣିର ସୁବିଧା ମଧ୍ୟ ଉପଲବ୍ଧ ହେବ । ସେହିପରି ଦୟାନଦୀ କୂଳରେ ଆସନ୍ତା ବର୍ଷକୁ ପିଣ୍ଡି ହେବାର ପ୍ରସ୍ତାବ ରହିଥିବା ସରପଂଚ ପୂର୍ଣ୍ଣିମା ସାହୁ ସୂଚନା ଦେଇଛନ୍ତି । ଏହା ସତ୍ୱେ ସେଠାରେ ଥିବା କିଛି ଘରୋଇ ଜାଗାରେ ବଣଭୋଜି ପାଇଁ ବ୍ୟବସ୍ଥା କରାଯାଇଛି । ଧଉଳି ଶାନ୍ତିସ୍ତୂପ ବୁଲିବା ସହ ଅଶୋକ ସ୍ତମ୍ଭ ଓ ବୃଦ୍ଧ ପାର୍କ ମଧ୍ୟ ବୁଲି ମଜା ଉଠେଇ ହେବ ।

ଶିଖରଚଣ୍ଡୀ: ପାହାଡ କୋଳରେ ଅବସର
ଖଣ୍ଡଗିରି ଓ ଉଦୟଗିରି ଭଳି ପାହାଡ ତଳେ ବଣଭୋଜି ପାଇଁ ଅନୁମତି ନଥିବା ବେଳେ ଶିଖରଚଣ୍ଡୀରେ ପାହାଡ ଉପରେ ବଣଭୋଜି ପାଇଁ କୌଣସି ପ୍ରତିବନ୍ଧକ ନାହିଁ । ଏଠି ମା’ ଶିଖରଚଣ୍ଡୀଙ୍କ ମନ୍ଦିର କାହିଁ କେଉଁ କାଳରୁ ରହିଥିବା ବେଳେ ବଣଜଙ୍ଗଲ ଘେରା ପାହାଡ଼ ମଧ୍ୟରେ ଭୋଜି କରିବା ପାଇଁ ୩୨ଟି ପିଣ୍ଡି ରହିଛି । ଯେଉଁଠି ବଣଭୋଜି କରିବା ପାଇଁ ଉନ୍ନୟନ ଦେୟ ମାତ୍ର ୧୦୦ଟଙ୍କା ଦେବାକୁ ପଡେ । ମାତ୍ର ମନ୍ଦିରକୁ ଲାଗି ରହିଥିବା ଏକ ହଲ ପାଇଁ ୧୦୦୦ ଟଙ୍କା ଦେୟ ରହିଛି । ପାଣି ପାଇଁ ମଧ୍ୟ ପର୍ଯ୍ୟାପ୍ତ ସୁବିଧା ରହିଛି ।