ନୂଆବର୍ଷରେ ବଣଭୋଜି କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି କି ? ରାଜଧାନୀ ଭୁବନେଶ୍ୱରର କିଛି ପ୍ରମୁଖ ସ୍ଥାନ ବିଷୟରେ ଜାଣନ୍ତୁ . . .

732

ଆଉ ମାତ୍ର କିଛି ଦିନ ପରେ ନବବର୍ଷ । ନୂଆ ଉତ୍ସାହ ଓ ଉଦ୍ଦୀପନା ସହ ନବବର୍ଷ ପାଳନ ପାଇଁ ଲୋକେ ଏବେଠାରୁ ପ୍ରସ୍ତୁତ ହେଲେଣି । ନବବର୍ଷ ସାଙ୍ଗକୁ ବଣଭୋଜି ପାଇଁ ମଧ୍ୟ ଏବେଠାରୁ ସମସ୍ତେ ପ୍ରସ୍ତୁତ । ଶୀତର କୋହଲା ପରସ ମନ ଅଥୟ କଲାଣି । ଜଙ୍ଗଲ ବି ହାତ ଠାରି ଡାକିଲାଣି । ଜଞ୍ଜାଳମୟ ସହରୀ ଜୀବନରୁ ଏବେ ଟିକେ ଫୁରସତ ଲୋଡା । କର୍ମରୁ ବିରତି ନେଇ ସାଙ୍ଗମାନଙ୍କ ସାଙ୍ଗେ ବଣଭୋଜି କରିବାକୁ ମନ ବଳିଛି । ପିଲାଠୁ ବୁଢା ସମସ୍ତଙ୍କୁ ଏବେ ବଣଭୋଜିର ମାୟା ଘାରିଛି । ଏହି ଆକାଂକ୍ଷାକୁ ସାକାର କରିବାକୁ ରାଜଧାନୀରେ ବି ରହିଛି ଆକର୍ଷଣୀୟ ଦର୍ଶନୀୟ ସ୍ଥାନ । ସହରର ଚତୁଃପାଶ୍ୱର୍ରେ ଥିବା ବଟାନିକାଲ୍ ଗାର୍ଡେନ, ଜୟଦେବ ବାଟିକା, ଡେରାସ, ଧଉଳି ଓ ଶିଖରଚଣ୍ଡୀ ସ୍ଥଳ ସର୍ବାଗ୍ରେ ପସନ୍ଦ ରହିଛି । ପ୍ରକୃତି କୋଳରେ ସମୟ ବିତାଇବା ସହ ବଣଭୋଜି ପାଇଁ ଏଠାରେ ରହିଛି ବ୍ୟାପକ ବ୍ୟବସ୍ଥା ।

picnic

ଜୟଦେବ ବାଟିକା :  ଖଣ୍ଡଗିରି ଉଦୟଗିରି ଭଳି ଯମଜ ପାହାଡର କୋଳ ଅତିକ୍ରମ କରି ଅଳ୍ପ କିଛି ବାଟ ବାମ ପଟକୁ ଗଲେ ପଢେ ଜୟଦେବ ବାଟିକା । ୧୨୦ ଏକର ପରିମିତି ଅଞ୍ଚଳରେ ଥିବା ଏହି ବାଟିକାର ମହକ ରହିଛି ଘଞ୍ଚ ଜଙ୍ଗଲ ମଧ୍ୟରେ । ଓଡିଶା ଜଙ୍ଗଲ ଉନ୍ନୟନ ନିଗମ ପକ୍ଷରୁ ସୃଷ୍ଟି ହୋଇଛି କୃତ୍ରିମ ଝରଣା ।

ଦୀର୍ଘ ଲନ ସମେତ ଏଠି ବଣଭୋଜି ପାଇଁ ରହିଛି ୧୨୬ରୁ ଉର୍ଦ୍ଧ୍ୱ ପିଣ୍ଡି । ଏଥିସହିତ ଭିତରକୁ ପ୍ରବେଶ ପାଇଁ ମୁଣ୍ଡପିଛା ୨୦ଟଙ୍କା ରଖାଯାଇଛି । ଯଦି କେହି କେବଳ ବୁଲିବାକୁ ଯାଆନ୍ତି ତେବେ ସେମାନଙ୍କ ସୁବିଧା ପାଇଁ ସେଠାରେ ଏକ କାଫେଟେରିଆରେ ଆମିଷ ଓ ନିରାମିଷ ଭୋଜନର ସୁବିଧା ଉପଲବ୍ଧ ଅଛି ।

ଡେରାସ ଡ୍ୟାମ: ଶାନ୍ତ ସିଗ୍ଧ ଓ ପ୍ରକୃତିର ଅନୁପମ ବାତାବରଣ ଡେରାସ ବଣଭୋଜି ପାଇଁ ଉତ୍ତମ ସ୍ଥଳ । ଚନ୍ଦକା ଜାତୀୟ ଉଦ୍ୟାନ ମଧ୍ୟରେ ଥିବା ଡେରାସ ଡ୍ୟାମରେ ଜଳ ପ୍ରବାହ ସାଙ୍ଗକୁ ପକ୍ଷୀମାନଙ୍କ କଳବର ନିଆରା ଅନୁଭବ ଦିଏ ।

 

 

ବଟାନିକାଲ୍ ଗାର୍ଡେନ୍ : ନନ୍ଦନକାନନକୁ ସଂଲଗ୍ନ ଅଛି ବଟାନିକାଲ ଗାର୍ଡେନ । ଏଠି ବଣଭୋଜି କଲେ ଅନେକ ଦୃଷ୍ଟିରୁ ଲାଭ । ପ୍ରଥମତଃ ନନ୍ଦନକାନନ ବୁଲା ହୋଇପାରିବ । ପୁଣି ପ୍ରଜାପତି ଉଦ୍ୟାନ, ଗୋଲାପ ଉଦ୍ୟାନ, ମରୁଭୂମି ଉଦ୍ୟାନ, ମୋଗଲ ଉଦ୍ୟାନ ଓ ଗ୍ଲାସ ହାଉସ୍ ଆଦି ଦେଖିବାକୁ ମିଳିବ । ପ୍ରବେଶ ପାଇଁ ଦେୟ ୨୦ ଟଙ୍କା ରହିଥିବା ବେଳେ ୧୦୦ରୁ ଊର୍ଧ୍ୱ ପିଣ୍ଡି ରହିଛି । ଲନର ବ୍ୟାପକ ସୁବିଧା ସହ ପିଣ୍ଡିଗୁଡିକ ପାଖାପାଖି ଲାଗି ରହିଛି ।

 

ଧଉଳି – ବଣଭୋଜି ପାଇଁ ଧଉଳିର ସ୍ଥାନ ସ୍ୱତନ୍ତ୍ର । ମାତ୍ର ଏଠି ପିଣ୍ଡି ନଥିବା ବେଳେ ବଣଭୋଜି ପାଇଁ କିଛି ଘରୋଇ ଜାଗାକୁ ଛାଡିଦେଲେ ଅବ୍ୟବସ୍ଥିତ । ଧଉଳି ଶାନ୍ତିସ୍ତୂପ ବୁଲିବା ସହ ଅଶୋକ ସ୍ତମ୍ଭ ଓ ବୃଦ୍ଧ ପାର୍କ ମଧ୍ୟ ବୁଲି ମଜା ଉଠେଇ ହେବ ।

ଶିଖରଚଣ୍ଡୀ – ଖଣ୍ଡଗିରି ଓ ଉଦୟଗିରି ଭଳି ପାହାଡ ତଳେ ବଣଭୋଜି ପାଇଁ ଅନୁମତି ନଥିବା ବେଳେ ଶିଖରଚଣ୍ଡୀରେ ପାହାଡ ଉପରେ ବଣଭୋଜି ପାଇଁ କୌଣସି ପ୍ରତିବନ୍ଧକ ନାହିଁ । ଏଠି ମା’ ଶିଖରଚଣ୍ଡୀଙ୍କ ମନ୍ଦିର କାହିଁ କେଉଁ କାଳରୁ ରହିଥିବା ବେଳେ ବଣଜଙ୍ଗଲ ଘେରା ପାହାଡ଼ ମଧ୍ୟରେ ଭୋଜି କରିବା ପାଇଁ ୩୨ଟି ପିଣ୍ଡି ରହିଛି ।