ପିକନିକ୍ ଋତୁରେ ପର୍ଯ୍ୟଟନସ୍ଥଳୀରେ ଜମୁଛି ଭିଡ : ଚିଲିକାର ଜଳରାଶି ସହ ବିଦେଶାଗତ ପକ୍ଷୀଙ୍କ ସମାଗମକୁ ଉପଭୋଗ କରୁଛନ୍ତି ପର୍ଯ୍ୟଟକ

38

କନକ ବ୍ୟୁରୋ :  ପ୍ରାକୃତିକ ସୌନ୍ଦଯ୍ୟ ଭରା ମରାଳ ମାଳିନୀ ନିଳାମ୍ବୁ ଚିଲିକା । ଏବେ ପିକନିକ୍ ଋତୁରେ ଏଠାରେ ପର୍ଯ୍ୟଯକଙ୍କ ଭିଡ । ଚିଲିକାରେ ଜଳଯାତ୍ରା କରି କାଳିଜାଇଙ୍କ ଦର୍ଶନ କରିବା ସହ ଶୀତ ଦିନରେ ଚିଲିକାକୁ ନିଜର ବାସସ୍ଥାନ ଭାବେ ବାଛିଥିବା ବିଦେଶାଗତ ପକ୍ଷୀଙ୍କ ସମାଗମ ଦେଖି ବିମୋହିତ ପର୍ଯ୍ୟଟକ । ଡଙ୍ଗା ଓ ବୋଟରେ ଯାଇ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରୁଥିବା ବେଳେ ଜମୁଛି ଭୋଜିଭାତର ଆସର ।

ପ୍ରକୃତିର ଅନନ୍ୟ ଉପହାର ଦେବଗଡରେ ଥିବା ପ୍ରଧାନପାଟ ଜଳପ୍ରପାତ । ବିଶାଳ ଶାଳବଣର ମନୋରମ ପରିବେଶ ଓ ଜଳପ୍ରପାତ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି । ବ୍ୟସ୍ତବହୁଳ ଜୀବନରୁ କିଛି ସମୟ ବାହାର କରି ମୌଜ ମସ୍ତିରେ ମାତିଛନ୍ତି ସଭିଏଁ । ୧୭୦ ଫୁଟ ଉଚ୍ଚ ପର୍ବତ ଶିଖରରୁ ଝରଝର ହୋଇ ଅବିରତ ଭାବେ ଝରିଚାଲିଥିବା ଝରଣାର ଶୀତଳ ଜଳରାଶି ପର୍ଯ୍ୟଟକଙ୍କୁ ବିମୋହିତ କରୁଛି । ପ୍ରଧାନପାଟ ଜଳପ୍ରପାତ ସାଙ୍ଗକୁ ଦେବଗଡର ଆରାଧ୍ୟ ଦେବୀ ମାଁ ପଧାନପାଟେଶ୍ୱରୀଙ୍କ ମନ୍ଦିର, ରାଜାରାଜୁଡା ସମୟର ବସନ୍ତ ନିବାସ ଓ ଶିଶୁ ଉଦ୍ୟାନ ଏହାର ଶୋଭାକୁ ଦ୍ୱିଗୁଣିତ କରେ।

କଳାହାଣ୍ଡି ଲାଂଜିଗଡର ରାବଣଦରରେ ମଧ୍ୟ ଜମୁଛି ପର୍ଯ୍ୟଟକଙ୍କ ଭିଡ । ସାଜିଛି ପର୍ଯ୍ୟଟନର ସ୍ଥଳି ଏବଂ ବଣ ଭୋଜିର ସ୍ଥାନ । ଯେଉଁଠି କି ସାରା ରାଜ୍ୟର ଲୋକଙ୍କର ସୁଅ ଛୁଟୁଛି । ସବୁଜ ବନାନି ମଧ୍ୟରେ ଏହି ସୁନ୍ଦର ଜଳପ୍ରପାତ ଦେଖିବାକୁ ପର୍ଯ୍ୟଟକଙ୍କ ଭିଡ ଜମୁଛି । ବଣ ଜଙ୍ଗଲ ଭରା ପରିବେଶରେ ବଣଭୋଜିର ମଜା ନେଉଛନ୍ତି ପର୍ଯ୍ୟଟକ ।