ବଣଭୋଜି ପାଇଁ ଯିବା କେନ୍ଦୁଝର । ଗୁଣ୍ଡିଚାଘାଗି ଜଳପ୍ରପାତରେ ଭୋଜି ଓ ସାନଘାଗରା ଓ ବଡଘାଗରାରେ ବୋଟିଂ

227

ଶୀତ ସାଙ୍ଗକୁ ନୂଆ ପର୍ଯ୍ୟଟନ ସ୍ଥାନ ବୁଲିବାର ନିଆରା ଅନୁଭୁତି । ବୋଟିଂ ସାଙ୍ଗକୁ ପ୍ରାକୃତିକ ସୌନ୍ଦର୍ଯ୍ୟ ପରିବେଶରେ ସାଙ୍ଗସାଥୀଙ୍କ ସହ ବଣଭୋଜିର ମଜ୍ଜା । ଜୀବନର ଭିଡ ଭିତରୁ କିଛି ସମୟ ବାହାର କରି ଖୁସିହେବର ବିଶେଷ ମୁହୁର୍ତ୍ତକୁ ସମସ୍ତେ ଉପଭୋଗ କରିବା ପାଇଁ ଆଗ୍ରହୀ ଥାଆନ୍ତି । ଆଉ ଟିକେ ଫୁରସତ ପାଇଲେ ବାହାରିଯାଆନ୍ତି ପିକନିକ ପାଇଁ । ଆଉ ଏହି ସମୟରେ ଆମେ ଆପଣହ୍କୁ ସାହାଯ୍ୟ କରିବୁ । ଆଜି ଆମେ ଯିବା କେନ୍ଦୁଝର ।

ଦେଖିବା ଅନେକ ଦର୍ଶନୀୟ ସ୍ଥାନ ଯାହା ନିଆରା ଅନୁଭୁତି ଦେବା ସହ ଏହାର ପ୍ରାକୃତିକ ପରିବେଶରେ ହଜଯିବେ ଆପଣ । ଖଣିଖାଦାନରେ ଭରପୂର କେନ୍ଦୁଝର ଜିଲ୍ଲାରେ ରହିଛି ଅନେକ ମନୋରମ ସ୍ଥାନ । ପ୍ରାକୃତିକ ପରିବେଶ ସାଙ୍ଗକୁ ଜଳପ୍ରପାତ,ଯୁଆଙ୍ଗମାନଙ୍କ ବସତି, ବୈତରଣୀର ଉତ୍ପତ୍ତିସ୍ଥଳ, ସାନଘାଗରା, ବଡଘାଗରା, ଗୁଣ୍ଡିଚାଘାଗି ଝଲପ୍ରପାତ ଭଳି ସ୍ଥାନ ଗୁଡିକ ଆପଣଙ୍କ ହୃଦୟରେ ଆଣିଦେବ ନୂଆ ଶିହରଣ । ଭୁବନେଶ୍ୱର ଠାରୁ ମାତ୍ର ୨୩୫ କିଲୋମିଟର ଦୂର କେନ୍ଦୁଝର । ଏଠାରେ ବଣଭୋଜି ସାଙ୍ଗକୁ ବୁଲାବୁଲି କରିବା ପାଇଁ ରହିଛି ଅନେକ ପର୍ଯ୍ୟଟନସ୍ଥଳୀ ।

କେନ୍ଦୁଝରରେ ଦେଖିବେ କ’ଣ ?

ବଡଘାଗରା: ଦୁଇ ଶହ ଫୁଟର ଉଚ୍ଚରୁ ଖସୁଛି ପାଣି । ଜିଲ୍ଲାର ସବୁଠାରୁ ଭଲ ପିକନିକ ସ୍ପଟ । ଏହାକୁ ଦେଖିବା ପାଇଁ ରାଜ୍ୟର ତଥା ରାଜ୍ୟବାହାରର ବିଭିନ୍ନ ପ୍ରାନ୍ତରୁ ଛୁଟିଆସିଥାଆନ୍ତି ସମସ୍ତେ । ବୋଟିଂର ମଜା ସାଙ୍ଗକୁ ବଣ ଭିତରେ ବୁଲିବାର ନିଆରା ଅନୁଭୁତି ସାଉଁଟିପାରିବେ ଆପଣ । କେନ୍ଦୁଝର ଟାଉନ ଠାରୁ ମାତ୍ର ଦଶକିଲୋମିଟର ଦୂର ।

ସାନଘାଗରା: କେନ୍ଦୁଝରର ଟାଉନ ଠାରୁ ମାତ୍ର ଛଅ କିଲୋମିଟର ଦୂରରେ ରହିଛି ସାନଘାଗରା ଜଳପ୍ରପାତ । ଆଖି ଝଲସିବା ଭଳି ଦୃଶ୍ୟ ଦେଖିବାକୁ ପାଇବେ ଏଠି । ତା ସହ ଏଠାକାର ପ୍ରାକୃତିକ ଦୃଶ୍ୟ ଅତ୍ୟନ୍ତ ଆକର୍ଷଣୀୟ । ପାଖାପାଖି ଶହେ ଫସ୍ୱଙ୍କ ଉଚ୍ଚ ପାହାଡ ଉପରୁ ପାଣି ଖସୁଥିବା ଦେଖିଲେ ଯେକେହି କିଛି ସମୟ ପାଇଁ ଅଟକି ଯିବ ।

 ଗୁଣ୍ଡିଚାଘାଗି : ଘଟଗାଁ ଠାରୁ ମାତ୍ର ଅଳ୍ପ ଦୂରରେ ଅବସ୍ଥିତ ଏହି ଛୋଟିଆ ଜଳପ୍ରପାତର । ପିକନିକ ପାଇଁ ଏହି ସ୍ଥାନଟି ସମସ୍ତଙ୍କ ପାଇଁ ଭଲ । ସବୁଜ, ଘଂଚ ଜଙ୍ଗଲ ଭିତରେ ୫୦ଫୁଟରୁ ପାଣି ଖସୁଥିବା ଦୃଶ୍ୟ ସାଙ୍ଗକୁ ଥଣ୍ଡାପାଣିରେ ପିଲାଙ୍କ ଗାଧୋଇବାର ମଜ୍ଜା ଆପଣଙ୍କୁ ଦେବ ନୂଆ ଅନୁଭୁତି । ଏଠାକାର ପ୍ରାକୃତିକ ପରିବେଶ ଦେଖିଲେ ଆପଣ ବିଶ୍ୱାସ କରିପାରିବେ ନାହିଁ ଯେ, ଆମ ଓଡିଶାରେ ଏଭଳି କିଛି ସ୍ୱତନ୍ତ୍ର ସ୍ଥାନ ରହିଛି ।

ହଦଗଡ: ବର୍ଷ ସାରା ଚାଲିଥାଏ ଏଠାରେ ବଣଭୋଜି । ଏହା ହେଉଛି ଶାଳନ୍ଦୀ ନଦୀଉପରେ ଏକ ଡ୍ୟାମ । ପର୍ଯ୍ୟଟନମାନଙ୍କ ପାଇଁ ଏଠାରେ ବଙ୍ଗଳାର ବ୍ୟବସ୍ଥା ରହିଛି । ଏହା ଆନନ୍ଦପୁର ଠାରୁ ମାତ୍ର ୩୫ କିଲୋମିଟର ଦୂର । ପ୍ରାକୃତିକ ପରିବେଶ ଦେଖି ଆପଣ ମୁଗ୍ଧ ହୋଇଯବେ ।

ଏହାଛଡା ଆପଣ ଆହୁରି ଅନେକ ସୁନ୍ଦର ସ୍ଥାନ ବୁଲି ଦେଖିପାରିବେ । ଗଡଚଣ୍ଡୀ, ଚକ୍ରତୀର୍ଥ, କାଂଜିପାଣି, ରଘୁନାଥଜୀଉ ମଠ,ଖଣ୍ଡାଧାର, ସୀତାବିଞ୍ଜି, ଘଟଗାଁରେ ମା’ ତାରିଣୀଙ୍କର ପ୍ରସିଦ୍ଧ ମନ୍ଦିର ଦେଖିଲେ ଆପଣ କିଛି ସମୟ ପାଇଁ ହଜିଯିବେ । ତେବେ ଆଉ ଡେରି କାହିଁକି ଜଲଦି ବାହାରନ୍ତୁ ଏହି ପ୍ରାକୃତିକ ପରିବେଶରେ କିଛି ସମୟ ହଜିଯିବା ପାଇଁ ।