କ୍ୟାପିଟାଲ ହସ୍ପିଟାଲରେ ଖୋଲିବ ଫିଜିଓଥେରାପି ସେଣ୍ଟର : ସରକାରଙ୍କ ନିଷ୍ପତ୍ତି

69

କନକ ବ୍ୟୁରୋ : ରାଜଧାନୀରେ ଥିବା ବିଭିନ୍ନ ସରକାରୀ ଡାକ୍ତରଖାନାରେ ଫିଜିଓଥେରାପି ସେଣ୍ଟର ଖୋଲିଛନ୍ତି ସରକାର । ୟୁନିଟ୍‌-୪ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଡା.ଅଭିନ ଚନ୍ଦ୍ର ହୋମିଓପ୍ୟାଥି ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲରେ ଚାଲିଛି ଫିଜିଓଥେରାପି ସେଣ୍ଟର । ଏହାସହ କ୍ୟାପିଟାଲ ହସ୍ପିଟାଲରେ ମଧ୍ୟ ଏକ ନୂତନ ଫିଜିଓଥେରାପି ସେଣ୍ଟର ଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ।

ମାତ୍ର ୟୁନିଟ୍‌-୪ ସିଏଚ୍‌ସି ଓ ଅଭିନ ଚନ୍ଦ୍ର ହୋମିଓପ୍ୟାଥି କଲେଜରେ ଫିଜିଓଥେରାପି ସେଣ୍ଟର ଅବ୍ୟବସ୍ଥା ଭିତରେ ଗତି କରୁଛି । କେଉଁଠି ଫିଜିଓଥେରାପିଷ୍ଟ ନାହାନ୍ତି ତ ଆଉ କେଉଁଠି କେତେବେଳେ ଫିଜିଓଥେରାପିଷ୍ଟ ଡାକ୍ତରଖାନାକୁ ଆସୁଛନ୍ତି ତାହା ରୋଗୀ ଜାଣିପାରୁ ନାହାନ୍ତି । ଦିନ ପରେ ଦିନ ବିତି ଚାଲିଥିବା ବେଳେ ଏଭଳି ଅବ୍ୟବସ୍ଥା ଲାଗି ରହିଛି ଏହି ଦୁଇ ଡାକ୍ତରଖାନାରେ । କିଭଳି ଏହାକୁ ବ୍ୟବସ୍ଥିତ କରାଯିବ ତାହା ସ୍ୱାସ୍ଥ୍ୟ ବିଭାଗ ଚିନ୍ତା କରିପାରୁନାହିଁ । ଏପେଟ ଗୋଟିଏ ପରେ ଗୋଟିଏ ନୂତନ ଫିଜିଓଫେରାପି କେନ୍ଦ୍ର ଖୋଲି ଭେଳିକି ଦେଖାଇବାରେ ବ୍ୟସ୍ତ ।

ୟୁନିଟ୍‌-୪ ସିଏଚ୍‌ସିରେ ଗତବର୍ଷ ଡିସେମ୍ବର ମାସରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ସ୍ପୋର୍ଟସ ମେଡିସିନ୍‌ ଏବଂ ପୁନର୍ବାସ କେନ୍ଦ୍ର ଖୋଲାଯାଇଛି । ଏଥିରେ ଫିଜିଓଥେରାପି କେନ୍ଦ୍ର ମଧ୍ୟ ରହିଛି । ଖେଳାଳି ମାନଙ୍କ ସ୍ପ୍ରେନ୍‌ କିମ୍ବା ଫ୍ରାକ୍ଚର ହେବା ସହିତ ରେଡିଏସନ୍‌ ମଧ୍ୟ ଏଠାରେ ଦିଆଯିବାର ବ୍ୟବସ୍ଥା କରାଯାଇଛି । ରାଜଧାନୀରେ ବିଭିନ୍ନ ସମୟରେ ହେଉଥିବା କ୍ରୀଡ଼ା ମହୋତ୍ସବକୁ ନଜରରେ ରଖି ସ୍ୱାସ୍ଥ୍ୟ ବିଭାଗ ଏଭଳି ନିଷ୍ପତ୍ତି ନେଇଛି । ଏଥିପାଇଁ ଜଣେ ଅସ୍ଥିଶଲ୍ୟ ବିଶେଷଜ୍ଞ ଓ ଫିଜିଓଥେପରାପିଷ୍ଟ ନିଯୁକ୍ତ ହୋଇଛନ୍ତି । ଏଥିପାଇଁ ସିଏଚ୍‌ସିରେ ୨ଟି ରୁମ୍‌କୁ ସଂରକ୍ଷିତ ରଖାଯାଇଛି । ମାତ୍ର ଆଜି ରୋଗୀଙ୍କ ଦେଖା ନାହିଁ । ହସ୍ପିଟାଲ ପରିସରରେ ହେବାକୁ ଥିବା ନୂତନ ବିଲ୍ଡିଂରେ ଏହା କାର୍ଯ୍ୟକାରୀ ହେବ ବୋଲି ଲକ୍ଷ୍ୟ ରହିଛି । ମାତ୍ର ନୂତନ ବିଲ୍ଡିଂ ନିର୍ମାଣ ହୋଇ ନ ଥିବାରୁ ଏହି କେନ୍ଦ୍ର ହସ୍ପିଟାଲ ପରିସରରେ ରହିଛି । ଯାହାକୁ ନେଇ ହସ୍ପିଟାଲ କାର୍ଯ୍ୟରେ ବାଧା ଉପୁଜୁଥିବାରୁ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି ।

ସେହିପରି ଡା.ଅଭିନ ଚନ୍ଦ୍ର ହୋମିଓପ୍ୟାଥିକ ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି । ହସ୍ପିଟାଲର ଫିଜିଓଥେରାପିଷ୍ଟ କେନ୍ଦ୍ରରେ ପୂର୍ବରୁ ଜଣେ ଠିକା ଫିଜିଓଥେରାପିଷ୍ଟ ନିଯୁକ୍ତ ହୋଇଥିବା ବେଳେ ଏବେ ଅନ୍ୟ ଜଣଙ୍କୁ ନିଯୁକ୍ତି ଦିଆଯାଉଛି । ଯଦିଓ ଏଠାରେ ରୋଗୀଙ୍କ ସଂଖ୍ୟା ଅଧିକ ରହିଛି ତେବେ ଅନେକ ସମୟରେ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ମିଳିପାରୁ ନ ଥିବା ଅଭିଯୋଗ ହେଉଛି । ଏପରିକି ପୁରୁଣା ଯନ୍ତ୍ରପାତିର ବ୍ୟବହାର ହେଉଥିବା କିଛି ରୋଗୀ ଅଭିଯୋଗ କରିଛନ୍ତି ।

ଅପରପକ୍ଷରେ କ୍ୟାପିଟାଲ ହସ୍ପିଟାଲରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ଫିଜିଓଥେରାପି କେନ୍ଦ୍ର ଖୋଲିବାକୁ ନିଷ୍ପତ୍ତି ହୋଇଛି । କ୍ୟାପିଟାଲ ହସ୍ପିଟାଲ ପରିସରରେ ଥିବା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ବା ଏସ୍‌ଏସ୍‌ପିଡିର ବିଲ୍ଡିଂ ଓ ଅସ୍ଥିଶଲ୍ୟ ବିଭାଗ ନିକଟରେ ଥିବା ଏକ ଜାଗାରେ ଏହି କେନ୍ଦ୍ର ଖୋଲିବାକୁ ହସ୍ପିଟାଲ କର୍ତୃପକ୍ଷ ବିଚାର କରୁଛନ୍ତି । ଏସ୍‌ଏସ୍‌ପିଡି ବିଭାଗକୁ ଅନ୍ୟ ଏକ ବିଲ୍ଡିଂକୁ ସ୍ଥାନାନ୍ତର କରାଯିବାର ଲକ୍ଷ୍ୟ ରହିଥିବା ବେଳେ ଏଠାରେ ଫିଜିଓଥେରାପି କେନ୍ଦ୍ର ଖୋଲିବାର ଅଧିକ ସୁଯୋଗ ରହିଥିବା ଜଣାପଡ଼ିଛି । ଯଦିଓ ଏଥିପାଇଁ ଆବଶ୍ୟକ ଯନ୍ତ୍ରପାତି ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯିବ ତେବେ ଏହା କିଭଳି ପରିଚାଳିତ ହେବ ସେଥିପାଇଁ ଜାତୀୟ ସ୍ୱାସ୍ଥ୍ୟ ମିସନ ପକ୍ଷରୁ ଗାଇଡଲାଇନ୍‌କୁ ଅପେକ୍ଷା କରାଯାଇଛି ।

ଫିଜିଓଥେରାପି କେନ୍ଦ୍ରରେ ଦୁର୍ଘଟଣାଗ୍ରସ୍ତ ରୋଗୀ, ପକ୍ଷାଘାତ, ବୟସ୍କ ଓ ମାନସିକ ରୋଗୀଙ୍କ ଚିକିତ୍ସା କରାଯାଇଥାଏ । ଫଳରେ ଏହି ରୋଗୀ ମାଗଣାରେ ଏହି ଚିକିତ୍ସା ସୁବିଧା ପାଇପାରିବେ। କ୍ୟାପିଟାଲ ହସ୍ପିଟାଲର ନିର୍ଦେଶକ ଡା.ସି.ଆର ଦାସଙ୍କ କହିବାନୁଯାୟୀ, ହସ୍ପିଟାଲରେ ଏକ ଫିଜିଓଥେରାପି କେନ୍ଦ୍ର ଖୋଲିବା ପାଇଁ ପ୍ରସ୍ତାବ ରହିଛି । ଏଥିପାଇଁ ୨ଟି ଜାଗା ସ୍ଥିର ହୋଇଛି । ମାତ୍ର ଜାତୀୟ ସ୍ୱାସ୍ଥ୍ୟ ମିସନ ସହିତ ଏ ସଂପର୍କରେ ଆଲୋଚନା ପରେ କେନ୍ଦ୍ର ଖୋଲିବା ନେଇ ସ୍ଥିର କରାଯିବ ବୋଲି ଡା.ଦାସ ସୂଚନା ଦେଇଛନ୍ତି ।