ଦିବ୍ୟାଙ୍ଗ ହୋଇ ବି ବଞ୍ଚୁଛନ୍ତି ସାଧାରଣ ଜୀବନ ! ହାତଗୋଡ଼ ନଥାଇ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି ଅହମଦାବାଦର ଶିବମ୍ ପୋରବାଲ୍

61

ସଂଘର୍ଷ କରି ସଫଳତା ହାସଲ କରୁଥିବା ଲୋକଙ୍କୁ ହିଁ ଲୋକେ ମନେ ରଖନ୍ତି । କିମ୍ବା ଇତିହାସରେ ତା’ ନାଁ ଲିପିବଦ୍ଧ ହୋଇଯାଏ । ବର୍ତ୍ତମାନ ସମୟରେ ସାଧାରଣ ଭାବେ ମଧ୍ୟ ଜୀବନ ବିତାଇବା ବହୁତ ମୁସ୍କିଲ । କିନ୍ତୁ ହାତ ଗୋଡ଼ ନଥାଇ ଦୁନିଆରେ ସାଧାରଣ ଜୀବନ ବିତାଇବା ଖୁବ୍ ଅସାଧାରଣ କଥା । ଦିବ୍ୟାଙ୍କ ହୋଇ ମଧ୍ୟ ବିନା ସାହାରାରେ ଜୀବନ କାଟିବା ବହୁତ କଷ୍ଟକର କଥା । ଏପରି ଜଣେ ମଣିଷ ହେଲେ ଅହମଦାବାଦର ୨୩ ବର୍ଷିୟ ଯୁବକ ଶିବମ୍ ପୋରବାଲ୍ ।

ଛୋଟ ବେଳୁ ଶିବମଙ୍କ ଜୀବନ ଏତେ ସହଜ ନଥିଲା । ସାଧାରଣ ଲୋକଙ୍କ ପରି ସେ ଜୀବନ କାଟିପାରୁନଥିଲେ । ପିଲାବେଳୁ ସେ ଦିବ୍ୟାଙ୍ଗ । ଫୋକୋମେଲିଆ ନାମକ ଏକ ରୋଗରେ ପୀଡ଼ିତ ଶିବମ୍ । ଏହି ରୋଗ ଯୋଗୁଁ ମା ପେଟରୁ ହିଁ ଶିଶୁର ହାତ ଓ ଗୋଡ଼ ଠିକରେ ବିକଶିତ ହୋଇପାରେ ନାହିଁ । ଶିବମଙ୍କ ସହ ମଧ୍ୟ ଏପରି ହୋଇଥିଲା । ମା ପେଟରୁ ତାଙ୍କର ହାତ ଗୋଡ଼ ସ୍ୱାଭାବିକ ଭାବରେ ବଢ଼ିପାରିନଥିଲା । ଆଣ୍ଠୁ ତଳକୁ ଶିବମଙ୍କ ଦୁଇ ଗୋଡ଼ ଠିକରେ ବିକଶିତ ହୋଇପାରି ନାହିଁ । ଏହାସହ ତାଙ୍କ ଡାହାଣ ହାତରେ ଅଛି କେବଳ ୩ଟି ଅଙ୍ଗୁଳି ଓ ବାମ ହାତରେ ବୁଢ଼ା ଅଙ୍ଗୁଳି ସହ ଅନ୍ୟ ଏକ ଅଙ୍ଗୁଳି ଲାଗି ରହିଛି ।

shibam

 

ଶିବମ୍ କୁହନ୍ତି ପିଲାବେଳେ ତାଙ୍କର ଏପରି ଅବସ୍ଥା ଦେଖି ଅନେକ ଲୋକ ତାଙ୍କୁ ମାରିଦେବା ପାଇଁ ଉପଦେଶ ଦେଇଥିଲେ । କିନ୍ତୁ ତାଙ୍କ ବାପାମା’ କାହାକଥା ଶୁଣିନଥିଲେ । ଏକ ପାନ ଦୋକାନରେ କାମ କରି ମଧ୍ୟ ତାଙ୍କ ବାପା ସବୁ ଇଚ୍ଛାକୁ ପୁରଣ କରୁଥିଲେ । ଆଉ ତାଙ୍କ ମା’ ଜୀବନରେ କିଭଳି ପ୍ରତି ମୁହୂର୍ତ୍ତରେ ତାଙ୍କୁ ସାହାରା ଦେଇଥିଲେ । ବାପାମା’ଙ୍କ ପ୍ରେରଣା ପାଇଁ ହିଁ ଆଜି ସେ ଏତେ ସଫଳତା ହାସଲ କରିପାରିଛନ୍ତି ।

ହାତ ଗୋଡ଼ ସ୍ୱାଭାବିକ ନଥିଲେ ମଧ୍ୟ ସେ ତାଙ୍କ ଜୀବନକୁ ଖୁବ ଭଲରେ ଜୀଇଁବା ପାଇଁ ଚେଷ୍ଟା କରୁଥିଲେ । ଦିବ୍ୟାଙ୍କ ହେବା ପରେ ମଧ୍ୟ ଶିବମ ସାଧାରଣ ଲୋକଙ୍କ ପରି ସବୁକାମ କରୁଥିଲେ । ଆଉ ଏଇଥିପାଇଁ ଆଜି ସେ ସମସ୍ତଙ୍କ ପାଇଁ ପ୍ରେରଣା ସାଜିଛନ୍ତି । ଶିବମ୍ ବର୍ତ୍ତମାନ ଅହମଦାବାଦର ବିଏସଏଏନଏଲ ଅଫିସରେ ଟେଲିକମ୍ ଅଫିସର୍ ଭାବେ କାର୍ଯ୍ୟରତ । ଏହାସହ ସେ ଆଇଆଇଟି ପାଟଣାରେ ଏମଟେକ୍ ମଧ୍ୟ କରୁଛନ୍ତି । କେବଳ ଏତିକି ନୁହେଁ ଶିବମ୍ ଜଣେ ପ୍ରେରଣାଧର୍ମୀ ବକ୍ତା । ତାଙ୍କୁ ଗୀତ ଗାଇବା ଓ ଗିଟାର ବଜାଇବା ପାଇଁ ମଧ୍ୟ ବହୁତ ଭଲଲାଗେ ।