ଅସମ୍ଭବକୁ ସମ୍ଭବ କରି ଦେଖାଇଲେ ଦିବ୍ୟାଙ୍ଗ ସନ୍ତରଣକାରୀ : ହାତର ସହାୟତାରେ ଇଂଲିଶ ଚ୍ୟାନେଲ ଅତିକ୍ରମ କରି ରଚିଲେ ଇତିହାସ

51

ଛୋଟ-ବଡ ଗୋଡ ସହିତ ଜନ୍ମ ନେଇଥିବା ପିଲାର ବୟସ ଦେଢ଼ ମାସ ହୋଇଥିବା ବେଳେ ପକ୍ଷାଘାତ ହୋଇଯାଇଥିଲା, ତା’ପରେ ଟିକିଏ ବଡ ହେବା ପରେ ଯାହାକୁ ସ୍ନାୟୁ ଜନିତ ରୋଗ ହୋଇଯାଇଥିଲା । ଏମିତି ମଣିଷ ବିଷୟରେ ଶୁଣିଲେ ଆପଣଙ୍କ ମନରେ କେମିତି ଦୃଶ୍ୟ ଆସୁଥିବ । ସେ ଖଟରେ ଅସହାୟ ଅବସ୍ଥାରେ ଅନ୍ୟ ଉପରେ ନିର୍ଭର କରି ପଡିଥିବେ । କିନ୍ତୁ ଘଟଣାଟି ସେମିତି ନୁହେଁ । ସେ ତୋଫାନ ଭଳି ଲହଡିକୁ ଚିରି ସଫଳତା ଆଡକୁ ବଢ଼ୁଛନ୍ତି । ଏହି ବ୍ୟକ୍ତିଙ୍କ ନାମ ରିମୋ ସାହା । ୨୬ ବର୍ଷୀୟ ରିମୋ ଦିବ୍ୟାଙ୍ଗତାକୁ ମାତ୍ ଦେଇ ଇଂଲିଶ ଚ୍ୟାନେଲ ଅତିକ୍ରମ କରିଛନ୍ତି, କେବଳ ହାତର ସହାୟତାରେ ପହଁରିକି, କାହିଁକିନା ପାଣିରେ ତାଙ୍କର ଗୋଡ ଜମାରୁ ହଲେନି । ଏହି କୀର୍ତ୍ତିମାନ ପୂର୍ବରୁ ସେ ସନ୍ତରଣରେ ରାଷ୍ଟ୍ରୀୟ ଓ ଅନ୍ତର୍ରାଷ୍ଟ୍ରୀୟ ସ୍ତରରେ ସଫଳତା ହାସଲ କରିସାରିଛନ୍ତି ।

ସେ ଇଂଲିଶ ଚ୍ୟାନେଲ ଅତିକ୍ରମ କରିବା ପାଇଁ ବହୁତ ପ୍ରସ୍ତୁତି କରିଥିଲେ । ପ୍ରଥମେ ନଦୀରେ ହେଉଥିବା ସନ୍ତରଣ ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଥିଲେ । ତା’ପରେ ସମୁଦ୍ରକୁ ଗଲେ । ବର୍ଷ ୨୦୧୧ରେ ମୁମ୍ବାଇରେ ହୋଇଥିବା ନେଭି ସି ସ୍ୱିମିଙ୍ଗରେ ଚତୁର୍ଥ ସ୍ଥାନ ହାସଲ କରିଥିଲେ । ବର୍ଷ ୨୦୧୬ରେ ଏହି ପ୍ରତିଯୋଗିତାରେ ସେ ଦ୍ୱିତୀୟ ସ୍ଥାନ ହାସଲ କରିଥିଲେ । ଇଂଲିଶ ଚ୍ୟାନେଲ ଅଭିଯାନ ପାଇଁ ନିଜ ୩ଜଣ ଦିବ୍ୟାଙ୍ଗ ବନ୍ଧୁଙ୍କ ସହ ପୁଣେରେ କଡା ଟ୍ରେନିଙ୍ଗ ନେଇଥିଲେ । ହାୱଡାର ସଲକିୟା କ୍ଷେତ୍ରରେ ଶ୍ରୀମନି ବଗାନ ଲେନରେ ଏକ ଛୋଟ ଫ୍ଲାଟରେ ରହୁଥିବା ରିମୋଙ୍କ ଏକ ଛୋଟ ପରିବାର ଅଛି । ତାଙ୍କ ବାପା ଶଙ୍କର ସାହା ଏକ ପ୍ରାଇଭେଟ୍ କମ୍ପାନୀର କର୍ମଚାରୀ ଅଟନ୍ତି । ମାଁ ଶୁକ୍ଳା ସାହା ଗୃହିଣୀ ଓ ଭଉଣୀ କୋୟଲ ମଣ୍ଡଳର ବିବାହ ହୋଇସାରିଛି ।