ଖେଳରେ ଖେଳରେ ଚାଲିଗଲା ଜୀବନ ! : ବନ୍ଧୁକ ଧରି ଫଟୋ ଉଠାଇବା ପଡିଲା ମହଙ୍ଗା

20

ଜୀବନ କେତେବେଳେ କେମିତି ଯାଏ ତାହା କହିବା କଷ୍ଟକର । ଆତ୍ମଘାତୀ ଦ୍ରବ୍ୟ ବ୍ୟବହାର ପୂର୍ବରୁ ସତର୍କତା ଅବଲମ୍ବନ କରିବା ଉଚିତ୍ ଏହି ଉକ୍ତିଟି ଆମେ ପିଲାବେଳୁ ଶୁଣିଆସୁଛେ । କିନ୍ତୁ ଅସାବଧାନତା ଯୋଗୁଁ କିଛି ମୁହୂର୍ତ୍ତର ଖୁସି ପାଇଁ ଆମର ବହୁମୁଲ୍ୟ ଜୀବନକୁ ଜଳାଞ୍ଜଳୀ ଦେଇ ଦେଉଛେ । ଏଭଳି ଏକ ହୃଦୟବିଦାରକ ଘଟଣା ଦେଖିବାକୁ ମିଳିଛି ଦିଲ୍ଲୀର ବିଜୟ ବିହାରଠାରେ । ଏଠାରେ ରହୁଥିବା ୨୩ ବର୍ଷୀୟ ବିଜୟ ସିଂ ନିଜ ବନ୍ଧୁ ମୋନୁଙ୍କ ସହ ବନ୍ଧୁକରେ ଫଟୋ ଉଠାଉଥିବାବେଳେ ହଠାତ୍ ବନ୍ଧୁକରୁ ଗୁଳି ଫୁଟି ବିଜୟଙ୍କ ପ୍ରାଣବାୟୁ ଉଡି ଯାଇଥିଲା । ଗୁଳି ତାଙ୍କ ବେକରେ ଲାଗିବା ଫଳରେ ଘଟଣାସ୍ଥଳରେ ହିଁ ସେ ମୃତ୍ୟୁବରଣ କରିଥିଲେ ।

ବିଜୟଙ୍କ ଘର ରାଜସ୍ଥାନରେ ହୋଇଥିବାବେଳେ ସେ ଦିଲ୍ଲୀ ନିଜ ମାମୁଁଙ୍କ ଘରେ ରହୁଥିଲେ । ଘଟଣା ଘଟିବା ସମୟରେ ତାଙ୍କ ୧୨ ବର୍ଷୀୟା ଭଉଣୀ ଅନ୍ୟ କୋଠରୀରେ ନିଜ ସାଙ୍ଗମାନଙ୍କ ସହ ଖେଳୁଥିଲେ । ଶବ୍ଦ ଶୁଣି ସେ ଦୌଡି ଆସି ଭାଇକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତଳେ ପଡିଥିବାର ଦେଖିଥିଲେ । ବିଜୟଙ୍କ ପାଖରେ ସେତେବେଳେ ବନ୍ଧୁକ ପଡିଥିଲା । ଘଟଣାସ୍ଥଳରେ ପୋଲିସ୍ ପହଞ୍ଚିବା ପରେ ମୋବାଇଲରୁ ମୋନୁ ଏବଂ ବିଜୟଙ୍କ ବନ୍ଧୁକ ଧରି ଫଟୋ ଉଠାଥିବା ଦୃଶ୍ୟ ଦେଖିବାକୁ ପାଇଥିଲେ । ପୋଲିସ୍ ଏବେ ମୋନୁକୁ ହେପାଜତରେ ନେଇ ପଚରାଉଚରା କରିବାରେ ଲାଗିଛି । ଏହା ହତ୍ୟା ଥିଲା ନା ଅଜାଣତରେ ବନ୍ଧୁକରୁ ବାହାରିଥିବା ଗୁଳି ଥିଲା, ଏହା ଏବେ ରହସ୍ୟରେ ।