ଛାତ୍ରୀଙ୍କ ଫଟୋ ଭାଇରାଲ କରି ଫଶିଲେ ଛାତ୍ର ! ଅଭିଯୁକ୍ତକୁ ଉଠାଇନେଲା ମାଲଗୋଦାମ ଥାନା ପୋଲିସ୍ ।

87

କନକ ବ୍ୟୁରୋ : ରେଭେନ୍ସା ବିଶ୍ୱବିଦ୍ୟାଳୟରେ ପୁଣି ଜଣେ ଛାତ୍ରୀଙ୍କ ଅଶ୍ଲୀଳ ଫଟୋ ଭାଇରାଲ ହୋଇଥିବା ଅଭିଯୋଗ ହୋଇଛି । ସୋସିଆଲ ମିଡିଆରେ ଏହି ଫଟୋକୁ ଅପଲୋଡ କରିଛନ୍ତି ସଂପୃକ୍ତ ଛାତ୍ରୀଙ୍କ ପୁରୁଷ ବନ୍ଧୁ । ଅଭିଯୁକ୍ତ ଛାତ୍ରକୁ ମାଲଗୋଦାମ ଥାନା ପୋଲିସ ଗିରଫ କରିଛି । ମିଳିଥିବା ଖବର ଅନୁସାରେ, ଛାତ୍ରୀ ଜଣକ ବିଶ୍ୱବିଦ୍ୟାଳୟ ହଷ୍ଟେଲରେ ରହି ପଢୁଥିବାବେଳେ ଛାତ୍ରଙ୍କ ସହ ତାଙ୍କର ପରିଚୟ ଥିଲା । କିଛି ମାସ ମଧ୍ୟରେ ବନ୍ଧୁତା ବଢିବା ପରେ ଏହି ଫଟୋ ଉଠାଯାଇଥିବା ସନ୍ଦେହ କରାଯାଉଛି ।

ତେବେ କୌଣସି କାରଣରୁ ମତାନ୍ତର ହେବା ପରେ ଉଭୟଙ୍କ ମଧ୍ୟରେ ବଚସା ଓ ମାରପିଟ ହୋଇଥିଲା । ପରେ ଛାତ୍ର ଜଣଙ୍କ ପ୍ରତିଶୋଧପରାୟଣ ହୋଇ ଛାତ୍ରୀଙ୍କର କିଛି ଅଶ୍ଲୀଳ ଫଟୋ ସୋସିଆଲ ମିଡିଆରେ ଭାଇରାଲ କରିଥିଲେ । ଏହି ଘଟଣା ଜଣାପଡିବା ପରେ ଛାତ୍ରୀ ଜଣକ ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ ଓ ମାଲଗୋଦାମ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ଛାତ୍ରୀଙ୍କ ଅଭିଯୋଗ ଆଧାରରେ ଛାତ୍ରଙ୍କୁ ଅଟକ ରଖି ପଚରାଉଚରା କରୁଛି ।