ପ୍ରଫେସରଙ୍କ ପ୍ରେମ କାହାଣୀ ! ସହଯୋଗ ନକଲେ ପିଏଚଡି ମିଳବନାହିଁ ବୋଲି ଧମକାଉଥିଲେ

36

କନକ ବ୍ୟୁରୋ : ଆଇଆଇଟି ଭଳି ଦେଶର ମର୍ଯ୍ୟାଦା ସଂପନ୍ନ ଶିକ୍ଷାନୁଷ୍ଠାନ ବିରୋଧରେ ସାଂଘାତିକ ଅଭିଯୋଗ । ଭୁବନେଶ୍ୱର ଆଇଆଇଟିର ପ୍ରଫେସର୍ ଭି.ଆର. ପେଦିରେଡ୍ଡିଙ୍କ ବିରୋଧରେ ଯୌନ ନିର୍ଯାତନା ଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ତାଙ୍କ ଅଧୀନରେ ପିଏଚଡି କରୁଥିବା ଜଣେ ଛାତ୍ରୀ । ନିଜ ପଦର ଦୂରୁପଯୋଗ କରି ପ୍ରଫେସର ଜଣକ ଶାରିରୀକ ଓ ମାନସିକ ଭାବେ ଭୀଷଣ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି । ଛାତ୍ରୀ ଗର୍ଭବତୀ ଥିବା ସମୟରେ ୪ ମହଲା ଉପରକୁ ଚାଲିଚାଲି ଯିବାକୁ ବାଧ୍ୟ କରୁଥିଲେ । ଏପରିକି ନିରୋଳା ସମୟରେ ଲାବୋରେଟୋରିକୁ ଆସିବାକୁ କହୁଥିଲେ । ଅନ୍ୟ ଛାତ୍ରଛାତ୍ରୀଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଯୌନ ଶୋଷଣ କରୁଥିଲେ ବୋଲି ଅଭିଯୋଗ ଆଣିଛନ୍ତି ପୀଡିତା ଛାତ୍ରୀ ।

ପ୍ରଫେସରଙ୍କ ଏହି କଳାକାରନାମ ସଂପର୍କରେ ଅଭିଯୋଗ ଆଣିବା ପରେ ତଦନ୍ତ କରିଥିଲା ଶିକ୍ଷାନୁଷ୍ଠାନର ଇଂଟରନାଲ କମିଟି । ହେଲେ ଡାଉଟ ଅଫ ବେନିଫିଟ ଆଧାରରେ ସଂପୃକ୍ତ ପ୍ରଫେସରଙ୍କୁ କ୍ଲିନଚିଟ୍ ମିଳିଥିବା କହିଛନ୍ତି ପୀଡିତା ଛାତ୍ରୀ । ଏପଟେ ଅଭିଯୋଗ ନେଇ ଗଣମାଧ୍ୟମରେ ତମ୍ବିତୋଫାନ ପରେ ପ୍ରେସ ବିବୃତି ଜାରି କରିଛି ଆଇଆଇଟି ଭୁବନେଶ୍ୱର । ଯେଉଁଥିରେ ଘଟଣା ସଂପର୍କରେ ଶିକ୍ଷାନୁଷ୍ଠାନର ଇଂଟରନାଲ କଂପ୍ଲେନ କମିଟି- ଆଇସିସି ତଦନ୍ତ କରି ଅଭିଯୋଗ ଭିତ୍ତିହୀନ ଓ ସଂପୃକ୍ତ ପ୍ରଫେସର୍ ସଂପୂର୍ଣ୍ଣ ନିର୍ଦ୍ଦୋଶ ବୋଲି ରିପୋର୍ଟ ଦିଆଯାଇଥିବା ଉଲ୍ଲେଖ ରହିଛି ।

ବିଭିନ୍ନ ଆଡୁ ନିରାଶ ହେବାପରେ ପୀଡିତା ଏବେ ନ୍ୟାୟିକ ଲଢେଇ ଲଢିବା ପାଇଁ ପ୍ରସ୍ତୁତ ହେଉଛନ୍ତି । ହାଇକୋର୍ଟରେ ରିଟ୍ ପିଟିସନ କରିବା ସହ ଭୁବନେଶ୍ୱର ମହିଳା ଥାନାରେ ସଂପୃକ୍ତ ପ୍ରଫେସରଙ୍କ ବିରୋଧରେ ଏତଲା ଦେବେ ବୋଲି କହିଛନ୍ତି । ଆଉ ଏସବୁ ଭିତରେ ଦେଶର ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଆଇଆଇଟି, ଭୁବନେଶ୍ୱରର ମର୍ଯ୍ୟାଦାକୁ ନେଇ ଉଠିଛି ବିରାଟ ପ୍ରଶ୍ନାବାଚୀ ।