ପିଏଚଡି ସ୍କଲାରରୁ ଆତଙ୍କବାଦୀ ! ଯବାନଙ୍କ ଗୁଳିରେ ଚାଲିଗଲା ଜୀବନ ।

34

ପିଏଚଡି ସ୍କଲାରରୁ କୁଖ୍ୟାତ ଆତଙ୍କବାଦୀ ସଂଗଠନ ହିଜବୁଲ୍ ମୁଜାହିଦ୍ଦିନର ସଦସ୍ୟ ପାଲଟିଥିବା ମନନ୍ ବସିର ଓ୍ଵାନି ଆଜି ପ୍ରତ୍ୟୁଷରେ ସୁରକ୍ଷା କର୍ମୀଙ୍କ ଗୁଳିରେ ନିହତ ହୋଇଥିବା ଜାଣିବାକୁ ମଳିଛି।

ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ଶ୍ରୀନଗରର କୁପଓ୍ଵାରା ଜିଲ୍ଲା ଅନ୍ତର୍ଗତ ଏକ ଗ୍ରାମରେ କିଛି ଆତଙ୍କବାଦୀ ଲୁଚି ରହିଥିବା ସଂପର୍କରେ ଗୁଇନ୍ଦା ତଥ୍ୟ ମିଳିବା ପରେ ସେନା ପକ୍ଷରୁ କାର‌୍ୟ୍ୟାନୁଷ୍ଠାନ ଆରମ୍ଭ ହୋଇଥିଲା। ସେନା ସୁରକ୍ଷା ବାହିନୀର ଯବାନମାନେ ସଂପୃକ୍ତ ଗ୍ରାମକୁ ଚାରିପଟୁ ଘେରାବନ୍ଦୀ କରିନେବା ପରେ ତଲାସୀ ଅଭିଯାନ ଆରମ୍ଭ କରିଥିଲେ। ଏହି ସମୟରେ ସଂପୃକ୍ତ ଗ୍ରାମର ଗୋଟିଏ ଘର ଭିତରେ ଆତ୍ମଗୋପନ କରି ଲୁଚି ରହିଥିବା ଦୁଇ ଜଣ ଆତଙ୍କବାଦୀ ସୁରକ୍ଷା ବାହିନୀର ଯବାନମାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଏହି ଘଟଣାରେ ଆତଙ୍କବାଦୀମାନଙ୍କୁ ପାଲଟା ଜବାବ ଦେବାକୁ ସେନା ପକ୍ଷରୁ ଗୁଳି ଚାଳନା ସହ ଏନକାଉଣ୍ଟର ଆରମ୍ଭ ହୋଇଥିଲା। ଏହି ଏନକାଉଣ୍ଟରରେ ଦୁଇଜଣ ଆତଙ୍କବାଦୀ ନିହତ ହୋଇଥିଲେ। ନିହତ ହୋଇଥିବା ଦୁଇ ଆତଙ୍କବାଦୀଙ୍କ ମଧ୍ୟରୁ ଜଣଙ୍କୁ ମନନ୍ ବସିର ଓ୍ଵାନି ବୋଲି ଚିହ୍ନଟ କରାଯାଇଥିବା ବେଳେ ଅନ୍ୟ ଜଣଙ୍କୁ ଚିହ୍ନଟ କରାଯାଇ ପାରିନାହିଁ। ତେବେ, କିଛି ବର୍ଷ ପୂର୍ବେ ମନନ୍ ବସିର ଓ୍ଵାନି ପିଏଚଡି ସ୍କଲାରରୁ କୁଖ୍ୟାତ ଆତଙ୍କବାଦୀ ସଂଗଠନ ହିଜବୁଲ୍ ମୁଜାହିଦ୍ଦିନର ସଦସ୍ୟ ପାଲଟିଥିଲେ।