ଭଗବାନଙ୍କ ରୂପରେ ଭୁବନେଶ୍ୱର…୪୫ ବର୍ଷ ହେଲା ମାଗଣାରେ କରୁଛନ୍ତି ରୋଗୀସେବା… ଘରକୁ ଘର ବୁଲି ଅସହାୟଙ୍କ ବୁଝୁଛନ୍ତି ଦୁଃଖ

910

କନକ ବ୍ୟୁରୋ: ଜୀବନରେ ଅନେକ ପ୍ରତିକୂଳ ପରିସ୍ଥିତି ଆସିଛି..ସମୟ ଅନେକ ଅଭୁଲା ଯନ୍ତ୍ରଣା ମଧ୍ୟ ଦେଇଛି.. ହେଲେ ନିଜ ଲକ୍ଷ୍ୟପଥରୁ କେବେ ବିଚ୍ୟୁତ ହୋଇନାହାନ୍ତି ସେ । ବୟସର ଅପରାହ୍ନରେ ବି ଷ୍ଟେଥୋସକପ ଧରି ଖାଲି ରୋଗୀ ସେବା କରୁନାହାନ୍ତି ବରଂ ମାଇକ୍ ଧରି ଜନସେବା କରିବାକୁ ମଧ୍ୟ ପାଦ କାଢିଛନ୍ତି । ଏଭଳି ଜଣେ ଅନ୍ୟନ୍ୟ ବ୍ୟକ୍ତି ହେଉଛନ୍ତି ମୟୁରଭଂଜ ଜିଲ୍ଲା ସରସକଣା ବ୍ଲକ ବଡଚାଟରା ଗାଁର ୭୧ ବର୍ଷୀୟ ଭୁବନେଶ୍ୱର ମହାନ୍ତ । ଯିଏକ ନିସ୍ୱାର୍ଥପର ଭାବେ ଦୀର୍ଘ ୪୫ ବର୍ଷ ହେବ ଗରିବ ଓ ଅସହାୟ ଲୋକଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦୁଃଖୀ ରଖିଙ୍କ ପାଇଁ ପାଲଟିଯାଇଛନ୍ତି ସାକ୍ଷାତ୍ ଭଗବାନ ।

ଭୁବନେଶ୍ୱରଙ୍କୁ ଯେତେବେଳେ ୧୫ ବର୍ଷ ହୋଇଥିଲା ସେତେବେଳେ ତାଙ୍କ ବାପାଙ୍କ ଦେହ ହଠାତ୍ ଅସୁସ୍ଥ ହୋଇପଡିଥିଲା ହେଲେ ବାପାଙ୍କର ଚିକିତ୍ସା କରିବାକୁ ତାଙ୍କ ନିକଟରେ ଟଙ୍କାର ଘୋର ଅଭାବ ଥିଲା ତେଣୁ ଟଙ୍କା ଏବଂ ଚିକିତ୍ସା ନପାଇ ତାଙ୍କର ମୃତ୍ୟୁ ହୋଇଯାଇଥିଲା ଯାହା ଭୁବନେଶ୍ୱରଙ୍କୁ ବେଶ୍ ଆନ୍ଦୋଳିତ କରିଥିଲା । ଆଉ ସେହି ଦିନଠାରୁ ସେ ପଣ କରିନେଇଥିଲେ କି ସେ ଡାକ୍ତର ହେବେ ଏବଂ ରୋଗୀସେବା କରିବେ ।  ୧୯୬୮ରେ ମାଟ୍ରିକ ପାସ କରି ଭୁବନେଶ୍ୱର ବୁର୍ଲା ମେଡିକାଲ କଲେଜରେ ଫାର୍ମାସୀ ପାଠ୍ୟକ୍ରମରେ ନାଁ ଲେଖାଇଲେ । ତେବେ ଡାକ୍ତର ହୋଇନପାରିବି ୧୯୭୦ରେ ଜଣେ ସଫଳ ଫାର୍ମାସିଷ୍ଟ  ଭାବେ ନିଜକୁ ଆବିଷ୍କାର କରିପାରିଥିଲେ ଭୁବନେଶ୍ୱର ।

ଫାର୍ମାସୀ ପାସ୍ ପରେ ଭୁବନେଶ୍ୱର ପ୍ରଥମ କରି କୋରାପୁଟର ରାବଣଗୁଡା ଡାକ୍ତରଖାନାରେ ପୋଷ୍ଟିଂ ହେଲେ । ସେଠାର କେହି ଡାକ୍ତର ନଥିବା ବେଳେ ନିଜେ ଉତ୍ସର୍ଗୀକୃତ ଭାବେ ଗରିବଙ୍କ ସେବା କରିଚାଲିଲେ ।  ଏମିତିକି ଡ୍ୟୁଟି ସମୟ ସରିଗଲା ପରେ ବି ଘରକୁ ଘର ଯାଇ ରୋଗୀ ସେବା କରୁଥିଲେ ଭୁବନେଶ୍ୱେର । ଆଉ ତାଙ୍କର ଏହି କାମର ପ୍ରଶଂସା ଜିଲ୍ଲାସାରା ବ୍ୟାପିଗଲା ।  ୧୯୮୨ରେ  ବାଲେଶ୍ୱର ବସ୍ତା ଡାକ୍ତରଖାନା ଏବଂ ୧୯୮୩ରେ ରାସଗୋବିନ୍ଦପୁର ଡାକ୍ତରଖାନାରୁ ଶୀର୍ଷା ଡାକ୍ତରଖାନାକୁ ଭୁବନେଶ୍ୱରଙ୍କ ବଦଳି ହୋଇଥିଲା । ଆଉ ଏଠାରେ ବି ତାଙ୍କର ମାଗଣା ରୋଗୀସେବା  ନିରବିଚ୍ଛିନ୍ନ ଭାବେ ଚାଲିଥିଲା । ଶେଷରେ ସେ ୨୦୦୮ରେ ଚାକିରିରୁ ଅବସର ନେଇଥିଲେ ।

ଭୁବନେଶ୍ୱର ନିଜ ଜୀବନରେ ଅନେକ ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରିଛନ୍ତି । ତଥାପି କିନ୍ତୁ ସେ ନିଜ କର୍ତ୍ତବ୍ୟରୁ ଓହରି ଯାଇନାହାନ୍ତି । ରୋଗୀସେବାର ପ୍ରତିଜ୍ଞା ତାଙ୍କର ବିସ୍ତୃତ ହୋଇନାହିଁ । ଚାକିରି କାଳରୁ ଆଜି ଯାଏ ଦୀର୍ଘ ୪୫ ବର୍ଷରୁ ଅଧିକ ସମୟ ଡାକ୍ତରଖାନାରେ ନିଜ ସମୟ ନିର୍ଘଂଟକୁ ଛାଡି ସେ ଯେପରି ଘର ଘର ବୁଲି ମାଗଣାରେ ରୋଗୀ ସେବା କରୁଥିଲେ ଆଜି ବି ସେମିତି ରୋଗୀ ସେବାରେ ବ୍ରତୀ ଅଛନ୍ତି ଭୁବନେଶ୍ୱର । ଖାଲି ସେତିକି ନୁହେଁ ବିନା ପଇସାରେ ଔଷଧ ଦେବା ସହ ଅସହାୟ ଲୋକଙ୍କୁ ଆର୍ଥିକ ସାହାଯ୍ୟ ବି ଯୋଗାଇ ଦେଉଛନ୍ତି ଭୁବନେଶ୍ୱର ।