ଫାର୍ମାସୀ ଛାତ୍ରୀଙ୍କୁ ଡାକ୍ତରଙ୍କ ଯୌନ ନିର୍ଯାତନା ଘଟଣା ! ଆନ୍ଦୋଳନରତ ଛାତ୍ରଛାତ୍ରୀ ଏସସିବି କର୍ତ୍ତୃପକ୍ଷଙ୍କ ନିକଟରେ କରିବେ ଲିଖିତ ଅଭିଯୋଗ

39

କନକ ବ୍ୟୁରୋ : ଡାକ୍ତର ଦେଉଛନ୍ତି ନିର୍ଯାତନା । ଯୌନ ଏବଂ ମାନସିକ ନିର୍ଯାତନା ହେବା ସହ ଆପତି କଲେ ଦେଉଛନ୍ତି ଧମକ । ଏଭଳି ଏକ ସାଂଘାତିକ୍ ଅଭିଯୋଗ ଆଣିଛନ୍ତି କଟକ ବଡ଼ ମେଡ଼ିକାଲର ଫାର୍ମାସୀ ଛାତ୍ରୀ । ଫାର୍ମାସୀ ବିଭାଗର ପୂର୍ବତନ ଅଧ୍ୟକ୍ଷ ଡାକ୍ତର ପ୍ରଫୁଲ୍ଲ କୁମାର ମହାପାତ୍ରଙ୍କ ବିରୋଧରେ ଏହି ଅଭିଯୋଗ ଆସିଛି । ଏନେଇ ଥାନାରେ ଲିଖିତ ଅଭିଯୋଗ କରିବା ସହ ପ୍ରତିବାଦରେ ଧାରଣା ଦେଇଛନ୍ତି ଛାତ୍ରଛାତ୍ରୀ । ଯୌନ ନିର୍ଯାତନାର ପ୍ରତିବାଦ କରିବାରୁ ଛାତ୍ରୀଙ୍କ କ୍ୟାରିୟର ଖରାପ କରିଦେବାକୁ ଓଲଟା ଧମକ ଦେଇଥିବା ଅଭିଯୋଗ ହୋଇଛି ।

ତେବେ ଆଜି ଆନ୍ଦୋଳନରତ ଛାତ୍ରଛାତ୍ରୀ ଏସସିବି କର୍ତ୍ତୃପକ୍ଷଙ୍କ ନିକଟରେ ଲିଖିତ ଅଭିଯୋଗ କରିବେ । ଛାତ୍ରଛାତ୍ରୀ ଦୁଇ ଦିନ ହେବ ଆନ୍ଦୋଳନରେ ବସିଥିବା ବେଳେ କଲେଜ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିନାହାନ୍ତି । ସମ୍ପୃକ୍ତ ଡାକ୍ତରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଆନ୍ଦୋଳନକାରୀ ଛାତ୍ରଛାତ୍ରୀ ଦାବି କରିଛନ୍ତି । ସେପଟେ ଏକ ୮ ଜଣିଆ ପ୍ରତିନିଧି ଦଳ ଓଡିଶା ଷ୍ଟେଟ ବୋର୍ଡ ଅଫ ଫାର୍ମାସୀଙ୍କୁ ଅଭିଯୋଗ ଜଣାଇବା ପାଇଁ ଭୁବନେଶ୍ୱର ଆସିଛନ୍ତି । ଆବଶ୍ୟକ ପଡିଲେ ଏମାନେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଭେଟିବେ ବୋଲି କହିଛନ୍ତି ।