ପେଟ୍ରୋଲ୍ କରୁଛି ପକେଟକୁ ମାଡ଼ ! ୭୦ ଟଙ୍କାରେ ପହଁଚିଲା ଦର, ତିନି ବର୍ଷ ଭିତରେ ସବୁଠୁ ଅଧିକ

24

କନକ ବ୍ୟୁରୋ : ଦିନକୁ ଦିନ ବଢି ଚାଲିଛି ପେଟ୍ରୋଲର ଦର । କିଛି ଦିନ ହେଲାଣି ପ୍ରତ୍ୟେକ ଦିନ ବଢିବାରେ ଲାଗିଛି । ଓଡିଶାରେ ୭୦ ଛୁଇଁଥିବା ବେଳେ ମୁମ୍ବାଇରେ ଏହାର ଦର ୮୦କୁ ଗଲାଣି । କିନ୍ତୁ ପେଟ୍ରୋଲ ଦରର ଭିତିରି କଥା ଯଦି ଆପଣ ଜାଣିବେ, ଆପଣ ଆଶ୍ଚର୍ଯ୍ୟ ହୋଇଯିବ । ଏହି ପେଟ୍ରୋଲ ଲିଟର ପିଛା ଦର ହେଉଛି ମାତ୍ର ୩୦ ଟଙ୍କା ୮୪ ପଇସା । କିନ୍ତୁ ବିଭିନ୍ନ ଟିକସ ପାଇଁ ଆପଣଙ୍କୁ ଦେବାକୁ ପଡୁଛି ୭୦ ଟଙ୍କା ।

ସାରା ଦେଶରେ ପେଟ୍ରୋଲ ଓ ଡିଜେଲକୁ ନେଇ ସମାନ ସ୍ଥିତି । ଟିକସ ବୋଝ ଖାଉଟିଙ୍କ ମୁଣ୍ଡ ଉପରେ ଚଡକ ପକାଇଛି । ଲିଟରଟିଏ ପେଟ୍ରୋଲ ପାଇଁ ଗ୍ରାହକ ଗଣୁଛନ୍ତି ୩୯ ଟଙ୍କା ଟିକସ । ଏଥିରେ ଉଭୟ ରାଜ୍ୟ ଓ କେନ୍ଦ୍ରର ଟିକସ ଅନ୍ତର୍ଭୁକ୍ତ । ଯାହାକୁ ନେଇ ଏବେ ସବୁ ସ୍ତରରେ ଉଠିଛି ପ୍ରତିବାଦର ସ୍ୱର । ଜିଏସଟି ଅଧୀନକୁ ପେଟ୍ରୋଲିୟମ ଜାତ ସାମଗ୍ରୀ ଆଣିବାକୁ ରାଜ୍ୟ କିମ୍ବା କେନ୍ଦ୍ର ପ୍ରସ୍ତୁତ ନୁହଁନ୍ତି । କାରଣ ବଜେଟ ବାବଦ ସିଂହଭାଗ ଅର୍ଥ ଏହି କ୍ଷେତ୍ରରୁ ଆସୁଛି । ନା କେନ୍ଦ୍ର ଏଳ୍ସାଇଜ ଡ୍ୟୁଟି କମାଇବାକୁ ପ୍ରସ୍ତୁତ ଅଛି ନା ରାଜ୍ୟ ସରକାର ଭ୍ୟାଟ୍ କମାଉଛନ୍ତି ।

୨୦୧୪ ପରଠାରୁ କେନ୍ଦ୍ର ସରକାର ୯ ଥର ଉତ୍ପାଦ ଶୁଳ୍କ ବୃଦ୍ଧି କରିଥିବା ବେଳେ ରାଜ୍ୟ ସରକାର ଭାଟ ଦୁଇଥର ବଢାଇଛନ୍ତି । ଫଳରେ ଦର ତୁଳନାରେ ଟିକସ ଅଧିକ ପଡୁଛି ।

ଏବେ ନଜର ପକାନ୍ତୁ, ଗ୍ରାହକ କ୍ଷତି ସହୁଥିବା ବେଳେ, କିଏ ଲାଭ ପାଉଛନ୍ତି

– ପେଟ୍ରୋଲରୁ କେନ୍ଦ୍ରୀୟ ଟିକସ ୧୧୨% ଓ ଡିଜେଲରୁ ଟିକସ ୩୦୦% ବଢିଛି

– ପେଟ୍ରୋଲରୁ ରାଜ୍ୟ ଟିକସ ୨୨% ଓ ଡିଜେଲରୁ ଟିକସ ୨୮% ବଢିଛି

– ତୈଳ କଂପାନୀଙ୍କର ମିଳିତ ଲାଭ ୬୪% ବଢିଛି

– ୨୦୧୪ ପରଠାରୁ ଇଣ୍ଡିଆନ ଅଏଲର ଲାଭ ୨୧୦% ବଢିଛି

– ଏଚପିସିଏଲର ଲାଭ ୫୨୬% ଓ ବିପିସିଏଲର ଲାଭ ୨୨୪% ବଢିଛି

– ସେହିଭଳି ପେଟ୍ରୋଲ ପମ୍ପ ଡିଲରଙ୍କ କମିଶନ ୬୦% ବଢିଛି

ଏହି ତମାମ ତଥ୍ୟ ଗୋଟିଏ କଥା ପ୍ରମାଣିତ କରୁଛି, ଖାଉଟିଙ୍କୁ ଛାଡିଦେଲେ ବାକି ସମସ୍ତେ ଲାଭରେ ଅଛନ୍ତି ।
ଗୋଟିଏ ଲିଟର ପେଟ୍ରୋଲ ଦରରେ କିଭଳି ୭୦ ଟଙ୍କା ଛୁଉଁଛି, ଦେଖନ୍ତୁ ।

ବିଶୋଧନାଗାରରେ  : ୨୧.୫୦

ପ୍ରବେଶ ଶୁଳ୍କ,ବିଶୋଧନାଗାର ପ୍ରକ୍ରିୟାକରଣ ଲ୍ୟାଣ୍ଡି କଷ୍ଟ,ଅନ୍ୟାନ୍ୟ ପରିଚାଳନା ଖର୍ଚ୍ଚ, କଂପାନୀମାନଙ୍କ ମାର୍ଜିନ, ପରିବହନ ଖର୍ଚ୍ଚ ଇତ୍ୟାଦି  : ୯.୩୪

ବିନା ଟିକସରେ ପେଟ୍ରୋଲ : ୩୦.୮୪

କେନ୍ଦ୍ର ଏବଂ ରାଜ୍ୟ ଟିକସ  : ୩୮.୪୧

ଟିକସ ପରେ ଦର  : ୬୯.୨୫

ଏସବୁ ଭିତରେ କିନ୍ତୁ, ଟିକସ କମାଇବାକୁ ରାଜ୍ୟ କିମ୍ବା କେନ୍ଦ୍ର କେହି ପ୍ରସ୍ତୁତ ନୁହଁନ୍ତି ।

ଗୋଟିଏ ପଟେ ଦର ବୃଦ୍ଧି ଆଉ ଅନ୍ୟ ପଟେ ଜିଏସଟି ଭିତରକୁ ପେଟ୍ରୋଲିୟମ ସାମଗ୍ରୀକୁ ଆଣିବାକୁ ଦାବି, ଏହାରି ଭିତରେ ନଜର କିଭଳି ସମାଧାନର ସୁତ୍ର ବାହାର କରୁଛନ୍ତି କେନ୍ଦ୍ର ସରକାର ।