୭୦ ଟଙ୍କା ଟପିବ ପେଟ୍ରୋଲ୍ ଦର !

38

କନକ ବ୍ୟୁରୋ : ଦେଶରେ ପେଟ୍ରୋଲ ଏବଂ ଡିଜେଲର ଦୈନିକ ମୂଲ୍ୟ ସଂଶୋଧନକୁ ନେଇ ଏବ ବଡ଼ ଧରଣର ବିତର୍କ ଆରମ୍ଭ ହେଲାଣି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ ଏବେ ବ୍ୟାରେଲ ପିଛା ପାଖାପାଖି ୫୦ ଡଲାର ଥିଲେ ମଧ୍ୟ ଦେଶରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ କାହିଁକି ଏତେ ଉଚ୍ଚସ୍ତରରେ ରହିଛି ତାହାକୁ ନେଇ ଗ୍ରାହକ ପ୍ରଶ୍ନ କରିବା ଆରମ୍ଭ କଲେଣି । ଭୁବନେଶ୍ୱରରେ ଆଜି ପେଟ୍ରୋଲ ମୂଲ୍ୟ ଲିଟର ପିଛା ୬୯ ଟଙ୍କା ୧୦ ପଇସା ରହିଥିବାବେଳେ ଡିଜେଲ ମୂଲ୍ୟ ୬୨ ଟଙ୍କା ୭୮ ପଇସା ରହିଛି । ତେଲ ମୂଲ୍ୟ ଦୈନିକ ସଂଶୋଧନ ହେବାପରଠାରୁ ରାଜ୍ୟରେ ପେଟ୍ରୋଲ ମୂଲ୍ୟ ପାଖାପାଖି ୬ରୁ ୭ ଟଙ୍କା ବୃଦ୍ଧି ଘଟିଲାଣି । ଦୈନିକ ମୂଲ୍ୟ ସଂଶୋଧନ ପରଠାରୁ ପେଟ୍ରୋଲ ଏବଂ ଡିଜେଲ ଦର ଯେଉଁ ଧାରାରେ ବୃଦ୍ଧି ଘଟୁଛି ଭୁବନେଶ୍ୱରରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୭୦ ଟଙ୍କା ଟପିବାକୁ ଆଉ ଅଧିକ ଦିନ ଲାଗିବ ନାହିଁ ବୋଲି ଜଳଜଳ ଦିଶିଲାଣି ।

ଉପା ସରକାରଙ୍କ ଅମଳରୁ ପେଟ୍ରୋଲ ଏବଂ ଡିଜେଲ ଦର ପ୍ରତି ୧୫ ଦିନରେ ଥରେ ବଦଳୁଥିଲା । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ ଏବଂ ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟକୁ ଦେଖି ସରକାରୀ ତେଲ କମ୍ପାନି ଗୁଡ଼ିକ ଏହି ମୂଲ୍ୟ ସଂଶୋଧନ କରୁଥିଲେ । ଏହାଫଳରେ ପେଟ୍ରୋଲ ଏବଂ ଡିଜେଲ ଦର ଏକାଥରରେ ଦୁଇ ତିନି ଟଙ୍କା ବଢ଼ୁଥିଲା କିମ୍ବା କମୁଥିଲା । କିନ୍ତୁ ଏନ୍‌ଡିଏ ସରକାର ଆସିବା ପରେ ଚଳିତ ବର୍ଷ ଜୁନ୍‌ ୧୬ ପରଠାରୁ ଦେଶରେ ପ୍ରତିଦିନ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ସଂଶୋଧନ କରିବା ଆରମ୍ଭ କରିଛନ୍ତି । ପ୍ରଥମେ ଚଳିତବର୍ଷ ମେ ପହିଲାରୁ ଦେଶର ପାଞ୍ଚଟି ସହରରେ ନୂଆ ମୂଲ୍ୟ ସଂଶୋଧନ ବ୍ୟବସ୍ଥାର ମୂଲ୍ୟ ସଂଶୋଧନ ନେଇ ପାଇଲଟ ପ୍ରକଳ୍ପ ଆରମ୍ଭ କରିଲେ ।

ଏହାପରେ ଚଳିତବର୍ଷ ଜୁନ୍‌ ୧୬ ତାରିଖରୁ ଦେଶବ୍ୟାପୀ ପେଟ୍ରୋଲ ଏବଂ ଡିଜେଲର ଦୈନିକ ମୂଲ୍ୟ ସଂଶୋଧନnew rule on petrol price - everyday petrol price hike କରି ଆସୁଛନ୍ତି । କିନ୍ତୁ ଦୈନିକ ମୂଲ୍ୟ ସଂଶୋଧନ ହେଲେ ଗ୍ରାହକଙ୍କୁ ଯେଉଁ ଲାଭ ମିଳିବ ବୋଲି ଆଶା ରଖାଯାଇଥିବା ସେହି ଆଶା ଏବେ ମିଳାଇ ଗଲାଣି । ପେଟ୍ରୋଲ ମୂଲ୍ୟ ଲିଟର ପିଛା ଆଜି ମୁମ୍ବାଇରେ ୭୯ ଟଙ୍କା ୪୧ ପଇସା ଛୁଇଛି। ଫଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅମଳରେ ପେଟ୍ରୋଲ ମୂଲ୍ୟ ଆଜି ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ଗତ କିଛି ଦିନ ହେଲା ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ମୂଲ୍ୟ ବୃଦ୍ଧି ଘଟୁଥିବାରୁ ପେଟ୍ରୋଲ ମୂଲ୍ୟ ବୃଦ୍ଧି ପାଉଛି ବୋଲି କୁହାଯାଉଛି । ଏବେ ଅନ୍ତର୍ଜାତୀୟ ବଜାରରୁ ଭାରତ ଅଶୋଧିତ ତେଲକୁ ବ୍ୟାରେଲ ପିଛା ପ୍ରାୟ ୫୩ ଡଲାରରେ କିଣୁଛି । ତେଣୁ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଏତେ ଅଧିକ ରହିବା ବିଷୟକୁ ଅନେକ ଉପଯୁକ୍ତ ବୋଲି ମନେ କରୁନାହାନ୍ତି ।

ଅତୀତ ମୂଲ୍ୟ ଉପରେ ନଜର ପକାଇଲେ ଜଣାଯାଏ ଯେ ଉପା ସରକାର ଅମଳରେ ୨୦୧୩ ସେେପ୍ଟେମ୍ବରରେ ପେଟ୍ରୋଲ ମୂଲ୍ୟ ଭୁବନେଶ୍ୱରରେ ସର୍ବାଧିକ ୭୫ ଟଙ୍କା ୩୨ ପଇସା ରହିଥିବାବେଳେ ଡିଜେଲ ଦର ସର୍ବାଧିକ ୬୦ ଟଙ୍କା ପାଖାପାଖି ରହିଥିଲା । ଭୁବନେଶ୍ୱର ମୂଲ୍ୟ ବିଚାରକୁ ନେଲେ ଏନ୍‌ଡିଏ ସରକାର ଅମଳରେ ୨୦୧୪ ଜୁଲାଇ ୧୯ ତାରିଖରେ ପେଟ୍ରୋଲ ମୂଲ୍ୟ ସର୍ବାଧିକ ୭୪ ଟଙ୍କା ୨୨ ପଇସା ଛୁଇଁଥିଲା । ସେହିଭଳି ଡିଜେଲ ଦର ଲିଟର ପିଛା ସର୍ବାଧିକ ୬୪ ଟଙ୍କା ୨୫ ପଇସାରେ ପହଞ୍ଚିଥିଲା ଚଳିତବର୍ଷ ଜାନୁଆରି ୧୬ ତାରିଖରେ । ତେଣୁ ଭୁବନେଶ୍ୱରରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ରେକର୍ଡ ଭାଙ୍ଗିବାକୁ ଆଉ କିଛି ଦିନ ଲାଗିବ । ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଯଦି ଏହି ଧାରାରେ ବୃଦ୍ଧି ଘଟିବ ତାହେଲେ ମୂଲ୍ୟ ସଂଶୋଧନ ବ୍ୟବସ୍ଥାରେ ସଂସ୍କାର ଆଣିବାର ମୌଳିକ ଲକ୍ଷ୍ୟ ହାସଲ ହୋଇପାରିବ ନାହିଁ ବୋଲି ଅନେକ ମତ ଦେଉଛନ୍ତି ।