ପେଟ୍ରୋଲ ପମ୍ପ ମାଲିକଙ୍କ ବୟକଟ୍ ଧମକ ପରେ ବ୍ୟାଙ୍କର ପଛଘୁଂଚା : ଟ୍ରାନଜାକ୍ସନ୍ ଫି’ଆଦାୟ ପ୍ରସ୍ତାବ ସ୍ଥଗିତ

12

କନକ ବ୍ୟୁରୋ : ପେଟ୍ରୋଲ ପମ୍ପ ମାଲିକଙ୍କ ବୟକଟ ଧମକ ପରେ ପଛଘୁଂଚା ଦେଲେ ବ୍ୟାଙ୍କ । ପେଟ୍ରୋଲ ପମ୍ପରେ ୧ ପ୍ରତିଶତ ଟ୍ରାନଜାକ୍ସନ୍ ଫି’ଆଦାୟ ନିଷ୍ପତିରୁ ଓହରିଛନ୍ତି ଘରୋଇ ବ୍ୟାଙ୍କ । ସମସ୍ତ ପକ୍ଷଙ୍କ ସହ ଆଲୋଚନା କରି ଖୁବଶୀଘ୍ର ନିଷ୍ପତି ନିଆଯିବା ବୋଲି କହିଛନ୍ତି ବ୍ୟାଙ୍କ ଗୁଡିକ । ଘରୋଇ ବ୍ୟାଙ୍କ୍ ଗୁଡିକ ଟ୍ରାନଜାକ୍ସନ୍ ଉପରେ ୧ ପ୍ରତିଶତ ଫି ନେଉଥିବାରୁ ଆଜି ମଧ୍ୟ ରାତ୍ରୀରୁ ଆଉ ଡେବିଟ୍ କିମ୍ବା  କ୍ରେଡିଟ କାର୍ଡ ଗ୍ରହଣ କରିବେ ନାହିଁ ବୋଲି କହିଥିଲେ ।

ବାଙ୍ଗାଲୋର ପେଟ୍ରୋଲିୟମ ଡିଲର୍ସ ଆସୋସିଏସନ ଆଜିଠାରୁ କୌଣସି ଡେବିଟ୍ କିମ୍ବା କ୍ରେଡିଟ୍ କାର୍ଡ ଗ୍ରହଣ କରିବ ନାହିଁ ବୋଲି୍ ଧମକ ଦେଇଥିଲା । ସେହିପରି ଆଜିଠାରୁ ଓଡ଼ିଶାରେ ପେଟ୍ରୋଲ ପମ୍ପ୍ ମାଲିକମାନେ ଆକ୍ସିସ, ଏଚଡିଏଫସି ଘରୋଇ ବ୍ୟାଙ୍କର ପିଓଏସ ମେସିନ ବ୍ୟବହାର କରିବେ ନାହିଁ ବୋଲି ଚେତାବନୀ ଦେଇଥିଲେ ।

ପେଟ୍ରୋଲ ଓ ଡିଜେଲ୍ ଭଳି ତୈଳଗୁଡ଼ିକ କେତେ ଲାଭରେ ବିକ୍ରି ହେବ ତାହା ସ୍ଥିର କରିଥାନ୍ତି ତୈଳ ବିପଣନ କମ୍ପାନୀ । ତୈଳ କାରବାର ଉପରେ ପେଟ୍ରୋଲ ପମ୍ପମାଲିକଙ୍କୁ ମାତ୍ର ୦.୩ ପ୍ରତିଶତରୁ ୦.୫ ପ୍ରତିଶତ ପର୍ୟ୍ୟନ୍ତ ଲାଭ ମିଳିଥାଏ । ଏପରିସ୍ଥଳେ ସେମାନେ ବ୍ୟଙ୍କଗୁଡିକୁ କାହିଁକି ୧ ପ୍ରତିଶତ ଫି ଦେବେ ବୋଲି ପ୍ରଶ୍ନ କରିଥିଲେ । କୁହାଯାଉଛି ସରକାରଙ୍କ ହସ୍ତକ୍ଷେପ ପରେ ବ୍ୟାଙ୍କଗୁଡିକ ସେମାନଙ୍କ ନିଷ୍ପତିରୁ ଓହରିଛନ୍ତି ।