ପେଟ୍ରୋଲ୍ ୩ ବର୍ଷରେ ସର୍ବାଧିକ ମହଙ୍ଗା ! ଜୁଲାଇ ପରେ ପେଟ୍ରୋଲ ଦର ୬ ଟଙ୍କା, ଡିଜେଲ ୩ ଟଙ୍କା ୬୭ ପଇସା ବଢ଼ିଛି

40

କନକ ବ୍ୟୁରୋ: ଦେଶରେ ପେଟ୍ରୋଲ୍ ଏବଂ ଡିଜେଲର ଦର ପ୍ରତିଦିନ ବଦଳିବା ପରେ ଦର କମିବା ବଦଳରେ ବଢ଼ି ଚାଲିଛି । ଜୁଲାଇ ମାସର ପ୍ରଥମ ସପ୍ତାହ ପରଠାରୁ ବର୍ତ୍ତମାନ ସୁଦ୍ଧା ପେଟ୍ରୋଲର ଲିଟର ପିଛା ମୂଲ୍ୟରେ ୬ ଟଙ୍କା ବୃଦ୍ଧି ହୋଇଛି । ବିଗତ ତିନି ବର୍ଷ ଭିତରେ ପେଟ୍ରୋଲ୍ ମୂଲ୍ୟ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ସେହିପରି ଜୁଲାଇ ପରଠାରୁ ଡିଜେଲର ଲିଟର ପିଛା ଦର ୩ ଟଙ୍କା ୬୭ ପଇସା ବଢ଼ିଛି । ଗତ ଚାରି ମାସ ଭିତରେ ଡିଜେଲ ମୂଲ୍ୟ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି ।

ଚଳିତ ବର୍ଷ ଜୁନ୍ ପରଠାରୁ ରାଷ୍ଟ୍ରାୟତ୍ତ ତେଲ କଂପାନିଗୁଡ଼ିକ ଦୀର୍ଘଦିନ ଧରି ପ୍ରଚଳିତ ଥିବା ମାସକୁ ଦୁଇ ଥର ପେଟ୍ରୋଲ ଏବଂ ଡିଜେଲ ଦର ସଂଶୋଧନ ପ୍ରଥାକୁ ବଦଳାଇଥିଲେ । ଏହା ପରଠାରୁ ପ୍ରତିଦିନ ପେଟ୍ରୋଲ୍ ଏବଂ ଡିଜେଲ ଦରରେ ପରିବର୍ତ୍ତନ ହେଉଛି । ଭୁବନେଶ୍ୱରରେ ପେଟ୍ରୋଲର ଲିଟର ପିଛା ଦର ୬୮ ଟଙ୍କା ୧୧ ପଇସା ହୋଇଯାଇଛି ।

ଜୁନ୍ ୧୬ ପରଠାରୁ ପ୍ରତିଦିନ ପେଟ୍ରୋଲ୍ ଏବଂ ଡିଜେଲ ଦରରେ ପରିବର୍ତ୍ତନ ହେଉଛି । ତେଲ କଂପାନିଗୁଡ଼ିକ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳର ମୂଲ୍ୟ ଏବଂ ଭାରତୀୟ ଟଙ୍କା ଏବଂ ଡଲାର ମଧ୍ୟରେ ବିନିମୟ ମୂଲ୍ୟ ବିଚାରକୁ ନେଇ ତେଲର ଖୁଚୁରା ଦର ନିର୍ଦ୍ଧାରଣ କରୁଛନ୍ତି । ଜୁଲାଇ ୩ ପରଠାରୁ ଉଭୟ ତେଲର ଦରରେ ନିୟମିତ ବୃଦ୍ଧି ହେବାରେ ଲାଗିଛି ।

ଜୁନ୍ ୧୬ରେ ପେଟ୍ରୋଲର ଲିଟର ପିଛା ଦର ୬୫ ଟଙ୍କା ୪୮ ପଇସା ଥିଲା । ଜୁଲାଇ ୨ ସୁଦ୍ଧା ତାହା ୬୩ ଟଙ୍କା ୬ ପଇସାକୁ ହ୍ରାସ ପାଇଥିଲା । ଏହା ପରଠାରୁ ମାତ୍ର ଚାରିଟି ଦିନକୁ ବାଦ ଦେଲେ ପ୍ରାୟ ସବୁ ଦିନ ପେଟ୍ରୋଲ ଦରରେ ୨ ପଇସାରୁ ୯ ପଇସା ପର୍ଯ୍ୟନ୍ତ ବୃଦ୍ଧି ହୋଇଛି । ସେହିପରି ଜୁନ୍ ୧୬ରେ ଡିଜେଲ ଦର ୫୪ ଟଙ୍କା ୪୯ ପଇସା ଥିଲା । ଜୁଲାଇ ୨ ସୁଦ୍ଧା ତାହା ୫୩ ଟଙ୍କା ୩୬ ପଇସାକୁ ହ୍ରାସ ପାଇଥିଲା । ଅବଶ୍ୟ ପେଟ୍ରୋଲ୍ ଭଳି ଡିଜେଲ ଦରରେ ଏତେଟା ବୃଦ୍ଧି ହୋଇନାହିଁ ।

ପୂର୍ବରୁ ପ୍ରଚଳିତ ଥିବା ପ୍ରଥା ଅନୁସାରେ ଥରକେ ପେଟ୍ରୋଲ କିମ୍ବା ଡିଜେଲ ମୂଲ୍ୟ ୨ରୁ ୩ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ହେଉଥିଲା । ତାହାକୁ ଲୋକମାନେ ବହୁତ ବିରୋଧ କରୁଥିଲେ । ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଥିଲା । ଉକ୍ତ ଦର ବୃଦ୍ଧିକୁ ଲୋକମାନେ ଜାଣିପାରୁଥିଲେ । ମାତ୍ର ଏବେ ପ୍ରତି ଦିନ ତେଲ ଦରରେ ୧ ପଇସାରୁ ୧୫ ପଇସା ପର୍ଯ୍ୟନ୍ତ ବୃଦ୍ଧି ହେଉଛି ଯାହାକୁ ଲୋକମାନେ ସହଜରେ ଜାଣିପାରୁନାହାନ୍ତି ।

ଉଲ୍ଲେଖଯୋଗ୍ୟ, ୨୦୧୦ ଜୁନରେ ପେଟ୍ରୋଲ ଏବଂ ୨୦୧୪ ଅକ୍ଟୋବରରେ ଡିଜେଲ ଦର ନିର୍ଦ୍ଧାରଣ ପ୍ରକ୍ରିୟା ସରକାରଙ୍କ ନିୟନ୍ତ୍ରଣରୁ ମୁକ୍ତ ହୋଇଛି । ଚଳିତ ବର୍ଷ ଜୁନ୍ ୧୬ ପର୍ଯ୍ୟନ୍ତ ପ୍ରତି ମାସର ୧ ତାରିଖ ଏବଂ ୧୬ ତାରିଖରେ ପେଟ୍ରୋଲ ଏବଂ ଡିଜେଲ ଦରରେ ପରିବର୍ତ୍ତନ କରାଯାଉଥିଲା।